ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ସମୀର ଦେଙ୍କ ଶେଷକୃତ୍ୟ, ଦିଆଗଲା ଗାର୍ଡ ଅଫ୍ ଅନର୍

1 min read

କଟକ: ବରିଷ୍ଠ ବିଜେପି ନେତା ସମୀର ଦେଙ୍କ ପରଲୋକ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ସମୀର ଦେଙ୍କ ପରଲୋକ ହୋଇଛି । କଟକ ସିଡିଏ ବାସଭବନରେ ପାର୍ଥିବ ଶରୀର ପହଞ୍ଚିବା ପରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ସେହିପରି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ସିଡିଏ ସ୍ଥିତ ତାଙ୍କ ଘରେ ଦିଆଯିବ ରାଷ୍ଟ୍ରୀୟ ମର୍ଯ୍ୟାଦା ।

ପ୍ରଥମେ ବିଧାନସଭା ଓ ପରେ ରାଜ୍ୟ ବିଜେପି କର୍ଯ୍ୟଳୟକୁ ନିଆଯିବ ପାର୍ଥିବ ଶରୀର । ତା’ପରେ କଟକ ସ୍ଥିତ ନିମସାହି ବାସଭବନକୁ ନିଆଯିବ । ଖାନନଗର ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେବ । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।

ସମୀର ଦେଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ ।

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ରାଜ୍ଯ ବିଜେପିର ଜଣେ ଟାଣୁଆ ନେତା । କଟକ ବିଧାନସଭା ଆସନରୁ ସେ ଲଗାତାର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ । ବିଜେପି-ବିଜେଡି ମେଣ୍ଟ ସରକାରରେ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ ସମୀର । ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ୨୦୦୯ ପରଠୁ ଆଉ ନିର୍ବାଚନରେ ବିଜୟୀ ହୋଇପାରି ନଥିଲେ ସମୀର । ୨୦୦୯ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ଠାରୁ ପରାଜିତ ହୋଇଥିବା ବେଳେ, ୨୦୧୯ରେ ତୃତୀୟ ସ୍ଥାନରେ ରହିଥିଲେ । ଗତ ଜୁଲାଇ ମାସରେ ସେ ଫୁଟବଲ୍ ଆସୋସିଏସନ ଅଫ୍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ ବା ଫାଓର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ସମୀର ଦେ ୧୯୫୭ ମସିହା ଜାନୁଆରୀ ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅତୁଲ ପ୍ରସାଦ ଦେ ଓ ପତ୍ନୀଙ୍କ ନାମ ଦୀପିକା ଦତ୍ତ ରାୟ । ଓକିଲାତି କରିବା ପରେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ସମୀର ଦେ ।