ଦରଦାମ୍ ବୃଦ୍ଧିରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ
1 min readନନ୍ଦିଘୋଷ ବ୍ୟୁରୋ: ଦରଦାମ୍ ବୃଦ୍ଧିରେ ତ୍ରାହି ତ୍ରାହି ଡାକୁଛନ୍ତି ସାଧାରଣ ଲୋକେ। ଦର ବୃଦ୍ଧି ଏତେ ବଢ଼ିଲାଣିରେ ମରମକୁ ବାଧିଲାଣି। ପନିପରିବାଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ପଦାର୍ଥର ଦାମ୍ ଏତେ ବଢ଼ିଛି ଯେ, ମାସ ଅଧା ନ ହେଉଣୁ ପକେଟ ଖାଲି। କେବଳ ଯେ ଖାଉଟିଙ୍କୁ ବାଧୁଛି, ତାହା ନୁହେଁ ବ୍ୟବସାୟୀ ମଧ୍ୟ ହନ୍ତସନ୍ତ। ଏହାକୁ ନେଇ ବ୍ୟବସାୟୀ ସଂଘ ଶ୍ୱେତପତ୍ର ପ୍ରକାଶ କରିଛି। ଆସନ୍ତା ୨୧ ତାରିଖ ପରେ ସାରା ରାଜ୍ୟ ବୁଲି ଚାଷୀ, ବ୍ୟବସାୟୀ ଓ ସାଧାରଣ ଖାଉଟିଙ୍କ ସହ ବୈଠକ କରିବାକୁ ବ୍ୟବସାୟୀ ମହାସଂଘ ନେଇଛି ନିଷ୍ପତ୍ତି। କରିବାକୁ ନିଷ୍ପତ୍ତି ନେଇଛି। ଏହି ସମୟରେ ଦରଦାମ ବୃଦ୍ଧିର କାରଣ ଓ ଏଥିପାଇଁ କିଏ ଦାୟୀ, ତାହାର ଖୁଲାସା କରାଯିବ।
ଦରଦାମ୍ ବୃଦ୍ଧିକୁ ନେଇ ରାଜ୍ୟର ବ୍ୟବସାୟୀ ମହାସଂଘର ଶ୍ଵେତପତ୍ର। ଏଥିରେ ସଂଘ ଅଭିଯୋଗ କରିଛି – ଦରଦାମ ନିୟନ୍ତ୍ରଣ ପାଇଁ ସରକାର କିଛି କରୁ ନାହାନ୍ତି। ବରଂ କର୍ପୋରେଟ ହାଉସ୍ ସ୍ଵାର୍ଥକୁ ଗୁରୁତ୍ଵ ଦେଉଛନ୍ତି। ସରକାର ଓ କର୍ପୋରେଟ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଖାଉଟି, ଚାଷୀ ଓ ବ୍ୟବସାୟୀ ହନ୍ତସନ୍ତ। ପ୍ରତିବାଦରେ ଆସନ୍ତା ୨୧ ଓ ୨୨ ପରେ ରାଜ୍ୟ ବ୍ୟବସାୟୀ ମହାସଂଘ ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିବ। ଉତ୍ତର ଓଡ଼ିଶାରୁ ଆରମ୍ଭ ହେବ ଅଭିଯାନ। ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନେଇ କରାଯିବ ବୈଠକ।
ଦରଦାମ ବୃଦ୍ଧିର ପ୍ରକୃତ କାରଣ କଣ ଓ ଏଥିପାଇଁ ଦାୟୀ କିଏ, ଏହାର ଖୁଲାସା କରିବ ବ୍ୟବସାୟୀ ମହାସଂଘ। ସୁଧାକର ପଣ୍ଡା ଦାବି କରିଛନ୍ତି, ଦରଦାମ ବୃଦ୍ଧିର ମୁଖ୍ୟ କାରଣ ସାଜିଥିବା କର୍ପୋରେଟ ହାଉସକୁ ଆଇନ ପରିସରକୁ ଆଣନ୍ତୁ ସରକାର। ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ସରକାର ଆକ୍ରୋଶ ମୂଳକ ପଦକ୍ଷେପ ନେଲେ ବରଦାସ୍ତ କରାଯିବ ନାହିଁ। ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ଆଲୋଚନା କରିବାକୁ ୨ ମାସ ତଳେ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ବ୍ୟବସାୟୀ ମହାସଂଘ। କିନ୍ତୁ ସରକାର ସହଯୋଗ କରିନଥିବା ସୁଧାକର ପଣ୍ଡା ଅଭିଯୋଗ କରିଛନ୍ତି।
ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଜେପି ସରକାରର ବିଫଳତା ଓ ଅନ୍ୟ ଜନମାରଣ ନୀତି ବିରୋଧରେ ସିପିଆଇ ମଧ୍ୟ ରାଜ୍ୟବ୍ୟାପୀ ସଂଗ୍ରାମ କରିବାକୁ ନିଷ୍ପତ୍ତି ନେଇଛି। ଏ ନେଇ ଦଳର ସାଙ୍ଗଠନିକ ସମ୍ମିଳନୀରେ ହୋଇଛି ଆଲୋଚନା। ସିଟିଜେନସ ଫୋରମ୍ ବି କହିଛି-ଦରଦାମ ନିୟନ୍ତ୍ରଣ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ। ଏହାକୁ ସରକାର ତୁରନ୍ତ ଗୁରୁତ୍ୱର ସହ ନିଅନ୍ତୁ, ଦରଦାମ କମାନ୍ତୁ। ଲୋକଙ୍କ କଷ୍ଟକୁ ସରକାର ଅଣଦେଖା କରନ୍ତୁ ନାହିଁ ବୋଲି କୁହାଯାଇଛି।
ଦରଦାମ ବୃଦ୍ଧିର କଷ୍ଟ ପ୍ରତ୍ୟେକ ବର୍ଗର ଲୋକେ ଭୋଗୁଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ତ ଦୂରର କଥା, ଏ ସମ୍ପର୍କରେ ସବୁ ବର୍ଗର ଲୋକଙ୍କ ସହ ଆଲୋଚନା ମଧ୍ୟ କରାଯାଉ ନାହିଁ, ଏହାକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି।