ଆଜିଠାରୁ କାର୍ତ୍ତିକ ମାସର ପଞ୍ଚୁକବ୍ରତ ଆରମ୍ଭ
ପୁରୀ: ଆଜିଠାରୁ କାର୍ତ୍ତିକ ମାସର ପଞ୍ଚୁକବ୍ରତ ଆରମ୍ଭ । ଚଳିତବର୍ଷ ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ସେଥିପାଇଁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶକୁ ବାଦ ଦେଇ ଅନ୍ୟ ୪ଟି ବେଶ ଅନୁଷ୍ଠିତ ହେବ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି । ସେହିପରି ଆସନ୍ତାକାଲି ମହାପ୍ରଭୁଙ୍କ ବାଙ୍କଚୂଡା ବେଶ ପରେ ଗୁରୁବାର ଡାଳିକିଆ କିମ୍ବା ତ୍ରିବିକ୍ରମ ବେଶ ଓ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯିବ।
ଅତ୍ୟଧିକ ଭିଡ଼କୁ ଦୃଷ୍ଟିରେ ରଖି ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ଼ କରାଯାଇଛି । ଲୋକମାନେ ବ୍ୟାରିକେଡ଼ରେ ଯାଇ ସିଂହଦ୍ୱାର ପଟେ ପ୍ରବେଶ କରୁଛନ୍ତି । ପଞ୍ଚୁକ ପାଞ୍ଚଦିନ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଟ୍ରାଫିକ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ମାର୍କେଟ ଛକ ଠାରୁ ନୋ ଭେଇକିଲ ଜୋନ । ସମୁଦ୍ର ଓ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଲାଇଫଗାର୍ଡଙ୍କ ସହ ପୋଲିସ ମୁତୟନ କରାଯାଇଛି । ବ୍ୟାରିକେଡ଼ରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଫ୍ୟାନ, ବସିବା ବ୍ୟବସ୍ଥା ଓ ପାନୀୟ ଜଳର ଵ୍ୟଵସ୍ଥା ହୋଇଛି । ଶ୍ରୀମନ୍ଦିର ନୀତିକାନ୍ତି ସମୟ ଉପରେ ଭକ୍ତଙ୍କୁ ଅବଗତ କରାଯିବ । ଚଳିତ ବର୍ଷ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୪ ଦିନ ପଡ଼ୁଥିବାରୁ ଅସମ୍ଭବ ଭିଡ ହେବାର ସମ୍ଭାବନା ରହିଛି।