ସ୍ଵାମୀଙ୍କ ଜୀବନ ବଞ୍ଚାଇବାକୁ ସରୋଜିନୀଙ୍କ ସଂଘର୍ଷ
ନନ୍ଦିଘୋଷ ବ୍ୟୁରୋ: ସ୍ଵାମୀଙ୍କ ଜୀବନ ବଞ୍ଚାଇବାକୁ ସରୋଜିନୀଙ୍କ ସଂଘର୍ଷ । ଚିକିତ୍ସା ନିମନ୍ତେ ଅର୍ଥ ସାଜିଛି ବାଧକ । ବାହାଘର ବର୍ଷେ ପରେ ସ୍ଵାମୀଙ୍କ ୨ଟି କୀଡିନ ନଷ୍ଟ ହୋଇଯାଇଥିବା ନେଇ ଜାଣିବାକୁ ପାଇଥିଲେ । ସ୍ଵାମୀଙ୍କୁ ଭଲ କରିବା ପାଇଁ ନିଜର ସମସ୍ତ ସୁନା ,ଗହଣା ଏବଂ ଜାଗା ବାଡି ବିକି ଏବେ ସର୍ବହରା ପାଲଟିଛନ୍ତି। ହେଲେ ସ୍ଵାମୀ ଅଜିତ ଭଲ ନହେବାରୁ ନିଜର ଏକ କୀଡନ ଦେବାକୁ ବସିଛନ୍ତି ସରୋଜିନୀ ।
କେତେବେଳେ ଯେ କାହା ସୁଖର ସଂସାର ଉପରେ କଳା ବାଦଲ ମାଡି ଆସିବ ତାହା କେହି କହିପାରିବେ ନାହିଁ । ସେମିତି ଏକ ଦୁଃଖର କଳା ପାହାଡ ଏବେ ମାଡି ବସିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଅଧିନସ୍ଥ ବଡ଼ଶିରିବିଳା ପଞ୍ଚାୟତ ତୋରବାଙ୍ଗ ଗାଁର ସରୋଜିନୀ ପ୍ରଧାନଙ୍କ ପରିବାର ଉପରେ। ତିନି ବର୍ଷ ତଳେ କେନ୍ଦୁଝରର ଅଜିତ କୁମାର ସ୍ଵାଇଁଙ୍କୁ ବିବାହ କରିଥିଲେ ସରୋଜିନୀ । ହେଲେ ବିବାହର ବର୍ଷେ ପରେ ଅଜିତଙ୍କ ସ୍ଵାସ୍ଥ୍ଯ ଖରାପ ହେବାରୁ ସ୍ଵାମୀଙ୍କୁ ଧରି ନିଜ ବାପଘରକୁ ଚାଲି ଆସିଥିଲେ ସରୋଜିନୀ । ଆଉ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ପରେ ଯାଣିବାକୁ ପାଇଥିଲେ ଅଜିତଙ୍କ ଦୁଇଟି ଯାକ କିଡିନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଭିନ୍ନ ଉପାୟରେ ସ୍ଵାମୀଙ୍କ ଚିକିତ୍ସା ପରେ ଅଜିତ ସୁସ୍ଥ ନହେବାରୁ ସରୋଜିନୀ ନିଜର ସମସ୍ତ ସୁନା ,ଗହଣା ଏବଂ ଜାଗା ବାଡି ବିକି ଏବେ ସର୍ବହରା ପାଲଟିଛନ୍ତି ।
ଅଜିତ୍ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏପରି ସ୍ଥିତିରେ ସରୋଜିନୀ ନିଜ ସ୍ଵାମୀଙ୍କୁ ବଞ୍ଚାଇ ରଖିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି । ଶେଷରେ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ନିଜର ଏକ କିଡନୀ ଦେବା ପାଇଁ ପତ୍ନୀ ସରୋଜିନୀ ସ୍ଥିର କରିଛନ୍ତି। ହେଲେ ଅପରେଶନ ପାଇଁ ଯେଉଁ ଅର୍ଥ ଆବଶ୍ୟକ ଅଛି ତାହା ସରୋଜିନୀଙ୍କ ପାଇଁ ଯୋଗାଡ଼ କରିବା ଅସମ୍ଭବ ପାଲଟିଛି। ଫଳରେ ସ୍ଵାମୀଙ୍କ ଚିକିତ୍ସା ନିମନ୍ତେ ଏବେ ସରୋଜିନୀ ସରକାରଙ୍କ ପାଖରେ ଆର୍ଥିକ ସହାୟତା ଲୋଡିଛନ୍ତି । ଯଦି କୌଣସି ବଦାନ୍ୟ ବ୍ୟକ୍ତି ସରୋଜିନୀଙ୍କୁ ସାହାର୍ଯ୍ଯ କରନ୍ତେ ତାହାଲେ ଅଜିତ ସୁସ୍ଥ ହୋଇପାରନ୍ତେ । ଏବଂ ପରିବାରରେ ଖୁସିର ଲହରୀ ଖେଳି ପାରନ୍ତା ।