ଚାକିରି ଦେବା ନାଁରେ ଟଙ୍କା ଲୁଟିଛନ୍ତି ଦଲାଲ, ନେତାଙ୍କ ନାଁ ନେଇ ଲକ୍ଷ ଲକ୍ଷ ଟଙ୍କା ଚଳୁ
1 min readଭୁବନେଶ୍ବର : ଚାକିରି ଦେବା ନାଁରେ ଦଲାଲ ଲୁଟିଛନ୍ତି ଟଙ୍କା । ନେତାଙ୍କ ନାଁ ନେଇ ଚଳୁ କରୁଛନ୍ତି ଲକ୍ଷ ଲକ୍ଷ । ସୁନ୍ଦରୀ ଯୁବତୀଙ୍କୁ ଅଫିସରେ ରଖି ପକାଉଛନ୍ତି ଜାଲ । ବେନାମୀ କନ୍ସଲଟାନ୍ସୀ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ। ମଞ୍ଚେଶ୍ୱର ସପ୍ତଶତୀ ବିହାରରେ ଥିବା D2S କନ୍ସଲଟାନ୍ସୀରେ ୨ ଲକ୍ଷ ଟଙ୍କା ଦେଲେ ମିଳୁଥିଲା କଂସଲଟାନ୍ସୀ ଚାକିରି । ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ସଂସ୍ଥା ମୁଖ୍ୟ ଦେବବ୍ରତ ପଲେଇକୁ ଗତ ବର୍ଷ ଜୁନ ମାସରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ । ଜାମିନରୁ ଆସିବା ପରେ ବାବୁଙ୍କ କାଣ୍ଡ କାରନାମା ଶୁଣନ୍ତୁ । ମେଡିକାଲରେ ଲ୍ୟାବ ଆଟେଣ୍ଡାଣ୍ଟ ଚାକିରି କରାଇଦେବାକୁ କହି ୭ ଜଣଙ୍କ ଠାରୁ ଠକ ଲୁଟିଛି ଲକ୍ଷାଧିକ ଟଙ୍କା । ଟଙ୍କା ଦେବା ପରେ ଏବେ ଅଫିସ ନିକଟକୁ ଗଲା ବେଳକୁ ନାଁ ଅଛି ବୋର୍ଡ, ନାଁ ଅଛି ଦଲାଲ ଜଣଙ୍କ । ଅଫିସ ଛାଡି ସେ ଫେରାର । କାନମୁଣ୍ଡା ଆଉଁସି ଥାନାକୁ ଯାଇ ନ୍ୟାୟ ଭିକ୍ଷା କରିଛନ୍ତି ଠକେଇର ଶିକାର ଯୁବକ ।
ଗତବର୍ଷ ଗିରଫ ବେଳେ ପୋଲିସ ଜବତ କରିଥିଲା କିଛି ଡକ୍ୟୁମେଣ୍ଟ । କିଭଳି ନାମିଦାମୀ ସଂସ୍ଥାର ଲୋଗୋକୁ ବ୍ୟବହାର କରି ନିରୀହ ଲୋକଙ୍କୁ ଭୁଆଁ ବୁଲାଉଥିଲା ଦେବବ୍ରତ । ଆଉ ଠକେଇ ଟଙ୍କାରେ ଚଢୁଥିଲା ୨୦ ଲକ୍ଷର ଥାର ଓ ଦାମୀ ବାଇକ। ନିରୋଳା ମୁହୂର୍ତ୍ତରେ ସୋସିଆଲ ମିଡିଆରେ ବନାଉଥିଲା ରିଲସ । ଦିନରେ ଫାଇବ ଷ୍ଟାର ହୋଟେଲରେ ଖାଉଥିଲା ଆଉ ରାତି ହେଲେ ବାରରେ ଉଡାଉଥିଲା ପୁଳା ପୁଳା ଟଙ୍କା । ଗାର୍ଲପ୍ରେଣ୍ଡଙ୍କୁ ଦାମୀ ଗିଫ୍ଟ ବି ଦେଉଥିଲା ଲଭର ବୟ ଦେବବ୍ରତ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ଆସି ନେତା ମନ୍ତ୍ରୀଙ୍କ ନାଁ କହି ଉଚ୍ଚ ଶିକ୍ଷିତ ଯୁବକଙ୍କୁ ଚୂନା ଲଗାଉଥିବା ଦେବବ୍ରତ ବିରୋଧରେ ପୁଣି ଅଭିଯୋଗ ଆସିବା ପରେ ଠକେଇର ଶିକାର ଯୁବକ ତୁରନ୍ତ ଥାନାର ଦ୍ବାରସ୍ଥ ହେବାକୁ କହିଛନ୍ତି ଡିସିପି ।