ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ଶ୍ୱେତପତ୍ର ପ୍ରକାଶ କଲା ବ୍ୟବସାୟୀ ସଂଘ। ଖାଉଟିଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାରଙ୍କ ଭୁଲ ଭଟକା ସାମ୍ନାକୁ ଅଣାଯାଉଛି। ଏହା ପରେ ବି ସରକାର ପଦକ୍ଷେପ ନ ନେବାରୁ ଏଭଳି ପଦକ୍ଷେପ ନେଇଛି ବ୍ୟବସାୟୀ ସଂଘ। ଆସନ୍ତା ୨୧ ଓ ୨୨ ତାରିଖ ପରେ ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଅଭିଯାନ ଆରମ୍ଭ କରିବ ରାଜ୍ୟ ବ୍ୟବସାୟୀ ସଂଘ।

ରାଜ୍ୟର ପ୍ରତ୍ୟେକ ଜାଗାରେ ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ନେଇ ବୈଠକ ହେବ। ଦରଦାମ ବୃଦ୍ଧିର ପ୍ରକୃତ କାରଣ ଓ କିଏ ଦାୟୀ ଏହାକୁ ଏକ୍ସପୋଜ କରାଯିବ। ଶ୍ୱେତପତ୍ରରେ ମଧ୍ୟ ଏସବୁ ପ୍ରସଙ୍ଗ ସ୍ଥାନ ପାଇଛି। ଲୋକଙ୍କ ପାଖକୁ ଏସବୁ ପ୍ରସଙ୍ଗ ନିଆଯିବ ବୋଲି କହିଛି ସଂଘ। ସରକାରଙ୍କୁ ସଙ୍ଘର ଚରମ ବାଣୀ। କର୍ପୋରେଟ ହାଉସକୁ ଆଇନ ପରିସରକୁ ଆଣ।

ନଚେତ ୨୦୨୫ ପ୍ରଥମାର୍ଦ୍ଧରେ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯିବ। ଏହା ପରେ ବ୍ୟବସାୟୀ ମାନେ ଆମରଣ ଅନଶନ କରିବେ। ବ୍ୟବସାୟୀ ସଂଘର ବୈଠକ ଏବେ ଲଗାତର ଚାଲିଛି। ଖାଉଟି ଯେଭଳି ଠକାମିର ଶିକାର ନ ହେବେ ଓ ବ୍ୟବସାୟୀ ବଞ୍ଚିବେ ତାକୁ ନେଇ ଉଦ୍ୟମ ଚାଲିଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାରଙ୍କ ଉଦ୍ୟମ ନାହିଁ। କର୍ପୋରେଟ ହାଉସ ଏସି ରୁମରେ ବସି ରକ୍ତ ଶୋଷୁଛନ୍ତି। ଯାହାକୁ ଆଉ ବରଦାସ୍ତ କରାଯିବ ନାହିଁ। ଏବେ କର ବା ମର ନୀତି ଆପଣାଇବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ପ୍ରତିବାଦ କରାଯାଉ ନ ଥିବାରୁ ଶୋଷଣର ଶିକାର ହେଉଛୁ ବୋଲି କହିଛି ସଂଘ। ଦରଦାମ ବୃଦ୍ଧି ସହ ସବୁ କିଛି ଚର୍ଚ୍ଚା ହେବ। ୨ ମାସ ତଳେ ସରକାରଙ୍କ ନିକଟରେ ଦରଦାମ ବୃଦ୍ଧି ନିୟନ୍ତ୍ରଣ ଆଲୋଚନା ପାଇଁ ଆବେଦନ କରାଯାଇଥିଲା। କିନ୍ତୁ ସରକାର କିଛି କଲେ ନାହିଁ ବୋଲି କହିଲେ ବ୍ୟବସାୟୀ ସଂଘ ମହାସଚିବ ସୁଧାକର ପଣ୍ଡା।