ରାଜଧାନୀ ସ୍ଥିତ ହୋଟେଲ ହାଲୋ ଷ୍ଟେରୁ ଶିଶୁ ଶ୍ରମିକ ଉଦ୍ଧାର
ଭୁବନେଶ୍ବର: ଚନ୍ଦ୍ରଶେଖରପୁର ସ୍ଥିତ ହୋଟେଲ ହାଲୋ ଷ୍ଟେରୁ ଏକ ଏଗାର ବର୍ଷ ବୟସର ଶିଶୁ ଶ୍ରମିକ ଉଦ୍ଧାର । ରୁଚିକା ସମାଜ ମଙ୍ଗଳ ସଂଗଠନର କର୍ମକର୍ତ୍ତା ଓ ଚନ୍ଦ୍ରଶେଖରପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ଶିଶୁ ଶ୍ରମିକକୁ ଉଦ୍ଧାର କରିଛନ୍ତି । ଶିଶୁଟି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳ ବୋଲି ସୂଚନା ମିଳିଛି ।
କିଛି ଦିନ ହେବ ତା’ର ପରିବାର ଶୈଳଶ୍ରୀ ବିହାର ଅଞ୍ଚଳରେ ଗୋଟିଏ ବସ୍ତିରେ ରହୁଛନ୍ତି । ପିଲାଟିର ବାପା ପରିବାରକୁ ଛାଡ଼ି କେଉଁଆଡେ ପଳେଛନ୍ତି । ପିଲାଟି ସେହି ଅଞ୍ଚଳର ହୋଟେଲ ହାଲୋ ଷ୍ଟେରେ ପ୍ରାୟ ତିନି ମାସ ହେବ କାମ କରିଆସୁଛି । ହୋଟେଲର ମ୍ୟାନେଜର ଦିପୁ ସାମନ୍ତ ପିଲାଟିକୁ ହୋଟେଲରେ ଝାଡୁ ପୋଛା, ପରିବା କଟା, ପାଣି ଦେବା ଇତ୍ୟାଦି କାମରେ ନିୟୋଜିତ କରି ତାକୁ ଶୋଷଣ କରୁଥିବା ଅଭିଯୋଗ ହୋଇଥିଲା ।
ପିଲାଟିର ମଜୁରୀ ବାବଦକୁ ପଇସା ତା’ର ଜେଜେ ମାଆ ନେଇଯାଏ ବୋଲି ପିଲାଟି କହିଛି । ପିଲାଟିକୁ ଉଦ୍ଧାର କରି ରୁଚିକାର କର୍ମକର୍ତ୍ତା ହରପ୍ରିୟା ପତି, ଘନଶ୍ୟାମ ଭୋଇ ଓ ଅଜୟ କୁମାର ମହାରଣା ଅତିରିକ୍ତ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥିତ କରାଇଛନ୍ତି । ଶିଶୁ କଲ୍ୟାଣ ସମିତିର ନିର୍ଦ୍ଦେଶ କ୍ରମେ ପିଲାଟିକୁ ରୁଚିକା ଓପନ ସେଲ୍ଟରକୁ ପଠାଇ ଦିଆଯାଇଛି । ରୁଚିକା ସମାଜ ମଙ୍ଗଳ ସଂଗଠନ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଘଟଣା ସମ୍ପର୍କରେ ଏକ ଏତଲା ଦାୟର କରାଯିବ ବୋଲି ଜଣାପଡିଛି ।