ଭଲରେ ଭେଲ ପୂରାଇବାରେ ବ୍ଯସ୍ତ ରାଜ୍ଯ ସରକାର: LTR ଆବେଦନ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ, ତାତିଲେ ଆଶାୟୀ

ଭୁବନେଶ୍ବର: ଭଲରେ ଭେଲ ପୂରାଇବାରେ ବ୍ଯସ୍ତ ରାଜ୍ଯ ସରକାର । ନବୀନ ସରକାର ସମୟର ଯୋଜନା କାଟି ମୋହନ ସରକାର ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୋଗ ବଢିବାରେ ଲାଗୁଛି । ଏବେ ଏଥିରୁ ଶିକ୍ଷକ ବି ବାଦ ପଡିନାହାଁନ୍ତି । ଗତବର୍ଷ ନବୀନ ସରକାର ଶିକ୍ଷକ ନିଯୁକ୍ତି ପାଇଁ ଯେଉଁ ଲିଭ୍ ଟିଚର ରିଜର୍ଭ (ଏଲଟିଆର) ପଦବୀ ସୃଷ୍ଟି କରିଥିଲେ । ତା’ସହ ଚଞ୍ଚକତା କରିଛନ୍ତି ନୂଆ ସରକାର । ଏହି ପଦବୀ ପାଇଁ ଆବେଦନ କରିବାକୁ ପ୍ରଥମେ ବିଜ୍ଞପ୍ତି ପ୍ରକାଶ କଲେ । ଏବେ ଆବେଦନ ତାରିଖର ଦିନକ ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖି ଲକ୍ଷ ଲକ୍ଷ ଆଶାୟୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଇଛନ୍ତି ।

ଶ୍ରେୟ ନେବାକୁ ମୋହନ ସରକାର ଉଚ୍ଛନ୍ନ । ନୂଆ କିଛି କରୁନାହାଁନ୍ତି । ନବୀନ ଯାହା କରିଥିଲେ ତାକୁ ବନ୍ଦ କରି ବୁଲେଇ ବଙ୍କେଇ ନୂଆ ବୋତଲରେ ପୁରୁଣା ମଦ ପରଷିବା ପରି କାମ କରୁଛନ୍ତି ।

ଶିକ୍ଷକଙ୍କ ପାଇଁ ନୂତନ ପଦବୀ ସୃଷ୍ଟି କରି ପାରିଲେନି, ହେଲେ ନବୀନଙ୍କ ସମୟରେ ଯେଉଁ ଶିକ୍ଷକ ପଦବୀ ସୃଷ୍ଟି ହୋଇଥିଲା, ତାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟ ସରକାର ସ୍ଥଗିତ ରଖିଲେ । ଯାହାକୁ ନେଇ ଅସନ୍ତୋଷ ତେଜୁଛି । ଏହା ବିରୋଧରେ ଆଜି ଭୁବନେଶ୍ବର ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ । ପୂର୍ବ ନବୀନ ପଟ୍ଟନାୟକ ସରକାର ୨୦୨୩ ମସିହାରେ ୬୦୨୫ ଏଲଟିଆର ପଦବୀ ନୂତନ ଭାବେ ପ୍ରକାଶ କରିଥିଲେ । ୨୦୨୪ ମସିହା ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ ଦୁଇ ଦୁଇ ଥର ଆନ୍ଦୋଳନ କରିବା ପରେ ୨୨ ଅକ୍ଟୋବରରେ ମୋହନ ସରକାର ଷ୍ଟାଫ୍ ସିଲେକସନ୍ କମିଶନ ଜରିଆରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଅକ୍ଟୋବର ୩୦ରୁ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ଥିଲା । ହେଲେ ଦୁଃଖର ବିଷୟ ଯେ ଆବେଦନ ତାରିଖର ଦିନକ ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ କରି ଦିଆଯାଇଛି । ସଂଘ ବିଭିନ୍ନ ସରକାରୀ ଅଧିକାରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦେଖା କରିଥିଲେ ସୁଦ୍ଧା ଫଳ ମିଳିନି । ନବୀନଙ୍କ ଯୋଜନାକୁ ବନ୍ଦ କରିବାର ଯେଉଁ ଚକ୍ରାନ୍ତ ଚାଲିଛି, ସେଥିରେ ଶିକ୍ଷକମାନେ କାହିଁକି ବଳି ପଡ଼ିବେ ବୋଲି ସଂଘ ପ୍ରଶ୍ନ କରିଛି । ବିନା ପରିବର୍ତ୍ତନରେ ନଭେମ୍ବର ଭିତରେ ପୁଣି ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି ଜୋର ଧରିଛି ।

ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ନାହିଁ । କିଛି ସଂଶୋଧନ କରି ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସେ ଦେଇଥିବା ସଫେଇ ଯୋଗୁଁ ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘର ଆନ୍ଦୋଳନ ଆହୁରି ଉଗ୍ର ରୂପ ନେଇଛି । ନବୀନଙ୍କ କ୍ୟାବିନେଟ ଅନୁମୋଦନ ଦେବା ପରେ ମୋହନ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ ଏବେ ତା’ର ପୁଣି କେମିତି ସଂଶୋଧନ କରାଯିବ ବୋଲି ପ୍ରଶ୍ନ କରିଛି ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ ।

ବିରୋଧୀ ଥିବା ସମୟରେ ଶିକ୍ଷକ ପଦବୀ ସୃଷ୍ଟି ପାଇଁ ଦାବି କରି ଆନ୍ଦୋଳନ କରୁଥିଲା ବିଜେପି । ହେଲେ ନିଜେ ସରକାରକୁ ଆସି ଏଯାଏଁ ଗୋଟାଏ ବି ନୂତନ ଶିକ୍ଷକ ପଦବୀ ସୃଷ୍ଟି କରି ପାରିନି ବିଜେପି ସରକାର । କିନ୍ତୁ ନବୀନଙ୍କ ଯୋଜନା ବନ୍ଦ କରି ନାଁ ଓ ରଙ୍ଗ ବଦଳାଇ ବାହାବା ନେବାକୁ ଚେଷ୍ଟା କରୁଛି । ଯାହାକୁ ସବୁ ମହଲରେ ନିନ୍ଦା କରାଯାଉଛି ।