ସରକାର ବଦଳିବା ପରେ ବାଟବଣା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

1 min read

ଭୁବନେଶ୍ବର: ଦିନେ ପଶ୍ଚିମ ଓଡ଼ିଶା ବିକାଶର ମାଧ୍ୟମ ପାଲଟିଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ହେଲେ ସରକାର ପରିବର୍ତ୍ତନ ପରେ କୌଣସି ବିକାଶ ମୂଳକ କାମ ହେଉନାହିଁ । ଫଳରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବାଟବଣା ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ସାତ ମାସ ହୋଇଗଲା ସି ଇ ଓ ପଦବୀ ଖାଲି ପଡିଥିବାବେଳେ ପୂର୍ବ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଛାଡ଼ିବା ପରେ କିଏ ବିକାଶ ପରିଷଦର ଅଧ୍ୟକ୍ଷ ହେବେ ତାହା ମଧ୍ୟ ସ୍ପଷ୍ଟ ହୋଇନି । ଯାହାକୁ ନେଇ ସାମ୍ନାକୁ ଆସିଲାଣି ଅନେକ ପ୍ରଶ୍ନ । କାରଣ ନିର୍ବାଚନ ସମୟରେ ଏହାକୁ ବିଜେପି ମୁଦ୍ଦା କରିଥିବାବେଳେ ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଭୁଲି ଯାଇଥିବା ଅଭିଯୋଗ ହୋଇଛି ।

ନୂଆ ସରକାର ପରଠୁ ପଶ୍ଚିମ ଓଡ଼ିଶାରେ ବିକାଶ ମୂଳକ କାମ ହେଉ ନଥିବା ଅଭିଯୋଗ । ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ୨୫ ବର୍ଷ ପୂର୍ବେ ଗଠନ ହୋଇଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ । ଯାହା ମାଧ୍ୟମରେ ପଶ୍ଚିମ ଓଡ଼ିଶାର ସମସ୍ତ କ୍ଷେତ୍ରରେ ବିକାଶ ହୋଇ ପାରୁଥିଲା l ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ମାଧ୍ୟମରେ ଅନେକ ବିକାଶ ମୂଳକ କାମ କରିଛନ୍ତି l କୋଠା, ବାଡ଼ି, ରାସ୍ତା ହେଉ କି ପର୍ଯ୍ୟଟନ ବିକାଶ ଭଳି ବିଭିନ୍ନ କ୍ଷେତ୍ରରେ ବିକାଶ ହେଉଥିଲା । ମାତ୍ର ଏବେ ସରକାର ପରିବର୍ତ୍ତନ ପରେ ବଦଳି ଯାଇଛି ଏହାର ସ୍ଥିତି l ସରକାର ବଦଳିବା ପରେ ସତେ ଯେମିତି ପଶ୍ଚିମ ଓଡ଼ିଶାବାସୀଙ୍କୁ ଭୁଲି ଯାଇଛନ୍ତି ରାଜ୍ୟ ସରକାର ।

ପଶ୍ଚିମ ଓଡ଼ିଶାର ବିକାଶ ପରିଷଦ ଅଧୀନରେ କିଛି ନୂଆଁ କରିବା ତ ଦୂରର କଥା ପୂର୍ବ ସରକାର ସମୟରେ ଆସିଥିବା କାମ ମଧ୍ୟ ଅଧାରେ ରହିଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ସମୟରେ ପଶ୍ଚିମ ଓଡ଼ିଶାରର ଗ୍ରାଉଣ୍ଡ ଜିରୋରେ ବିକାଶ କାର୍ଯ୍ୟର ଅନୁଧ୍ୟାନ କରାଯାଉଥିଲା । କିନ୍ତୁ ଏବେ ପଶ୍ଚିମ ଓଡ଼ିଶାକୁ ବିଜେପି ସରକାର ଉପହାସ କଲା ଭଳି ଲାଗୁଥିବା ପଶ୍ଚିମ ଓଡ଼ିଶାବାସୀ ଅଭିଯୋଗ କରିଛନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପ୍ରତି ସରକାର ଇଚ୍ଛା ପ୍ରକାଶ କରୁ ନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା ।