spot_img

Latest Posts

ଫାଇଲ ଯାଉଛି ରକେଟ ବେଗରେ, ଅଟକି ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ..

ନନ୍ଦିଘୋଷ ବ୍ୟୁରୋ: ଦୁର୍ନୀତି ନିବାରଣ ପାଇଁ ସ୍ଲୋଗାନ ହେଉଛି, ହେଲେ ଲୋକାୟୁକ୍ତ ନିଯୁକ୍ତି ହୋଇପାରୁନି। ସମସ୍ତଙ୍କୁ ସୂଚନା ଦେବା କଥା କୁହାଯାଉଛି, କିନ୍ତୁ ରାଜ୍ୟର ମୁଖ୍ୟ ସୂଚନା କମିଶନର ପଦବୀ ଖାଲି। ଓଡ଼ିଆ ଅସ୍ମିତାର ଭାଷଣ ହେଉଛି, ହେଲେ ସଂସ୍କୃତି ବିଭାଗ ଅଧୀନରେ ଥିବା ସାହିତ୍ୟ ଏକାଡ଼େମୀ, ସଙ୍ଗୀତ ଏକାଡ଼େମୀ, ଲଳିତ କଳା ଏକାଡ଼େମୀରେ କେହି ମୁଖିଆ ନାହାନ୍ତି। ଗୁରୁତ୍ବପୂର୍ଣ୍ଣ ପଦବୀ ଖାଲି ପଡ଼ିଥିବାରୁ କାମ ଆଗେଇ ପାରୁନାହିଁ। ପ୍ରାଶାସନିକ ସ୍ଥାଣୁତାର ଅନୁଭବ ହେଲାଣି। ସରକାରଙ୍କ ଏପରି ଆଭିମୁଖ୍ୟକୁ ବିଶେଷଜ୍ଞ ସମାଲୋଚନା କରିଛନ୍ତି।

ନିଷ୍ପତ୍ତି ନେବାରେ ଅହେତୁକ ବିଳମ୍ବ । ଫାଇଲ ଯାଉଛି ରକେଟ ବେଗରେ, ଅଟକି ଯାଉଛି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ । ପୂରଣ ହୋଇପାରୁନି ସାମ୍ବିଧାନିକ ପଦବୀ। ଘୋଷଣା ଅନେକ, ହେଲେ ବାସ୍ତବତା ବହୁ ପଛରେ। ଦୁର୍ନୀତି ମାମଲାର ତ୍ବରିତ ବିଚାର ପାଇଁ ଥିବା ଲୋକାୟୁକ୍ତ ଏବେ ସମ୍ପୂର୍ଣ୍ଣ ଅଚଳ। ନା ଅଛନ୍ତି ଲୋକପାଳ ନା ସଦସ୍ୟ। ୫୦୦ରୁ ଅଧିକ ମାମଲା ବିଚାର ହୋଇପାରୁନି କି ନୂଆ ମାମଲା ଗ୍ରହଣ ହେଉନାହିଁ। ଲୋକାୟୁକ୍ତ କିଏ ହେବେ, ନିଷ୍ପତ୍ତି ହୋଇପାରୁନାହିଁ। ବସିପାରୁନି ଚୟନ କମିଟି ବୈଠକ। ସେହିପରି ମୁଖ୍ୟ ସୂଚନା କମିଶନରଙ୍କ ପଦ ମଧ୍ୟ ଖାଲି। ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ କରିବାରେ ସୂଚନା କମିଶନରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ। କିନ୍ତୁ ଭାରପ୍ରାପ୍ତରେ ଚାଲିଛି ମୁଖ୍ୟ ପଦବୀ। ସେହିପରି ମାନବିକ ଅଧିକାର କମିଶନରେ ସଚିବ ପଦ ଫାଙ୍କା । ସରକାରଙ୍କ ଇଚ୍ଛା ଅନୁସାରେ ଯିଏ ଚାଲିବ, ସେମିତି ଲୋକଙ୍କୁ ଖୋଜା ଚାଲିଥିବାରୁ ଏହି ସବୁ ପଦବୀ ପୂରଣରେ ବିଳମ୍ବ ହେଉଥାଇପାରେ ବୋଲି ସମାଲୋଚନା କରିଛନ୍ତି ବିଶେଷଜ୍ଞ । ସେମାନେ କହିଛନ୍ତି, ସରକାର ଚଳଚଞ୍ଚଳ ଅଛି ବୋଲି ଖାଲି କଥାରେ ନୁହେଁ କାମରେ କରି ଦେଖାଇବାକୁ ପଡ଼ିବ।

ଓଡ଼ିଆ ଅସ୍ମିତାର ସ୍ଲୋଗାନ ଦିଆଯାଉଛି, ହେଲେ ସଂସ୍କୃତି ବିଭାଗ ଅଧୀନରେ ଥିବା ସବୁ ଏକାଡ଼େମୀରେ କେହି ମୁଖିଆ ନାହାନ୍ତି। ସେହି ସବୁ ଅନୁଷ୍ଠାନ ଏକପ୍ରକାର ଅଚଳ। ଏହା ଉପରେ ସରକାର ଗୁରୁତ୍ବ ଦେଲା ଭଳି ଅନୁଭବ ହେଉନାହିଁ। ପାରିବାରିକ ହିଂସା ବା ନିର୍ଯାତନା ବିରୋଧରେ ମହିଳାଙ୍କୁ ନ୍ୟାୟ  ଦେଉଥିବା ମହିଳା କମିଶନ ବି ଅଚଳ। ଲୋକାୟୁକ୍ତ ପଦବୀ ଖାଲି ପଡ଼ିବା ଉପରେ ଆଇନ ମନ୍ତ୍ରୀ କହିଛନ୍ତି, ଆଗକୁ ରାଜ୍ୟରେ ଲ କମିଶନ ଗଠନ ହେବ। ଲୋକାୟୁକ୍ତଙ୍କ ପରି କ୍ବାସି-ଜୁଡ଼ିସିଆରୀ ବଡ଼ି ଦୁଇ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ରାଜ୍ୟରେ ବିଜେପି ସରକାର ଗଠନକୁ ୫ ମାସରୁ ଅଧିକ ବିତିଲାଣି। ଲୋକାଭିମୁଖୀ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପାଇଁ ସ୍ଲୋଗାନ ଦିଆଯାଉଛି ସତ, ହେଲେ ଏହାର କାର୍ଯ୍ୟକାରିତା ସେହି ଅନୁସାରେ ପ୍ରତିଫଳିତ ହେଉନାହିଁ।

Latest Posts

Don't Miss