‘ସ୍ବର୍ଗଦ୍ବାରରେ ବିକ୍ରି ହେଉଥିବା ଘିଅ ପ୍ୟାକେଜିଙ୍ଗରେ ନାହିଁ ଉତ୍ପାଦନ ଓ ଏକ୍ସପାଏରୀ ଡେଟ୍’
ପୁରୀ: ଶ୍ରୀମନ୍ଦିର ଓ ଏହା ସହ ସଂପୃକ୍ତ ଅନୁଷ୍ଠାନରେ ବ୍ୟବହାର ହେଉଥିବା ଘିଅର ମାନକୁ ନେଇ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଛି । ସ୍ବର୍ଗଦ୍ବାରରେ ବିକ୍ରି ହେଉଥିବା ଘିଅର ମାନକୁ ନେଇ ଆମ୍ ଆଦମୀ ପାର୍ଟି ପ୍ରଶ୍ନ ଉଠାଇଛି । ଘିଅ କେଜି ପିଛା ୭୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପ୍ୟାକେଜିଙ୍ଗ ଉପରେ ଉତ୍ପାଦନ ଓ ଏକ୍ସପାଏରୀ ଦିନ ଲେଖା ନଥିବା ଅଭିଯୋଗ କରିଛି ଆପ୍ ।
ଏଭଳିକି ଘିଅ ଉପରେ ଏଫଏସଏସଏଆଇ ମାନ୍ୟତା ଲେଖାଥିଲେ ମଧ୍ୟ ଏହି ଘିଅ ବାସ୍ତବରେ ଏଫଏସଏସଏଆଇ ଦ୍ୱାରା ମାନ୍ୟତା ପ୍ରାପ୍ତ କି ନୁହେଁ, ସେନେଇ ପ୍ରଶ୍ନ ଉଠାଇଛି ଦଳ ।
ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ସ୍ବର୍ଗଦ୍ବାରକୁ ଘିଅ ଯୋଗାଇବା ପାଇଁ ଯେଉଁ ସଂସ୍ଥା ଟେଣ୍ଡର ନେଇଛି ତା’ ନାଁରେ ପୂର୍ବରୁ ଦୁର୍ନୀତି ଆରୋପ ଲାଗିଛି । ଘିଅ ଯୋଗାଣ ଗୋପ ଅଞ୍ଚଳର ମିଶନ ଶକ୍ତିକୁ ମିଳିଥିବାରୁ ଏଥିରେ ଏକ ବଡ଼ ଧରଣର ଜାଲିଆତି ହୋଇଥିବା ସନ୍ଦେହ କରାଯାଉଛି । ତେଣୁ ଘିଅର ଶୁଦ୍ଧତା ଯାଞ୍ଚ ସହ ମାନ ପରୀକ୍ଷା କରିବା ଦଳ ଦାବି କରିଛନ୍ତି । ଏହାସହ ୭ ଦିନ ମଧ୍ୟରେ ସ୍ପଷ୍ଟୀକରଣ ନଦେଲେ ଦଳ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।