ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଖବରକୁ CBSEର ଖଣ୍ଡନ
ନୂଆଦିଲ୍ଲୀ: ସିଲାବସ୍ ହ୍ରାସ କିମ୍ଵା ପରୀକ୍ଷା ପ୍ଯାଟର୍ଣ୍ଣରେ କୌଣସି ପ୍ରକାର ପରିବର୍ତ୍ତନକୁ ଖଣ୍ଡନ କରିଛି ସିବିଏସଇ । ଗତକାଲି କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ, ଦଶମ ଓ ଦ୍ଵାଦଶର ସିଲାବସରେ ୧୫ ପ୍ରତିଶତ ହ୍ରାସ କରାଯିବ । ଏହାସହ ପରୀକ୍ଷାର ପ୍ୟାଟର୍ଣ୍ଣରେ ମଧ୍ୟ ବଦଳିବ । ୪୦ ପ୍ରତିଶତ ଇଣ୍ଟରନାଲ ଆସେସମେଣ୍ଟ ଓ ୬୦ ପ୍ରତିଶତ ଶେଷ ବୋର୍ଡ ପରୀକ୍ଷାର ମାର୍କ ରହିବ ବୋଲି କୁହାଯାଇଥିଲା । ଏହାସହ ପରୀକ୍ଷାରେ ଡିଜିଟାଲ ଆସେସମେଣ୍ଟ ଓ ଓପନ ବୁକ ଫର୍ମାଟ ପରୀକ୍ଷାକୁ ସାମିଲ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ୨୦୨୫ରୁ ଏହା ଲାଗୁ ହେବ ବୋଲି କୁହାଯାଇଥିଲା ।
ଏହାକୁ ଖଣ୍ଡନ କରିଛି ସିବିଏସଇ । ଏକ ବିବୃତିରେ ସିବିଏସଇ ପକ୍ଷରୁ କୁହାଯାଇଛି, ଯଦି ଏପରି କୌଣସି ନିଷ୍ପତ୍ତି ହୁଏ, ତେବେ ସଂଗଠନର ୱେବସାଇଟରେ ତାହା ପ୍ରକାଶ ପାଇବ । ଆଗରୁ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ଠିକ୍ ନୁହେଁ ।