ବିଜେପିକୁ ଅଡୁଆ ଜୟନାରାୟଣ; ବିଜେପି ଉପରେ ବର୍ଷିଲା ବିଜେଡି
ଭୁବନେଶ୍ୱର: ସମ୍ବଲପୁରର ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବିଜେପିକୁ ଘେରିଛି ବିଜେଡି। ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉକ୍ତି ଗ୍ରହଣୀୟ ନୁହେଁ। ଏହାକୁ କୁହାଯାଏ କ୍ଷମତାର ଅଂହକାର। ସୁପ୍ରିମକୋର୍ଟ ନିୟମକୁ ପାଳନ କରୁନାହାନ୍ତି ଅର୍ଥ ବିଜେପି ବିଧାୟକମାନେ ଆଇନଠୁ ଉର୍ଦ୍ଧ୍ୱରେ। ଗୃହ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁହନ୍ତୁ ଆଇନ ସମସ୍ତଙ୍କ ପାଇଁ ସମାନ ନା ତାଙ୍କ କର୍ମକର୍ତ୍ତା ଓ ରାଜ୍ୟପାଳଙ୍କ ପୁଅ ପାଇଁ ଅଲଗା। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖନ୍ତୁ ବୋଲି କହିଛନ୍ତି ପ୍ରତାପ ଦେବ।
ଆହୁରି ମଧ୍ୟ କହିଛନ୍ତି ଆଗାମୀ ଦିନରେ ଓଡ଼ିଶାରେ ଯଦି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ପୋଲିସ ମାନିବା ଦରକାର ନା ନାହିଁ। ପୋଲିସ ଆଇନ ଶୃଙ୍ଖଳା ରୋକିବାରେ ସଫଳ ହେବ ନାହିଁ । ସରକାର ଓ ଆଇନକୁ କେହି ଡରିବେ ନାହିଁ । ମେସେଜ ଯିବ କି ପଣ୍ଡିତଙ୍କ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ | ମୋହନ ବାବୁ କଣ ଆକ୍ସନ ନେବେ, ଓଡ଼ିଶାବାସୀ ତାକୁ ଚାହିଁ ବସିଛନ୍ତି ବୋଲି ପ୍ରତାପ ଦେବ କହିଛନ୍ତି।
ଅନ୍ୟପଟେ ଜୟ ନାରାୟଣ ମିଶ୍ରଙ୍କ ଜାମିନ ଖାରଜ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବିଜେପି ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ନିୟନ୍ତ୍ରଣରେ ଆଇନଶୃଙ୍ଖଳା ନାହିଁ । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଜୟ ନାରାୟଣ ମିଶ୍ର ମାଡ଼ ମାରିବା ଘଟଣାରେ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିଥିଲେ। ଏବେ ସୁପ୍ରିମକୋର୍ଟ ମଧ୍ୟ ଜାମିନ ଖାରଜ କରିଛନ୍ତି । ସରକାର ଆଇନଶୃଙ୍ଖଳା ସ୍ଥିତି ସୁଧାରିବା ପାଇଁ ଚାହୁଁଛନ୍ତି ଯଦି ଗୃହ ବିଭାଗ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ନିର୍ଦ୍ଦେଶ ଦିଅନ୍ତୁ । ଦଳୀୟ ବିଧାୟକ ଭାବେ ପକ୍ଷପାତିତା କରାଗଲେ ସାରା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିଯିବ। ସରକାର ବିଳମ୍ବ ନକରି ଆଇନଶୃଙ୍ଖଳା ପ୍ରସଙ୍ଗରେ ପ୍ରମାଣ ଦିଅନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା।