ବଦଳି ପାଇଁ ଚାପ ପ୍ରସଙ୍ଗ, ବିଜେପିକୁ ବିଜେଡିର କଡ଼ା ସମାଲୋଚନା
ନନ୍ଦିଘୋଷ ବ୍ୟୁରୋ: ବଦଳି ପାଇଁ ଚାପ ପ୍ରସଙ୍ଗ । ବିଜେପିକୁ କଡା ସମାଲୋଚନା କରିଛି ବିଜେଡି। ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ହାତରେ ପ୍ରଶାସନ ନାହଁ। ବଦଳି ପାଇଁ ଚାପ ସୃଷ୍ଟି ନକରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ଚିଠିକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ କରି କଟାକ୍ଷ କରିଛି । ସରକାରଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଭୁୃଗୁ ବକ୍ସିପାତ୍ର । ଗତକାଲି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଦସ୍ତଖତରେ ଚିଠି ଯାଇଛି। ଏଭଳି ଚିଠି କେବେ ଶୁଣାଯାଇନଥିଲା । ଯେଉଁ କଥା ଦାଣ୍ଡରେ ପଡି ହାଟରେ ଗଡୁଛି ଏକଥାକୁ ମୁଖ୍ୟ ଶାସନ ସଚିବ ମାନୁଛନ୍ତି। ଅଧିକାରୀମାନେ ବାହ୍ୟଚାପରେ ନିଜ ମନ ପସନ୍ଦର ସ୍ଥାନକୁ ଯିବାକୁ ଚାହୁଁଛନ୍ତି।
କିଏ ବାହ୍ୟ ଚାପ ସୃଷ୍ଟି କରୁଛନ୍ତି ସରକାର କୁହନ୍ତୁ ବୋଲି ବିଜେଡି ଦାବି କରିଛି । ସରକାର ମାନିଛନ୍ତି ପ୍ରଶାସନ ଚଳାଇବାରେ ସରକାର ଫେଲ ମାରିଛନ୍ତି। ସରକାରଙ୍କ କର୍ତ୍ତୃତ୍ବରେ ପ୍ରଶାସନ ନାହିଁ । ଯଦି ତାଙ୍କ ପାଖରେ ପ୍ରମାଣ ଅଛି କାହିଁକି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ? ବିଜେପି ସରକାର ଚିକ୍କଣ କଥା କହି ସରକାରକୁ ଆସିଲେ । ଏବେ ପରୋକ୍ଷରେ କହୁଛନ୍ତି ଆମେ ସରକାର ଚଳାଇ ପାରୁନାହିଁ। ସରକାର ଏବଂ ସରକାରୀ ଦଳ ମଧ୍ୟରେ ତାଳମେଳ ରହୁନାହିଁ। ଏହା ବିଜେପିର ବରିଷ୍ଠ ନେତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବୋଲି ବିଜେଡି କହିଛି।