ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି : ଆଗେଇ ପାରୁନି ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପ କାମ

ଭୁବନେଶ୍ବର : ଡବଲ ଇଂଜିନ ସରକାରରେ ଓଡ଼ିଶାକୁ ଡବଲ ଝଟକା। ଦୁଇ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଇଁ ଓଡ଼ିଶାର କ୍ଷତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଜଳସେଚନ ଡିଭିଜନର ପ୍ରସ୍ତାବିତ ଖଡ଼ଖାଇ ମଧ୍ୟମ ଜଳସେଚନ ପ୍ରକଳ୍ପକୁ ନେଇ ବିବାଦ। ଏହି ପ୍ରକଳ୍ପ କରିବାକୁ ସବୁ ପ୍ରକାର ଚେଷ୍ଟା କରିଥିଲେ ତତ୍କାଳୀନ ନବୀନ ପଟ୍ଟନାୟକ ସରକାର। ଦରକାର ହେଉଥିବା ସମସ୍ତ କାଗଜପତ୍ର କେନ୍ଦ୍ରୀୟ ଜଳ କମଶନଙ୍କୁ ପଠାଇଥିଲେ। କିନ୍ତୁ ଏ ସଂପର୍କିତ ଫାଇଲକୁ ଚାପି ରଖିଛନ୍ତି ଦୁଇ ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ। ସେଥିପାଇଁ ପ୍ରକଳ୍ପ କଥା ଆଉ ଆଗେଇ ପାରିନାହିଁ। କେନ୍ଦ୍ରୀୟ ଜଳ କମିଶନଙ୍କ ଭୂମିକା ବି ସନ୍ଦେହ ଘେରକୁ ଆସିଛି। ହେଲେ ଏହାକୁ ନେଇ ଡବଲ୍ ଇଂଜିନ ସରକାର ଚୁପ୍।

ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାରରେ ଜଳଶକ୍ତି ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଥିଲେ ବିଶ୍ଵେଶ୍ଵର ଟୁଡୁ। ସେତେବେଳେ ସେ ମୟୂରଭଂଜର ସାଂସଦ ବି ଥିଲେ। ଅର୍ଥାତ୍ ଯେଉଁ ମୟୂରଭଂଜବାସୀ ତାଙ୍କୁ ନିଜର ପ୍ରତିନିଧି କରି ଦିଲ୍ଲୀ ଦରବାରକୁ ପଠାଇଥିଲେ, ସେହି ମଯୂରଭଂଜବାସୀଙ୍କୁ ପଟି ମାରିଦେଲେ ବିଶ୍ଵେଶ୍ଵର ଟୁଡୁ। ଖଡ଼ଖାଇ ପ୍ରକଳ୍ପକୁ ସାକାର କରିବାକୁ କିଛି କଲେନି। ଖଡ଼ଖାଇ ପ୍ରକଳ୍ପ ହୋଇଥିଲେ ମୟୂରଭଂଜ ରାଇରଙ୍ଗପୁର ଅଞ୍ଚଳର ପ୍ରାୟ ୫୪୦୦ ହେକ୍ଟର ଜମି ଜଳସେଚିତ ହୋଇପାରିଥାନ୍ତା। ଖଡ଼ଖାଇ ପାଇଁ ଖର୍ଚ୍ଚ ହୋଇଥାନ୍ତା ପ୍ରାୟ ୩୭୭ କୋଟି ଟଙ୍କା। ଏବେ ବି ଓଡ଼ିଶାର ୮ ଟି  ମଧ୍ୟମ ଓ ବୃହତ ବହୁମୁଖି ଜଳସେଚନ ପ୍ରକଳ୍ପର ପ୍ରସ୍ତାବ କେନ୍ଦ୍ରୀୟ ଜଳ କମିଶନ ନିକଟରେ ପଡ଼ି ରହିଛି। ଯଦି ଏ ସବୁ ପ୍ରକଳ୍ପ ନିର୍ମାଣ ହୋଇପାରନ୍ତା, ରାଜ୍ୟର ୧ଲକ୍ଷ ୮ ହଜାର ୫୧ ହେକ୍ଟର ଜମିକୁ ପାଣି ମାଡ଼ନ୍ତା। ଖର୍ଚ୍ଚ ହୁଅନ୍ତା ୭ ହଜାର ୬୪୭ କୋଟି ଟଙ୍କା। ଲକ୍ଷ ଲକ୍ଷ ଚାଷୀ ଉପକୃତ ହୁଅନ୍ତେ।

ପଡ଼ି ରହିଥିବା ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ହେବା ଦ୍ଵାରା ଲୋକଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସନ୍ତା । କିନ୍ତୁ ରାଜନୈତିକ କାରଣରୁ ଏହି ପ୍ରକଳ୍ପ କାମ ଆଗକୁ ବଢୁ ନାହିଁ ବୋଲି ଅଭିଯୋଗ ହୋଇଛି। ପ୍ରୋଜେକ୍ଟ ଖର୍ଚ୍ଚ ମଧ୍ୟ ବଢୁଛି। ବଡ଼ କଥା ହେଲା ରାଜ୍ୟର ଚାଷୀଙ୍କ ସ୍ଵାର୍ଥକୁ ବଳି ଚଢ଼ାଇ ଦେଇ ନିଘୋଡ଼ ନିଦରେ ଶୋଇଛନ୍ତି ଡବଲ୍ ଇଂଜିନ ସରକାର।