ସାଲେପୁର ବ୍ଲକ ଏଲମାପୁରରେ ବାଟବଣା ଯୋଜନା
1 min readନନ୍ଦିଘୋଷ ବ୍ୟୁରୋ: ଗମନାଗମନର ସୁବିଧା ପାଇଁ ଗାଁଠାରୁ ସହର ସବୁଠାରେ ପକ୍କା ଓ ପିଚୁ ରାସ୍ତା ନିର୍ମାଣ ହେଉଛି । ଏଥିପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । କିଛି ଅସାଧୁ ଠିକାଦାରଙ୍କ ପାଇଁ ଦିଗହରା ହେଉଛି ଯୋଜନା । ବିଭାଗୀୟ ଅଧିକାରୀଙ୍କ ଦାୟିତ୍ଵହୀନତା ଯୋଗୁଁ ନିମ୍ନମାନର କାମ କରି ଟଙ୍କା ମାଲେମାଲ ହେଉଛନ୍ତି ଠିକାଦାର ।
ସେପଟେ ପିସି ନେଇ ସରକାରୀ ବାବୁଙ୍କର ମଧ୍ୟ ପକେଟ ଗରମ ହେଉଛି । ଅନେକ ସମୟରେ ରାସ୍ତା ନିର୍ମାଣ ପରେ ବର୍ଷା କି ୨ ବର୍ଷ ମଧ୍ୟ ମଧ୍ୟ ରାସ୍ତା ଯାଉନାହିଁ । ଯାହାପାଇଁ ସାଧାରଣ ଲୋକଙ୍କୁ ସମସ୍ୟା ଭୋଗିବାକୁ ପଡୁଛି । ଦୀର୍ଘ ବର୍ଷର ଦାବି ଓ ଅପେକ୍ଷା ପରେ କଟକ ଜିଲ୍ଲା ସାଲେପୁର ବ୍ଲକ ଏଲମା ପୁର ଓସ୍ତ ଛକଠାରୁ ମହନାପୁର୍ ରାସ୍ତା କାମ ଆରମ୍ଭ ହୋଇଛି । ହେଲେ ନିର୍ମାଣ କାମ ନିମ୍ନମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।
କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟଉନ୍ନୟନ ବିଭାଗ ଦ୍ୱାରା ହେଉଥିବା ରାସ୍ତା । ଏଲମା ପୁର ଓସ୍ତ ଛକଠାରୁ ମହନାପୁର୍ କାଳୀ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର ବ୍ୟାପୀ ରାସ୍ତା ନିର୍ମାଣ ହେଉଛି । ରାସ୍ତା କାମ ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ୯ ଇଞ୍ଚ ପରିବର୍ତ୍ତେ ଅଢେଇରୁ ୩ ଇଞ୍ଚ ମଧ୍ୟରେ ମେଟାଲ ବିଛାଯାଇଛି, ତାହା ପୁଣି ନିମ୍ନ ମାନର ମେଟାଲ । ରୋଲିଂ ହୋଇନାହିଁ କି ପାଣି ମଧ୍ୟ ସିଞ୍ଚନ କରାଯାଇନାହିଁ । ଏହା ଉପରେ କଣ୍ଟ୍ରାକ୍ଟର ପିଚୁ ବିଛେଇବାକୁ ଯୋଜନା କରୁଛି ।
ବିଭାଗୀୟ ଅଧିକାରୀ କାମ ବେଳେ ଅନୁପସ୍ଥିତ ରହୁଥିବା ବେଳେ ଠିକାଦାର ମନମୁଖି କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ରାସ୍ତାରେ ଖାଲି ନାମକୁ ମାତ୍ର ଡଷ୍ଟ ଓ ଗୋଡ଼ି ଛିଞ୍ଚି ତରବରିଆ ଭାବେ କାମ ହେଉଛି l ଯାହା ଫଳରେ କମ ଦିନରେ ରାସ୍ତା ଖରାପ ହୋଇଯିବ । ସେପଟେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାସ୍ତା କାମ ଅତି ନିମ୍ନମାନର ହେଉଥିବା ବେଳେ ରାଜକୋଶ ଅର୍ଥ ହଡ଼ପ ହେଉଥିବା ଗ୍ରାମବାସୀ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଏହି ରାସ୍ତା ଦେଇ ପ୍ରତି ଦିନ ସରକାରୀ ଅଧିକାରୀ, ମନ୍ତ୍ରୀ ବିଧାୟକଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ଯାତାୟାତ କରିଥାନ୍ତି । ଦୀର୍ଘ ବର୍ଷ ଧରି ଏହି ରାସ୍ତା ଅତି ଦୟନୀୟ ହୋଇପଡ଼ିଥିଲା । ବାରମ୍ବାର ଦାବି ପରେ ନୂତନ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା । କାମ ମଧ୍ୟ ଆରମ୍ଭ ହେଲା । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ସଲାସୁତାରରେ କାର୍ଯ୍ୟ ନିମ୍ନ ମାନର ହେଉଛି l
ରାସ୍ତାଟି କେତେ ଟଙ୍କାର ଅଟକଳ ଫଳକ ନଥିବା ବେଳେ ବିଭାଗୀୟ ଅଧିକାରୀ ମଧ୍ୟ କାର୍ଯ୍ୟସ୍ଥଳକୁ ଆସୁନାହାନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକେ । ଏ ବାବଦରେ ଆମେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ ସେହି ଚିରା ଚରିତ ଢଙ୍ଗରେ କ୍ୟାମେରା ସମ୍ମୁଖରେ କାର୍ଯ୍ୟ ଠିକ ଚାଲୁଛି, ବିଭାଗୀୟ କର୍ମଚାରୀ ମଧ୍ୟ ରହୁଛନ୍ତି ବୋଲି କହିଛନ୍ତି ।
ଗମନାଗମନର ସୁବିଧା ପାଇଁ ରାଜକୋଶରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ରାସ୍ତା ନିର୍ମାଣ ହେଉଛି । କିଛି ଅସାଧୁ ଠିକାଦାରଙ୍କ ପାଇଁ ଦିଗହରା ହେଉଛି ଯୋଜନା । ନିମ୍ନ ମାନର କାମ ଯୋଗୁଁ ସାଲେପୁର ବ୍ଲକ ଏଲମା ପୁର ଓସ୍ତ ଛକରୁ ମହନାପୁର୍ କାଳୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସ୍ଥାୟିତ୍ଵ ନେଇ ଉଠିଛି ପ୍ରଶ୍ନ ।