ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ପାଇଁ ମତଦାନ, ବୁଥ ମୁହାଁ ପୋଲିଂ ପାର୍ଟି
ମୁମ୍ବାଇ: ଆସନ୍ତାକାଲି ମହାରାଷ୍ଟ୍ର ବିଧନସଭା ମତଦାନ । ସମସ୍ତ ୨୮୮ ଆସନରେ ହେଉଛି ମତଦାନ । ଏଥିପାଇଁ ପ୍ରସ୍ତୁତି ଏକ ପ୍ରଚାର ଚୂଡ଼ାନ୍ତି ହୋଇଛି । ବୁଥମୁହାଁ ହେଉଛନ୍ତି ପୋଲିଂ ପାର୍ଟି। ଇଭିଏମ୍ ଧରି ବୁଥରେ ପହଞ୍ଚିବାରେ ଲାଗିଛନ୍ତି ପୋଲିଂ କର୍ମଚାରୀ । ମଇଦାନରେ ଅଛନ୍ତି ମୋଟ ୪ ହଜାର ୧୩୬ ପ୍ରାର୍ଥୀ ।
ଏଥର ମହାୟୁତି ଓ ମହା ଅଗାଡ଼ି ମେଣ୍ଟରେ ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଅଛି । ମହାରାଷ୍ଟ୍ର ବିଧାନସଭାରେ ମହାୟୁତିର ସଦସ୍ଯ ସଂଖ୍ଯା ରହିଛି ୨୦୨ । ବିଜେପିର ୧୦୨, ଏନସିପିର ୪୦, ଶିବସେନାର ୩୮, ବିଭିଏର ୩ ଓ ଏମଏନଏସର ଜଣେ ବିଧାୟକ ଅଛନ୍ତି । ସେହିପରି ମହାବିକାଶ ଅଘାଡିର ସଦସ୍ଯ ସଂଖ୍ଯା ରହିଛି ୬୯ । କଂଗ୍ରେସର ୩୭, ଶିବସେନା ୟୁବିଟିର ୧୬, ଏନସିପି ଏସପିର ୧୨, ଏସପିର ୨ ଓ ସିପିଏମର ଜଣେ ବିଧାୟକ ରହିଛନ୍ତି ।
ରାଜ୍ଯର ମୋଟ ଭୋଟର ୯ କୋଟି ୬୩ ଲକ୍ଷ ଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ଯା ୪ କୋଟି ୯୭ ଲକ୍ଷ । ମହିଳା ଭୋଟରଙ୍କ ସଖ୍ଯା ୪ କୋଟି ୬୬ ଲକ୍ଷ । ଯୁବ ଭୋଟରଙ୍କ ସଂଖ୍ଯା ୧ କୋଟି ୮୫ ଲକ୍ଷ । ମୋଟ ପୋଲିଂ ଷ୍ଟେସନ ସଂଖ୍ଯା, ୧ ଲକ୍ଷ ୧୮୬ ।
ମାଝି ଲଡକୀ ବହିନ ଯୋଜନା ପରେ ମହାୟୁତି ପ୍ରତି ମହିଳା ଭୋଟ ବଢିବା ସମ୍ଭାବନା ରହିଥିବାବେଳେ ପ୍ରତି ବିଧାନସଭା ମଣ୍ଡଳୀରେ ୮୦ ହଜାର ଲେଖାଏଁ ମହିଳା ଉପକୃତ ହେଉଛନ୍ତି । ସେପଟେ ଏମଭିଏ ପ୍ରତି ମୁସଲିମ ଭୋଟରଙ୍କ ରହିଛି ଅଧିକ ସମର୍ଥନ । ନିର୍ବାଚନରେ ବିଦ୍ରୋହୀ ପ୍ରାର୍ଥୀଙ୍କୁ ନେଇ ମହାୟୁତି ଓ ଏମଭିଏରେ ଚିନ୍ତା ବଢିଛି । ସମସ୍ତ ଆସନରେ ବିଦ୍ରୋହୀଙ୍କ ସଂଖ୍ଯା ଅଧିକ ଥିବା ଜଣାଯାଇଛି । ମହାରାଷ୍ଟ୍ରରେ ପ୍ରବାସୀ ଲୋକଙ୍କ ସଂଖ୍ଯା ମୋଟ ଜନସଂଖ୍ଯାର ୮ ପ୍ରତିଶତ ହୋଇଥିବାବେଳେ କେବଳ ମୁମ୍ବାଇରେ ପ୍ରବାସୀ ଲୋକଙ୍କ ସଂଖ୍ଯା ୪୩ ପ୍ରତିଶତ। ନିର୍ବାଚନରେ ଉଭୟ ମହାୟୁତି ଓ ଏମଭିଏ ଖେଳିଛନ୍ତି ମରାଠୀ ଅସ୍ମିତା କାର୍ଡ। ବହୁ ବୃହତ ଶିଳ୍ପ ସଂସ୍ଥା ମହାରାଷ୍ଟ୍ରରୁ ଗୁଜରାଟ ଚାଲିଯାଉଥିବାରୁ ଏହାକୁ ନେଇ ବଢିଛି ରାଜନୀତି । ମଇଦାନରେ ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର । କିଏ ଜିତିବେ କିଏ ହାରିବେ ତାହାକୁ ନେଇ ଜାରି ରହିଛି ସସପେନ୍ସ ।
ହେବିଓ୍ବେଟଙ୍କ ମଧ୍ୟରେ ଜୋରଦାର ଟକ୍କର
ଚଳିତ ନିର୍ବାଚନରେ ଭାଗ୍ଯ ପରୀକ୍ଷା କରୁଛନ୍ତି ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ । ସେ କୋପରି ପଚପଖାଡ଼ି ଆସନରୁ ଲଢୁଛନ୍ତି । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଶିବସେନା ୟୁବିଟିର କେଦାର ଦିଘେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଏକନାଥ । ନାଗପୁର ଦକ୍ଷିଣ ପଶ୍ଚିମରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ପ୍ରଫୁଲ୍ଲ ଗୁଧାଦେ । ୨୦୦୯ରୁ ୨୦୧୯ ଯାଏଁ ବିଜୟୀ ହୋଇଆସୁଛନ୍ତି ଦେବେନ୍ଦ୍ର । ବହୁଚର୍ଚ୍ଚିତ ବାରମତିରୁ ଲଢୁଛନ୍ତି ଉପମୁଖ୍ଯମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାର । ତାଙ୍କ ବିରୋଧରେ ପ୍ରାର୍ଥୀ ଅଛନ୍ତି ଏନସିପି ଏସପିର ଯୁଗେନ୍ଦ୍ର ପାଓ୍ବାର । ଅଜିତ ପାଓ୍ବାରଙ୍କ ପୁତୁରା ହେଉଛନ୍ତି ଯୋଗେନ୍ଦ୍ର ପାଓ୍ବାର । ୧୯୯୧ରୁ ବାରମତିରୁ ବିଜୟୀ ହୋଇଆସୁଛନ୍ତି ଅଜିତ । ପ୍ରଥମେ କଂଗ୍ରେସରେ ଥିଲେ ଅଜିତ ପାଓ୍ବାର ।
ମନୋଜ ବିଗାଡ଼ିବେ ଖେଳ !
ମହାରାଷ୍ଟ୍ର ଫଳାଫଳକୁ ଓଲଟପାଲଟ କରିପାରନ୍ତି ସମାଜସେବୀ ମନୋଜ ଜାରାଙ୍ଗେ ପାଟିଲ । ମରାଠୀଙ୍କ ଲାଗି ସଂରକ୍ଷଣ ଦାବି କରିଆସୁଥିବା ମନୋଜଙ୍କୁ ନେଇ ଏବେ ମହାୟୁତିରେ ଚିନ୍ତା । ବିଭିନ୍ନ ଆସନରେ ଦେଇଥିବା ନିଜର ସମସ୍ତ ପ୍ରାର୍ଥୀଙ୍କୁ ନିର୍ବାଚନରୁ ଓହରିବା ଲାଗି ନିଷ୍ପତ୍ତି ନେବା ପରେ ମହାୟୁତିରେ ଛନକା ପଶିଛି । ଗତ ଲୋକସଭା ନିର୍ବାଚନରେ ମନୋଜ ଫାକ୍ଟର ଲାଗି ମହାୟୁତି ସହିଥିଲା କ୍ଷତି । ଲୋକସଭା ନିର୍ବାଚନରେ ମନୋଜ ଏମଭିଏକୁ କରିଥିଲେ ଲାଭବାନ । ଚଳିତ ନିର୍ବାଚନରେ ସେ ୧୫ରୁ ୨୦ ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା ଅଞ୍ଚଳରେ ମହାୟୁତି କ୍ଷତି ସହିବାର କାରଣ ମନୋଜ । ମରାଠାଓ୍ବାଡା ଅଞ୍ଚଳର ୮ ଲୋକସଭା କ୍ଷେତ୍ରରେ ମନୋଜଙ୍କ ପ୍ରଭାବ ରହିଛି । ଲୋକସଭା ନିର୍ବାଚନରେ ମରାଠାଓ୍ବାଡା, ବିଦର୍ଭ ଓ ପଶ୍ଚିମ ମହାରାଷ୍ଟ୍ରରେ ମହାୟୁତିକୁ କ୍ଷତି ପହଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମନୋଜ । ରାଜ୍ଯ ଜନସଂଖ୍ଯାର ପ୍ରାୟ ୩୩ ପ୍ରତିଶତ ହେଉଛନ୍ତି ମରାଠୀ । ମନୋଜ ସମର୍ଥିତ ପ୍ରାର୍ଥୀ ପ୍ରତ୍ଯାହାର ପରେ ଏମଭିଏକୁ ଲାଭ ଆଶା କରାଯାଉଛି । ମନୋଜଙ୍କ ପ୍ରାର୍ଥୀ ମରାଠୀ, ଦଳିତ, ମୁସଲିମ ଭୋଟ ହାତେଇଥାନ୍ତେ ଯାହା ଏମଭିଏକୁ କ୍ଷତି କରିଥାନ୍ତା । ମରାଠାଓ୍ବାଡା ଅଞ୍ଚଳରେ ୪୬ ଓ ପଶ୍ଚିମାଞ୍ଚଳରେ ରହିଛି ୭୦ ଆସନ । ଏହି ୧୧୬ ଆସନରେ ମନୋଜ ପାଟିଲଙ୍କ ଅଖଣ୍ଡ ପ୍ରଭାବ ରହିଛି ।