ଅସଜଡ଼ା ଭିତ୍ତିଭୂମି ଭିତରେ ନାକ୍ ମାନ୍ୟତା ଖୋଜୁଛି ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର : ବାରିପଦା ସରକାରୀ ମହିଳା କଲେଜରେ ରହିଛି ଜମି ସମସ୍ୟା  । ଲାଇବ୍ରେରିଆନ ନାହାଁନ୍ତି, ୨୦୦୦ ଛାତ୍ରୀଙ୍କୁ ଜଣେ ମାତ୍ର କ୍ଲରିକାଲ ଷ୍ଟାଫରେ ଚାଲିଛି କଲେଜ । ସେହିପରି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଅଫିସ ଷ୍ଟାଫକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଧ୍ୟକ୍ଷ । କର୍ମଚାରୀ ପୂରଣ ପାଇଁ ସରକାର ଧ୍ୟାନ ଦେବାକୁ କହିଛନ୍ତି । ବାରମ୍ବାର ଅବଗତ କରିବା ସତ୍ତ୍ୱେ ମଧ୍ୟ କଲେଜ ଗୁଡିକର ସର୍ବନିମ୍ନ ଆଵଶ୍ୟକତା ଗୁଡିକ ପୂରଣ ହେଉ ନାହିଁ । ଏହା କେବଳ ଦୁଇଟି କଲେଜକ କଥା ନୁହେଁ, ସାରା ରାଜ୍ୟର ସରକାରୀ କଲେଜର ସ୍ଥିତି ଏବେ ଏମିତି । ଏଭଳି ସ୍ଥିତ ଭିତରେ ଉଚ୍ଚଶିକ୍ଷା ବିଭାଗ ଶିଖାଉଛି ନାକ ମାନ୍ୟତାରେ ଉପରକୁ ଉଠିବାର କୌଶଳ । ନାକ ମାନ୍ୟତା ପାଇଁ ଆୟୋଜିତ ହୋଇଥିବା କର୍ମଶାଳାରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ତାଲିମ ଦିଆଯାଇଛି । ଅସଜଡ଼ା ଭିତ୍ତିଭୂମି ଭିତରେ କିପରି ନାକ ମାନ୍ୟତା ମିଳିବ, ପ୍ରଶ୍ନ ଉଠାଇଛନ୍ତି କଲେଜ ଅଧ୍ୟକ୍ଷ ।

ଦୁର୍ବଳ ସ୍ଥିତିରେ ଗତି କରୁଛି ରାଜ୍ୟ ଉଚ୍ଚଶିକ୍ଷା ବ୍ୟବସ୍ଥା । ନାକ ମାନ୍ୟତା କ୍ଷେତ୍ରରେ ଅନ୍ୟ ରାଜ୍ୟ ବହୁତ ଆଗେଇ ରହୁଥିବା ବେଳେ ବହୁ ପଛରେ ପଡ଼ିଛି ଓଡ଼ିଶା । ରାଜ୍ୟରେ ମାତ୍ର ୧୦ ରୁ ୧୨ ପ୍ରତିଶତ କଲେଜ ଆକ୍ରେଡିସନ ପରିସରଭୁକ୍ତ ହୋଇଛନ୍ତି । ସରକାରୀ କଲେଜ ଅଧ୍ୟକ୍ଷ ମାନଙ୍କୁ ନାକ ମାନ୍ୟତା କ୍ଷେତ୍ରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ପାଇଁ ସୋଲକୁ ଦାୟିତ୍ୱ ଦିଆଯାଇଛି । ସେଥିପାଇଁ ବିଶେଷଜ୍ଞମାନେ କଲେଜଗୁଡିକର ମାନ୍ୟତା ଓ ଭଲ ଗ୍ରେଡ୍ ପାଇଁ ଶିକ୍ଷାଦେଉଛନ୍ତି । ଅଧିକ କଲେଜକୁ କିଭଳି ମାନ୍ୟତା ପରିସରକୁ ଅଣାଯିବ ସେଥିପାଇଁ ଏକ କମିଟି ହୋଇଥିଲା । କମିଟି ରିପୋର୍ଟ ଆଧାରରେ ୩୪ଟି କଲେଜ ନାକ ମାନ୍ୟତା ପାଇବା ପାଇଁ ଟାୟାର ୱାନରେ ରହୁଛନ୍ତି । ତେଣୁ ସେମାନଙ୍କୁ ଆହୁରି ଅଧିକ ସମୃଦ୍ଧ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କୁହାଯାଇଛି। …

ଅସଜଡ଼ା, ଦୁର୍ବଳ ଭିତ୍ତିଭୂମି ଭିତରେ ଖୋଜୁଛନ୍ତି ନାକ ମାନ୍ୟତା । ସେପଟେ ଦୟନୀୟ ସ୍ଥିତିରେ ଗତିକରୁଛି ରାଜ୍ୟର କଲେଜ । ତାଲିମ ନୁହେଁ ନାକ ମାନ୍ୟତାରେ ଉପରକୁ ଉଠିବା ପାଇଁ ସହଯୋଗ ଲୋଡ଼ିଛନ୍ତି ସରକାରୀ କଲେଜ ଅଧ୍ୟକ୍ଷ ଅଧ୍ୟକ୍ଷା ।