ସରକାରଙ୍କ ଅଜବ ମାନସିକତା: ୫ ମାସ ହେଲା ମିଳିନି ଟଙ୍କାଟେ, ବନ୍ଦ ହେବାକୁ ବସିଲାଣି ମୁକ୍ତା ଯୋଜନା

ଭୁବନେଶ୍ବର: ବନ୍ଦ ହେବାକୁ ବସିଲାଣି ମୁକ୍ତା ଯୋଜନା । ୫ ମାସ ହେଲାଣି ଆଉ ଟଙ୍କାଟିଏ ମିଳୁନି । ଅଧପତନ୍ତରିଆ ଭାବେ ପଡ଼ିରହିଛି ୨ ହଜାରରୁ ଅଧିକ ପ୍ରକଳ୍ପ । କାମଧନ୍ଦା ମିଳୁ ନଥିବାରୁ ବେକାର ହେଲେଣି ସହରାଞ୍ଚଳ ଶ୍ରମିକ । ୨୦୨୦ କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୂର ପାଇଁ ପୂର୍ବ ନବୀନ ସରକାର ଏହି ଯୋଜନା ଆରମ୍ଭ କରିଥିଲେ । ରୋଜଗାର ସୁଯୋଗ ପାଇଥିଲେ ତୃତୀୟ ଲିଙ୍ଗି ଓ ଏସ୍‌ଏଚ୍‌ଜି । ସରକାର ବଦଳିବା ଯୋଜନା ରୂପାନ୍ତର ପାଇଁ ନିୟୋଜିତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଏପରି ହୀନ ଉଦ୍ୟମକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ବିରୋଧୀ ।

ରାଜ୍ୟ ସରକାରଙ୍କୁ ହୋଇଛି କି ବିକାର ରୋଗ ? ପୂର୍ବ ସରକାରଙ୍କ ସବୁ ଯୋଜନା ବନ୍ଦ ହେବ, ନ ହେଲେ ନାମରେ ଫେର ବଦଳ ହେବ । ଏପରି ମାନସିକତାରେ ଏବେ ବିଜେପି ସରକାର ଚାଲିଥିବା ବିରୋଧୀ ଅଭିଯୋଗ କଲେଣି । ମୁଖ୍ୟମନ୍ତ୍ରୀଙ୍କ ନାମରେ ପ୍ରଚଳିତ ଯୋଜନା ମୁକ୍ତା’ର ଡଙ୍କ ମୋଡ଼ି ସାରିଲେଣି । ସହରାଞ୍ଚଳ ଶ୍ରମିକଙ୍କୁ କାମଧନ୍ଦା ଯୋଗାଉଥିବା ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଯୋଜନା ବାବଦରେ ଆଉ ଟଙ୍କାଟିଏ ଆସୁନି । ବେକାର ହେଲେଣି ହଜାର ହଜାର ଶ୍ରମଜୀବୀ ।

୨୦୨୦ କୋଭିଡ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦେଖି ତତ୍କାଳୀନ ବିଜେଡି ସରକାର ଆରମ୍ଭ କରିଥିଲେ ଏହି ଯୋଜନା । ଉଦ୍ଦେଶ୍ୟ ଥିଲା ସହରାଞ୍ଚଳରେ ଶ୍ରମିକଙ୍କୁ କର୍ମ ସଂସ୍ଥାନ ମିଳିଲେ ଆଉ ସେମାନେ ବାହାର ରାଜ୍ୟକୁ ଯିବେନି । ୫ଟି ମହାନଗର ନିଗମ ସମେତ ୧୧୪ଟି ପୌରାଞ୍ଚଳରେ ମୌସୁମୀ ପୂର୍ବରୁ ନାଳଗୁଡ଼ିକର ରକ୍ଷଣାବେକ୍ଷଣ, ବର୍ଷା ଜଳ ଅମଳ, ନୂତନ ଜଳାଶୟ ବିକାଶ, ବୃକ୍ଷରୋପଣ, କମ୍ୟୁନିଟି ସେଣ୍ଟର, ସର୍ବସାଧାରଣ ଶୌଚାଳୟ ନିର୍ମାଣ ପାଇଁ ୭ ହଜାର ୬୨୦ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିଲା । ସେଥିରୁ ୫ ହଜାର ୩୮୫ଟି ସମ୍ପୂର୍ଣ୍ଣ ହୋଇସାରିଛି । ବାକି ୨ ହଜାର ୨୩୫ଟି ପ୍ରକଳ୍ପ କାର୍ଯ୍ୟ ଅର୍ଥ ଅଭାବରୁ ଅଧପନ୍ତରିଆ ଭାବେ ପଡ଼ିରହିଛି । ଫଳରେ ଏବେ ହଜାର ହଜାର ଶ୍ରମିକ ରୋଜଗାର ନଥିବାରୁ ବାହାର ରାଜ୍ୟ ମୁହାଁ ହେଲେଣି ।

ଦିଗହରା ହେଲାଣି ଏହି ଯୋଜନା । ଏପରିକି ସରକାର ବଦଳିବା ପରେ ଏହି ଯୋଜନାରେ ନିୟୋଜିତ ତୃତୀୟ ଲିଙ୍ଗି କର୍ମଚାରୀ ଓ ଏସଏଚଜିଙ୍କୁ ଅନ୍ତର କରାଯାଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଜେଡି ସରକାର କରିଥିବା ଏହି ଯୋଜନା କୌଣସି ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ ହୋଇ ନଥିଲା । ଏହି ଯୋଜନାକୁ ଅନୁଦାନ ନ ଦେବା ଅର୍ଥ ବନ୍ଦ କରିବା ସଙ୍ଗେ ସମାନ । ଡବଲ ଇଞ୍ଜିନ ସରକାରରେ ଶ୍ରମିକଙ୍କୁ ଅଧିକ ରୋଜଗାର କ’ଣ ମିଳିବ ଓଲଟି ସେମାନଙ୍କ ପେଟକୁ ଲାତ୍‌ ମାରିବା ଭଳି ହୋଇଥିବା କଟାକ୍ଷ କରିଛନ୍ତି ମୁକ୍ତା ଯୋଜନାରେ ପୂର୍ବତନ ଉପଦେଷ୍ଟା ମୀରା ପରିଡ଼ା । କୋଭିଡ ମହାମାରୀ ସମୟରେ କାମଧନ୍ଦା ପାଇଁ ଏହି ଯୋଜନା ଆରମ୍ଭ ହୋଇଥିଲା । ଏବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସେତେବେଳେ ବିରୋଧୀ ଦଳରେ ବିଧାୟକ ବି ଥିଲେ । ହେଲେ ଆଜି ଏ କଥା ପଚାରିଲେ ଉପର ଠାଉରିଆ ଭାବେ ଉତ୍ତର ଦେଉଛନ୍ତି ।

ସରକାର ବଦଳିଲେ କାମ କରିବା ତରିକା ବଦଳେ । ବଦଳେ ସରକାରଙ୍କ ବିକାଶ ଆଭିମୁଖ୍ୟ । ଗରିବଙ୍କୁ ରୋଜଗାର ଦେଉଥିବା ଯୋଜନାରେ କେଁ ପୂରାଇ ଏବର ସରକାର ଯେପରି ତାକୁ ଦିଶାହୀନ କଲେଣି । ସତେ ଯେମିତି ଲୋକଙ୍କ ମୌଳିକ ଅଧିକାର ସୁରକ୍ଷା ଏ ସରକାର ପାଖରେ ଯେପରି ଗୌଣ ହୋଇଯାଇଛି ।