ଦାଦନ ଖଟିବାକୁ ଯାଇ ହସ୍ପିଟାଲରେ ପଡ଼ିଛି ପୁଅ, ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବୃଦ୍ଧ ବାପାମାଆଙ୍କ ଆକୁଳ ନିବେଦନ
1 min readଉମରକୋଟ: ଘରେ ବୃଦ୍ଧ ବାପାମାଆ । ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଦୁଇ ମାସ ତଳେ ବିବାହ କରିଥିବା ପୁଅ । ହେଲେ ସେଠାରେ କାମ କରିବା ବେଳେ ଖସିପଡ଼ି ଭାଙ୍ଗି ଯାଇଛି ହାତ, ଗୋଡ଼ ଓ ଅଣ୍ଟା । ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା । ଏପଟେ ପୁଅର ଚିକିତ୍ସା ପାଇଁ ଜମିବାଡ଼ି ବିକି ସର୍ବଶାନ୍ତ ହୋଇ ସାରିଲେଣି ବାପାମାଆ । ଆଉ କିଛି ସାହା ଭରଷା ନଥିବାରୁ ପୁଅ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବାକୁ କରୁଛନ୍ତି ଆକୁଳ ନିବେଦନ । ଘଟଣା ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ୟୁଭି-୫୨ର । ଅଭିଜିତ ମଜୁମଦାର ନାମକ ଯୁବକ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ଛାତ ସଟ୍ରିଂ କରୁଥିବା ବେଳେ ଖସିପଡ଼ି ଗୋଡ଼, ହାତ ଓ ଅଣ୍ଟା ଭାଙ୍ଗି ଯାଇଛି । ସେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ଏପଟେ ଅସୁସ୍ଥ ପୁଅର ଫଟୋ ଧରି ଭାଳି ହେଉଛନ୍ତି ବୁଢ଼ା ବାପା ମାଆ । ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି । ଯେଉଁ ରୋଜଗାରିଆ ପୁଅ ଦିନେ ଅର୍ଥ ଉପାର୍ଜନ କରି ଘର ଚଳାଉଥିଲା, ସେ ଆଜି ମେଡିକାଲ ପଡ଼ିଛି । ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ ଅଭିଜିତ । ଦୁର୍ଘଟଣା ପରେ ଠିକାଦାର ଅଭିଜିତଙ୍କୁ ହାଇଦ୍ରାବାଦ ମେଡିକାଲରେ ଛାଡ଼ି ଦେଇ ଦାୟିତ୍ଵ ସାରିଦେଇଛନ୍ତି । ଅଭିଜିତ ଏବେ ବିଶାଖାପାଟଣାର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଏସକେଓ୍ବାଇ ଯୋଜନାରେ ଚିକିତ୍ସା ହୋଇଥିଲା । ବାପା ଲବ ମଜୁମଦାର ମଧ୍ୟ ଜମି ବିକ୍ରି କରି ୫ ଲକ୍ଷ ଟଙ୍କା ପଠାଇଥିଲେ । ବର୍ତ୍ତମାନ ଚିକିତ୍ସା ପାଇଁ ଆହୁରି ୮ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ ଥିବା ଡାକ୍ତର କହୁଥିବା ବେଳେ ଅର୍ଥ ସାଜିଛି ବାଧକ । ପୁଅର ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବୃଦ୍ଧ ଦମ୍ପତି ଅନୁରୋଧ କରିଛନ୍ତି ।
୨ ମାସ ତଳେ ଉମରକୋଟ ୟୁଭି-୫୨ ବାସିନ୍ଦା ଅଭିଜିତ୍ ବିବାହ କରିଛନ୍ତି । ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ପରିବାର ପୋଷଣ କରିବେ କ’ଣ କିପରି ଚିକିତ୍ସିତ ହୋଇ ଘରକୁ ଫେରିବେ ସେଇ ଚିନ୍ତାରେ ମେଡିକାଲ ବେଡରେ ପଡ଼ି ରହିଛନ୍ତି । ପନିପରିବା ବିକ୍ରି କରି ନିଜେ ଚଳିବା କଷ୍ଟକର ହୋଇପଡୁଥିବା ବେଳେ ପୁଅର ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବେ ସେଇ ଚିନ୍ତାରେ ବୃଦ୍ଧ ବାପାମାଆ ।
ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ପଚରାଯିବାରେ ସେ ଦାୟିତ୍ଵହୀନ ମନ୍ତବ୍ୟ ଦେଇ ହାତ ଟେକିଦେଇଛନ୍ତି । ଅଭିଜିତ ଜିଲ୍ଲା ଶ୍ରମ ବିଭାଗରେ ପଞ୍ଜିକରଣ କରିନାହାନ୍ତି । ଦୁର୍ଘଟଣା ବିଷୟରେ ସବିଶେଷ ତଥ୍ୟ ମିଳିଲେ ସରକାରଙ୍କୁ ଲେଖିବୁ ବୋଲି ସେ କହିଛନ୍ତି । ଦାୟିତ୍ଵହୀନ ମନ୍ତବ୍ୟ ଦେଇ ଜିଲ୍ଲା ଶ୍ରମ ଅଧିକାରୀ ଆଦାଲତର ଆଶ୍ରୟ ନେବାକୁ କହିଥିବା ବେଳେ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲର ବେଡରେ ପଡ଼ିଥିବା ଅଭିଜିତ ଓ ବୃଦ୍ଧ ଦମ୍ପତିଙ୍କ ପାଇଁ କିଏ ଶାହା ହେବ ତାକୁ ନେଇ ଉଠିଛି ପ୍ରଶ୍ନ ।