ମୁକୁଳା ପଡ଼ିଛି ରାଜ୍ୟ ସୀମା, ଧର୍ମଗଡ଼ରେ ସକ୍ରିୟ ପଡ଼େଶୀ ଛତିଶଗଡ଼ର ଧାନ ଦଲାଲ

1 min read

ନନ୍ଦିଘୋଷ ବ୍ୟୁରୋ: ମୁକୁଳା ପଡ଼ିଛି ସୀମାନ୍ତ ଗେଟ। ଧାନର ଚୋରା ଚାଲାଣ ରୋକିବାରେ ରାଜ୍ୟ ସରକାର ବିଫଳ। ମଣ୍ଡିରେ ଧାନ କିଣା ଆରମ୍ଭ ନହେଉଣୁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ରେ ସକ୍ରିୟ ହୋଇପଡ଼ିଛନ୍ତି ଛତିଶଗଡ଼ର ଦଲାଲ। ପାଣି ଖଣି ପରେ ଏବେ ଧାନ ଉପରେ ନଜର ପକାଇଛନ୍ତି ସେମାନେ। ମଣ୍ଡି ଆରମ୍ଭ ନ ହେଉଣୁ ଅଣ୍ଡର ରେଟରେ ଛଟିଶଗଡକୁ ଧାନ ଚୋରା ଚାଲାଣ ଆରମ୍ଭ ହୋଇଯାଇଛି। ଧାନ କିଣି ଦଲାଲ ମାଲେମାଲ ହେଉଥିବା ବେଳେ ଚାଷୀ ତା ପରିଶ୍ରମର ଉଚିତ ମୂଲ୍ୟ ପାଉନି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରୁ ଆସିଛି ଏଭଳି ଅଭିଯୋଗ ।

ଚାଲିଛି ଧାନ ଅମଳ । କେହି ଧାନ କାଟିବାରେ ବ୍ୟସ୍ତ ତ ଆଉ କେହି ଚାଷୀ, କଟା ଧାନକୁ ଅମଳ କରିବାକୁ ଲାଗି ପଡ଼ିଛନ୍ତି । ବେଙ୍ଗଳା, ଧ୍ରେଶର ସାହାଯ୍ୟରେ ନିଜର କଷ୍ଟଉପାର୍ଜିତ ଫସଲକୁ ଅମଳ କରି ବସ୍ତାରେ ଭର୍ତ୍ତି କରି ରଖୁଛନ୍ତି । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଅଞ୍ଚଳରେ ଚଳିତ ବର୍ଷ ୫୦ ପ୍ରତିଶତ ଧାନ ଅମଳ ସରିଗଲାଣି । କିଛି ଚାଷୀ ଅମଳ ଧାନକୁ ଘରେ ସାଇତି ରଖିଛନ୍ତି ତ ଆଉ କେହି ଚାଷୀଙ୍କ ଧାନ ଜାଗା ଅଭାବରୁ ଖୋଲା ଆକାଶ ତଳେ ପଡ଼ିରହିଛି । ତେବେ ନଭେମ୍ଵର ତୃତୀୟ ସପ୍ତାହ ଶେଷ ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇ ନାହିଁ କି ଚାଷୀଙ୍କୁ ଟୋକନ ମଧ୍ୟ ମିଳିନାହିଁ । ବାଧ୍ୟହୋଇ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନକୁ କମ୍ ଦାମରେ ଦଲାଲ ହାତକୁ ଟେକି ଦେଉଛି l ଛତିଶଗଡର ଦଲାଲମାନେ ଧର୍ମଗଡ଼ ଗାଁରେ ପଶି ଧାନ କ୍ଵିଣ୍ଟାଲ ପିଛା ୨୧ଶହରୁ ୨୨ଶହ କିଣି ଛତିଶଗଡ଼ ନେଇଯାଉଥିବା ଅଭିଯୋଗ ହୋଇଛି ।

ଚଳିତ ଖରିଫ ଋତୁରେ ଧର୍ମଗଡ଼ କୃଷି ଜିଲ୍ଲାର ଗୋଲାମୁଣ୍ଡା, ଧର୍ମଗଡ଼ ଓ କୋକସରା ବ୍ଲକ ଜଳ ସେଚିତ ଓ ଅଣ ଜଳ ସେଚିତରେ ପ୍ରାୟ ୬୦ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ବର୍ତ୍ତମାନ ସୁଦ୍ଧା ୫୦ପ୍ରତିଶତ ଧାନ ଅମଳ ଶେଷ ହୋଇଥିବା ବେଳେ ଧାନ ବିକ୍ରି କରିବାକୁ ମଣ୍ଡି ଖୋଲିବାକୁ ଅପେକ୍ଷା କରିଛନ୍ତି ଚାଷୀ । ଚଳିତ ଖରିଫ ଋତୁରେ ଚାଷୀଙ୍କୁ କ୍ଵିଣ୍ଟାଲ ପିଛା ୩୧ଶହ ଦେବାକୁ ଘୋଷଣା ସାଙ୍ଗକୁ ମନ୍ତ୍ରୀ ଓ ବିଜେପି କୃଷକ ମୋର୍ଚ୍ଚା ମଣ୍ଡି ଜଗିବ ବୋଲି ଘୋଷଣା କରିଥିଲେ । ପଡ଼ୋଶୀ ରାଜ୍ୟର ଦଲାଲଙ୍କ ଉପରେ ନଜର ରଖାଯିବ ବୋଲି ସରକାର କହିଥିଲେ ।

ତେବେ ଛଟିଶଗଡର ଦଲାଲ ଧର୍ମଗଡ଼ରେ ପଶି ଧାନ କିପରି କିଣିନେଉଛନ୍ତି । ଚଳିତ ବର୍ଷ ୨୯ ତାରିଖରୁ ଗୋଲାମୁଣ୍ଡା ବ୍ଲକରେ ମଣ୍ଡିଖୋଲି ଧାନ କିଣା ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । କେଉଁଠି କିଛି ସମସ୍ୟା ହେଲେ ଆପ୍ ମାଧ୍ୟମରେ ଚାଷୀ ତାଙ୍କର ଅଭିଯୋଗ ଜଣାଇପାରିବେ ବୋଲି କହିଛନ୍ତି ଜିଲ୍ଲାପାଳ । ମଣ୍ଡି ଆରମ୍ଭ ନ ହେଉଣୁ ଧର୍ମଗଡ଼ରେ ଛତିଶଗଡ଼ ଧାନ ଦଲାଲ ସକ୍ରିୟ ହୋଇପଡ଼ିଛନ୍ତି । ଛଟିଶଗଡକୁ ଧାନ ଚୋରା ଚାଲାଣ ହେବା ମୋହନ ତଥା ଡବଲ ଇଞ୍ଜିନ ସରକାରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।