ଏଲଟିଆର ପୋଷ୍ଟ ନିଯୁକ୍ତି ବିଜ୍ଞାପନ ସ୍ଥଗିତ ପରେ ତେଜିଲା ଆନ୍ଦୋଳନ
1 min readଭୁବନେଶ୍ବର: ଲିଭ ଟିଚର ରିଜର୍ଭ (ଏଲଟିଆର) ପୋଷ୍ଟ ପାଇଁ ଗୋଟିଏ ଦିନ ପୂର୍ବରୁ ନିଯୁକ୍ତି ବିଜ୍ଞାପନ ସରକାର ସ୍ଥଗିତ କରିବାକୁ ନେଇ ତେଜିଲା ଆନ୍ଦୋଳନ । ଏହାର ପ୍ରତିବାଦରେ ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା ହାଇସ୍କୁଲ ଶିକ୍ଷକ ଆଶାୟୀ ସଂଘ । ତିନି ପ୍ରମୁଖ ଦାବି ନେଇ କରୁଛନ୍ତି ବିକ୍ଷୋଭ ।
ସରକାର ଏଲଟିଆର ପାଇଁ ଆବେଦନ ତାରିଖ ଚଳିତ ମାସରେ ପ୍ରକାଶ କରିବାକୁ ସଂଘ ଦାବି କରିଛି । ସେହିପରି OSSC ଦ୍ବାରା ପ୍ରକାଶ ପାଇଥିବା ବିଜ୍ଞାପନରେ କୌଣସି ପରିବର୍ତ୍ତନ ନକରିବା ସହ OSSC ଦ୍ବାରା TGT-LTR ପରୀକ୍ଷାରେ ସ୍ବଚ୍ଛତା ବଜାୟ ରଖିବା, ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେବା ପାଇଁ ସଂଘ ଦାବି କରିଛି ।
୨୦୨୪ ଅଗଷ୍ଟ ଓ ସେପ୍ଟେମ୍ବରରେ ସଂଘ ତରଫରୁ ଦୁଇ ଦୁଇ ଥର ଆନ୍ଦୋଳନ ପରେ ରାଜ୍ଯ ସରକାର ଏଲଟିଆର ପୋଷ୍ଟ ପାଇଁ ବିଜ୍ଞାପନ ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଦ୍ବାରା ରିଲିଜ କରିଥିଲେ । ହେଲେ ଶେଷ ତାରିଖ ଗୋଟିଏ ଦିନ ପୂର୍ବରୁ ଏହାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଥଗିତ କରି ଦିଆଯିବାରୁ ଆନ୍ଦୋଳନ କରିଛି ସଂଘ । ଏହାମଧ୍ୟରେ ସଂଘର ବହୁତ ଛାତ୍ରଛାତ୍ରୀ, ବିଭିନ୍ନ ଅଧିକାରୀ ଓ ମନ୍ତ୍ରୀଙ୍କୁ ଦେଖା କରିଥିଲେ ମଧ୍ୟ ତାଙ୍କଠାରୁ କୌଣସି ସ୍ପଷ୍ଟ ଉତ୍ତର ମିଳି ନଥିଲା । ଯାହାର ପ୍ରତିବାଦରେ ଆଜି ଭୁବନେଶ୍ୱର ଲୋଏର ପିଏମଜିରେ ପୁନର୍ବାର ଆନ୍ଦୋଳନ କରିଛି ସଂଘ ।
ସୂଚନାଯୋଗ୍ଯ, ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ରେ ଏଲଟିଆର ପଦବୀ ନୂତନ ଭାବେ ପ୍ରକାଶ କରିଥିଲେ । ଯାହାକୁ ମୋହନ ମାଝୀ ସରକାର କାଟି ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି ।