ସଲମାନ ଓ ଶାହାରୁଖଙ୍କ ପରେ ଯୋଡି ହେଲା ମିଥୁନଙ୍କ ନାମ : ପାକିସ୍ତାନରୁ ଆସିଲା ଧମକ
1 min readନନ୍ଦିଘୋଷ ବ୍ୟୁରୋ : ନିକଟରେ ବଲିଉଡ ଅଭିନେତା ସଲମାନ ଖାନ ଓ ଶାହାରୁଖ ଖାନଙ୍କୁ ଧମକ ଆସିଥିଲା । ଏବେ ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଧମକ ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଦୁବାଇରେ ଥିବା ଜଣେ ପାକିସ୍ତାନୀ ମିଥୁନଙ୍କୁ ଧମକ ଦେଇଛନ୍ତି । ପାକିସ୍ତାନୀ ଡନ୍ ଶାହାଜାଦ ଭଟ୍ଟୀ ଏକ ଭିଡିଓ ଜାରି କରି ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି।
ବାସ୍ତବରେ ଦୁବାଇରେ ଥିବା ପାକିସ୍ତାନୀ ଡନ୍ ଏକ ଭିଡିଓ ମାଧ୍ୟମରେ କରି ମିଥୁନଙ୍କୁ ସର୍ବସାଧାରଣରେ ଧମକ ଦେଇଛନ୍ତି । ଏହି ଭିଡିଓରେ ଶାହଜାଦ କହିଛନ୍ତି, ଆପଣ ୧୦-୧୫ ଦିନ ମଧ୍ୟରେ ଏକ ଭିଡିଓ ମାଧ୍ୟମରେ କ୍ଷମା ମାଗନ୍ତୁ । କ୍ଷମା ମାଗିବା ଆପଣଙ୍କ ପାଇଁ ଭଲ ଏବଂ ଆପଣଙ୍କର କ୍ଷମା ପ୍ରାର୍ଥନା ଯଥାର୍ଥ ଅଟେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ଗତ ମାସରେ ମିଥୁନ ଚକ୍ରବର୍ତ୍ତୀ ଉତ୍ତର ୨୪ ପରଙ୍ଗନା ଜିଲ୍ଲାରେ ଏକ ଦଳୀୟ କାର୍ଯ୍ୟକ୍ରମ ସମୟରେ ଏକ ଭାଷଣ ଦେଇଥିଲେ । ଯାହାକୁ ନେଇ ଏତଲା ଦାଏର କରାଯାଇଥିଲା । ସେ କହିଥିଲେ, ମୁଁ ଜଣେ ଅଭିନେତା ନୁହଁ ବରଂ ୬୦ ଦଶକର ମିଥୁନ ଚକ୍ରବର୍ତ୍ତୀ ଭାବରେ କହୁଛି । ରାଜନୀତିର କୌଣସି କୌଶଳ ମୋ ପାଇଁ ନୂଆ ନୁହେଁ, ମୁଁ ରକ୍ତ ରାଜନୀତି କରିସାରିଛି । ମିଥୁନ ଆହୁରି କହିଛନ୍ତି, ମୁଁ ଜାଣେ, ମୁଁ କ‘ଣ କଲେ କ‘ଣ ହୋଇ ପାରିବ । ମୁଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ କହିଛି ଯେ ଏଥିପାଇଁ ଯାହା ଦରକାର ତାହା କରିବି। ଏଠାରେ ଜଣେ ନେତା କହିଥିଲେ ଯେ ହିନ୍ଦୁମାନଙ୍କୁ ବଧ କରି ଭାଗିରଥୀରେ ଭସାଇ ଦିଆଯିବ । ମୁଁ ଭାବିଲି ସିଏମ କିଛି କହିବେ । କିନ୍ତୁ କିଛି ହେଲା ନାହିଁ । ବର୍ତ୍ତମାନ ମୁଁ କହୁଛି ତୁମକୁ ତୁମ ଭୂମିରେ କବର ଦେବି ।
କିଛି ଦିନ ହେବ ସଲମାନ ଖାନଙ୍କୁ କ୍ରମାଗତ ଭାବେ ଧମକ ଆସୁଛି । ସଲମାନଙ୍କ ପରେ ନିକଟରେ ଶାହାରୁଖ ଖାନଙ୍କୁ ମଧ୍ୟ ଧମକ ମିଳିଥିଲା ଏବଂ ବର୍ତ୍ତମାନ ମିଥୁନଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି। ମିଥୁନ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।