ବିଜେଡି ବିରୋଧରେ କହିବା ବିଜେପିର ଅଭ୍ୟାସ ହୋଇଗଲାଣି: ବିଜେଡି

ଭୁବନେଶ୍ବର: ଓଡ଼ିଶାକୁ ବିକାଶ ଦିଗରେ ଆଗେଇ ନେବାକୁ ଶାସକ ବିଜେପି କାମ କରୁ । ବିରୋଧୀ ଦଳରେ ଥିବା ବେଳେ ବିଜେପି ଯେଉଁ ସବୁ ଦାବି କରୁଥିଲା, ତାହାକୁ ପୂରଣ କରୁ । ଏବେ ଶାସକ ଗାଦିକୁ ଆସିବା ପରେ ବିଜେପିର ଅଭ୍ୟାସ ହୋଇଯାଇଛି, ପ୍ରତ୍ୟେକ ଦିନ ବିଜେଡ଼ି ବିରୋଧରେ ବୟାନବାଜି କରିବା । ବିଜେପିର ଏପରି ଆଭିମୁଖ୍ୟ ପାଇଁ ୫ ମାସ ଭିତରେ ଓଡ଼ିଶାବାସୀ ସରକାରରୁ ମୁହଁ ଫେରାଇଲେଣି ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ । ସେ କହିଛନ୍ତି, ବିଜେଡ଼ି ସଶକ୍ତ ବିରୋଧୀ ଦଳ ଭାବେ ନିଜର ଦାୟିତ୍ଵ ତୁଲାଇ ଜନତାଙ୍କ ସ୍ଵର ସାଜିଛି । ବିଜେପି କିନ୍ତୁ ବିଜେଡ଼ି ନେତାଙ୍କ ଅଭିଯୋଗର କଡ଼ା ଜବାବ ଦେଇ କହିଛି, ବିରୋଧୀ ଗଠନମୂଳକ ପ୍ରସ୍ତାବ ଦେବା ଆବଶ୍ୟକ । ଏହାକୁ ନେଇ ଉଷ୍ଣ ହୋଇଛି ରାଜ୍ୟ ରାଜନୀତି ।

୫ ମାସର ବିଜେପି ସରକାରର କାମକୁ ନେଇ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି, ଏଥର ବିଜେପିକୁ ଓଡ଼ିଶାବାସୀ ଦାୟିତ୍ଵ ଦେଇଥିଲେ । କିନ୍ତୁ ୫ ମାସ ହେଲା କେଉଁଠି ବି କାମ ହୋଇପାରୁନାହିଁ । ଲୋକେ ଏହା ବୁଝିଲେଣି । ଧୀରେ ଧୀରେ ସେମାନେ ବିଜେପି ସରକାରରୁ ମୁହଁ ଫେରାଇଲେଣି । ଭାରତରେ ପ୍ରଥମ ଥର ସରକାର ଗଠନ ହେବାର ମାତ୍ର ୫ ମାସ ପରେ ଏପରି ସ୍ଥିତି ଦେଖିବାକୁ ମିଳୁଛି ।  ନିର୍ବାଚିତ ସରକାର ପ୍ରତି ଲୋକେ ମୁହଁ ଫେରାଇବା ଭାରତ ରାଜନୀତିର ଏକ କେସଷ୍ଟଡି ହେବ ବୋଲି ବିଜେପି ସରକାରକୁ କଟାକ୍ଷ କରି କହିଛନ୍ତି ବିଜେଡ଼ିର ବରିଷ୍ଠ ବିଧାୟକ ଅରୁଣ ସାହୁ ।

ବିଜେପି ବିରୋଧୀ ଦଳରେ ଥିବା ବେଳେ ଯେଉଁ ସବୁ ଦାବି ପୂରଣ ଓ ବିକାଶ ପାଇଁ ସ୍ଵର ଉଠାଉଥିଲା ତାହାକୁ ଏବେ ପୂରଣ କରୁ ବୋଲି ସେ ପରାମର୍ଶ ଦେଇଛନ୍ତି । ପ୍ରତ୍ୟେକ ଦିନ ବିଜେଡ଼ି ବିରୋଧରେ ଅପ୍ରଚାରର ଅଭ୍ୟାସ ଛାଡ଼ି ଓଡ଼ିଶାବାସୀ ଦେଇଥିବା ଦାୟିତ୍ବ  ଠିକ୍ ଭାବେ ସଂପାଦନ କରିବାକୁ ଓ ଓଡ଼ିଶାକୁ ଆଗେଇ ନେବାକୁ ପରାମର୍ଶ ଦେଇଛି ବିଜେଡି ।

୨୦୨୪ ନିର୍ବାଚନରେ ବିଜେପିଠାରୁ ଅଧିକ ଭୋଟ ପାଇଛି ବିଜେଡି । ତୃଣମୂଳସ୍ତରେ  ସଂଗଠନ ମଜବୁତ ରହିଛି । ପ୍ରଥମ ଥର ଲାଗି ଓଡ଼ିଶା ବିଧାନସଭାରେ ସଶକ୍ତ ବିରୋଧୀ ଦଳର ଭୂମିକା ସଂପାଦନ କରୁଛି  ବିଜେଡ଼ି । ୫୧ ଜଣ ବିଧାୟକ ବିଧାନସଭାରେ ଓଡ଼ିଶାବାସୀଙ୍କ ସ୍ଵର ସାଜିଛନ୍ତି । ତେଣୁ ବିଜେଡ଼ିକୁ କେହି କେବେ ଭାଙ୍ଗିପାରିବେ ନାହିଁ ବୋଲି ବିଜେଡ଼ି ବିଧାୟକ କଳିକେଶ ସିଂହଦେଓ କହିଛନ୍ତି ।

ଶାସନରେ ଥିବା ବେଳେ ବିଜେଡ଼ି ଯେପରି ଜନସେବା କରୁଥିଲା, ବିରୋଧୀ ଦଳରେ ରହି ମଧ୍ୟ ଲୋକଙ୍କ ସ୍ବର ସାଜି ଶାଣିତ ଆକ୍ରମଣ କରୁଛି ସରକାରଙ୍କୁ । ଏହାସହ ସଦସ୍ୟ ଅଭିଯାନ ଓ ସାଂଗଠନିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ଆଗକୁ ବିଜେଡ଼ି ସୁପ୍ରିମୋ ଜିଲ୍ଲା ଗସ୍ତ କରି ତୃଣମୂଳସ୍ତରରେ ସଂଗଠନ କଥା ସମୀକ୍ଷା କରିବେ, ଲୋକଙ୍କ ସମସ୍ୟା ବୁଝି ସମାଧାନ କରିବେ । ବିଜେଡିରେ ଏହା ଶକ୍ତି ଭରି ଦେଇଥିବା ବେଳେ ଶାସକ ବିଜେପି ଚିନ୍ତାରେ ପଡ଼ିଛି ।