ଫ୍ଲପ ମାରୁଛି ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ମେକ୍ ଇନ୍-ଇଣ୍ଡିଆ ନୀତି

1 min read

ନନ୍ଦିଘୋଷ ବ୍ୟୁରୋ: କମୁଛି ରପ୍ତାନୀ, ବଢୁଛି ଆମଦାନୀ । ଅନ୍ୟଦେଶ ଉପରେ ଭାରତର ନିର୍ଭରଶୀଳତା ଏତେ ହେଲାଣି ଯେ ବାଣିଜ୍ୟିକ ନିଅଣ୍ଟ ସବୁ ସୀମା ପାର୍ କରିଛି । କାମ ଦେଉନି ଷ୍ଟାର୍ଟ୍ ଅପ୍ ଇଣ୍ଡିଆ, ମେକ୍ ଇନ୍-ଇଣ୍ଡିଆ ନୀତି । ବିଶ୍ବ ମାନ୍ଦାବସ୍ଥା ପ୍ରଭାବ ଏବେ ଧୀରେ ଧୀରେ ଦେଶର ଅର୍ଥନୀତିକୁ ଗ୍ରାସ କରୁଛି। ଶିଳ୍ପପତିଙ୍କ ଅଭିଯୋଗ ଦେଶର ଇଜ୍-ଅଫ-ଡୁଇଙ୍ଗ ଏ ପର୍ଯ୍ୟନ୍ତ ଆଶାଜନକ ଉନ୍ନତି କରିପାରିନି । ଏନଫୋର୍ସ୍ମେଣ୍ଟ ଏଜେନସିଙ୍କ ମାତ୍ରାଧିକ ଚେକିଂ ବ୍ଲକିଂ ଯୋଗୁ ବର୍ଷକର ୯ ମାସ ଖାତା ସଜାଡିବାରେ ଲାଗୁଛି । ସରକାରୀ ନୀତି ଏପରି ଯେଉଁଥିରେ ବଡ଼ ବଡ଼ କର୍ପୋରେଟ ସଂସ୍ଥାଙ୍କ ଆଗରେ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀ ତିଷ୍ଟି ପାରୁନାହାନ୍ତି ।

ଆତ୍ମନିର୍ଭର ଭାରତ ନା ଅନ୍ୟଦେଶ ଉପରେ ନିର୍ଭରଶୀଳ ଭାରତ ! ଦେଶର ଆମଦାନୀ ସବୁ ସୀମା ପାର୍ କରିଛି । ଗ୍ରାସକଲାଣି ଦେଶର ବାଣିଜ୍ୟ ନିଅଣ୍ଟ । ଖାଲି ହେଉଛି ବିଦେଶୀ ମୁଦ୍ରା ଭଣ୍ଡାର । କେନ୍ଦ୍ର ସରକାରଙ୍କ ନାରା ଟ୍ରିଲିୟନ୍ ଅର୍ଥନୀତିର ଦେଶ ପାଲଟିଛି ଭାରତ । ଆମଦାନୀ ବୃଦ୍ଧି ଯୋଗୁ ଗଲା ଅକ୍ଟୋବରରେ ଦେଶର ବାଣିଜ୍ୟ ନିଅଣ୍ଟ ପହଞ୍ଚିଛି ୨୭.୧୪ ବିଲିୟନ୍ ଡଲାରରେ । ଯାହାକି ୨୦୨୪ ସେପ୍ଟେମ୍ବର ତୁଳନାରେ ୬.୩୪ ବିଲିୟନ ଡଲାର ଅଧିକ । ବିଦେଶରୁ ପେଟ୍ରୋଲ, ସୁନା ସମେତ ଅନ୍ୟ ଶିଳ୍ପ ସାମଗ୍ରୀ ଆମଦାନୀ ଏତେ ବଢିଛି ଯେ, ଚୀନ, ତାଇଓ୍ବାନ୍, ମାଲେସିଆ, ଆମେରିକାରୁ ଆମଦାନୀ ନ କଲେ ଦେଶରେ ଉତ୍ପାଦନ ଠପ୍ ହୋଇଯିବ ।

ଏଥିପାଇଁ ଶିଳ୍ପପତିଙ୍କ ଯୁକ୍ତି ଭିନ୍ନ ଭିନ୍ନ । ଇଜ୍ ଅଫ୍ ଡୁଇଙ୍ଗ ଭାରତରେ ଏ ପର୍ଯ୍ୟନ୍ତ ସବୁ ଉଦ୍ୟୋଗକୁ ସୁହାଇଲା ଭଳି ହେଉନାହିଁ । ତା ସଙ୍ଗେ ବିଭିନ୍ନ ସରକାରୀ ଏନଫୋର୍ସମେଣ୍ଟ୍ କର୍ତ୍ତୃପକ୍ଷ ବ୍ୟବସାୟୀ, ଶିଳ୍ପପତିଙ୍କୁ କାଗଜ ପତ୍ର ଠିକ୍ କରିବା ନାଁରେ ମାତ୍ରାଧିକ ହଇରାଣ କରୁଛନ୍ତି । ଭାରତରେ ଉତ୍ପାଦନ ଖର୍ଚ୍ଚ ଯେତିକି ବୃଦ୍ଧି ପାଇଛି ସେ କ୍ଷେତ୍ରରେ ଆମଦାନୀ ଶସ୍ତା ପଡ଼ୁଛି । ଭାରତୀୟ ଶିଳ୍ପ ଉତ୍ପାଦ ଅଧିକ ଦର ରହୁଥିବାରୁ ଅନ୍ତରାଷ୍ଟ୍ରୀୟ ବଜାରରେ ପ୍ରତିଯୋଗିତା କରିପାରୁନି । କେନ୍ଦ୍ର ସରକାରଙ୍କ ନୀତି ଏପରି କିଛି ମୁଷ୍ଟିମେୟ ବଡ଼ କର୍ପୋରେଟ୍ ସଂସ୍ଥାଙ୍କୁ ସୁହାଉଛି । ବାକି ଛୋଟ ଓ କ୍ଷୁଦ୍ର ଉଦ୍ୟୋଗୀ ସେମାନଙ୍କ ଉତ୍ପାଦ ପାଇଁ ବଜାର ସୁବିଧା ପାଇପାରୁନାହାନ୍ତି । ଅନ୍ୟପଟେ ଆଉ କେତେକ ଉଦ୍ୟୋଗୀ ଏହାର ସକାରାତ୍ମକ ଦିଗକୁ ଦେଖୁଛନ୍ତି ।

ଓଡ଼ିଶାରେ ପୂର୍ବ ସରକାର ସମୟରେ ଜେଏସ୍ଡବ୍ଲୁ ଇଭି ଶିଳ୍ପ ପାଇଁ ଏମ୍ଓୟୁ ସ୍ବାକ୍ଷର ହୋଇଥିଲା । ତତ୍କାଳୀନ ସରକାର ଏ ନେଇ ଜମି ମଧ୍ୟ ଆବଣ୍ଟନ କରିଥିଲେ । କିନ୍ତୁ ଜେସଡବ୍ଲୁ ଓଡ଼ିଶାରୁ ଏହି ପ୍ରକଳ୍ପକୁ ଉଠାଇ ନେଲାଣି । ସେହିପରି କେନ୍ଦ୍ରାପଡ଼ାରେ ନବୀନ ସରକାର ସମୟରେ ହୋଇଥିବା ନିପନ୍ ଆର୍ସେଲର ମିତ୍ତଲ କମ୍ପାନୀ ମଧ୍ୟ ଆନ୍ଧ୍ରକୁ ଚାଲିଗଲାଣି ।

ବିଶିଷ୍ଟ ଶିଳ୍ପୋଦ୍ୟୋଗୀଙ୍କ ଅଭିଯୋଗ ଲକ୍ଷାଧିକ କୋଟି ଟଙ୍କାର ପୁଞ୍ଜି ରାଜ୍ୟରୁ ଫେରିଯାଉଛି ଅଥଚ ଏବର ବିଜେପି ସରକାର ସେ ନେଇ କିଛି ବି ତତ୍ପରତା ଦେଖାଉ ନାହାନ୍ତି । ଏସବୁ ବହୁ ରାଷ୍ଟ୍ରୀୟ କମ୍ପାନୀ ପ୍ରତିଷ୍ଠା ହୋଇଥିଲେ ରାଜ୍ୟରେ ବହୁ ଲୋକଙ୍କୁ ରୋଜଗାର ମିଳିଥାନ୍ତା । ରାଜ୍ୟର ଅଭିବୃଦ୍ଧି ହେବା ସହ ଦେଶର ରପ୍ତାନୀ ଉପରେ ବଡ଼ ଫରକ ଆସିଥାନ୍ତା । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ନୀତି ଉପରେ ଆଉଥରେ ପୁନର୍ବିଚାର କରିବା ଦରକାର ।

ଯୋଜନା ଓ ନୀତି କରିବାରେ ନୀତି ନିର୍ଦ୍ଧାରକଙ୍କ ଅବହେଳା ନାହିଁ । କିନ୍ତୁ ବାସ୍ତବରେ ତାର ସଠିକ ରୂପାୟନ କଣ ହେଉଛି ତାକୁ ପରଖିବାକୁ କେବେ ବି ଆନ୍ତରିକତା ଦେଖାଇନାହାନ୍ତି  । ଦରଦାମ ଏତେ ବଢୁଲାଣି ଯେ, ସାଧାରଣ ଲୋକଟି ପରିବାର ଚଳାଇପାରୁନି । ରୋଜଗାର କଥା ତ ଛାଡ଼ । ଦେଶକୁ ଶିଳ୍ପ କ୍ଷେତ୍ରରେ ଆତ୍ମନିର୍ଭର କରିବାକୁ ହୁଏତ ଲାଗିପାରେ ଆଉ କିଛି ଦଶନ୍ଧି।