ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଝଟକା

1 min read

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଲେଖକ ସଲମାନ ରୁସିଦଙ୍କ ଲିଖିତ ବିବାଦୀୟ ଉପନ୍ୟାସ ଦ ସାଟାନିକ ଭର୍ସେସକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ରାୟ । ତତକାଳୀନ ରାଜୀବ ଗାନ୍ଧି ସରକାର ୧୯୮୮ରେ ଏହି ପୁସ୍ତକର ଆମଦାନି ଉପରେ କୌଣସି କଟକଣା ଲାଗୁ କରିବାର ପ୍ରମାଣ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । କଟକଣା ସଂକ୍ରାନ୍ତରେ ଯଥାର୍ଥ ବିଜ୍ଞପ୍ତି ଦାଖଲ କରିବାରେ କର୍ତ୍ତୃପକ୍ଷ ବିଫଳ ହୋଇଥିବାରୁ ସେପରି କୌଣସି କଟକଣା ଜାରି ହୋଇନାହିଁ ବୋଲି କହିଛନ୍ତି କୋର୍ଟ ।

ଫଳରେ ଏହି ତଥାକଥିତ ନିଷେଧାଦେଶ ବିରୋଧରେ ଆଗତ ଏକ ପିଟିସନକୁ ବନ୍ଦ କରିଛନ୍ତି ଅଦାଲତ । ଜଷ୍ଟିସ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି- ପିଟିସନ ଅଯଥାର୍ଥ ଏବଂ ପିଟିସନରକାରୀ ଆଇନ ଅନୁସାରେ ହିଁ କୌଣସି ପଦକ୍ଷେପ ନେଇପାରିବେ । ୧୯୮୮ରେ ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବୁକର ପ୍ରାଇଜ ବିଜେତା ଏହି ପୁସ୍ତକକୁ କେନ୍ଦ୍ର ସରକାର ନିଷିଦ୍ଧ କରିଥିଲେ ।

ଈଶ୍ବର ନିନ୍ଦା ଦର୍ଶାଇ ସାରା ବିଶ୍ବରେ ଏହି ପୁସ୍ତକ ବିରୋଧରେ ମୁସଲିମ ସମ୍ପ୍ରଦାୟ ସ୍ବର ଉତ୍ତୋଳନ କରିଥିଲେ । ୧୯୮୮ ଅକ୍ଟୋବର ୫ରେ କେନ୍ଦ୍ର ପରୋକ୍ଷ କର ଓ ଶୁଳ୍କ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜରିଆରେ ପୁସ୍ତକର ଆମଦାନି ଉପରେ ନିଷେଧାଦେଶ ଜାରି କରାଯାଇଥିବାରୁ ସେ ପୁସ୍ତକ ଆମଦାନି କରିପାରୁନାହାନ୍ତି ବୋଲି ଅଭିଯୋଗ କରି ଏହା ବିରୋଧରେ ସନ୍ଦୀପନ ଖାନ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଏହି ନିଷେଧାଦେଶ ସଂକ୍ରାନ୍ତ କୌଣସି ବିଜ୍ଞପ୍ତି ଉପଲବ୍ଧ ହୋଇପାରି ନଥିଲା । ଏନେଇ ୨୦୧୯ରେ ସେ କୋର୍ଟରେ ପିଟିସନ ଫାଇଲ କରିଥିଲେ । ଏହା ସହ ଏହି ବହି ଆମଦାନି ଲାଗି ତାଙ୍କୁ ଅନୁମତି ଦିଆଯାଉବୋଲି ଆବେଦନ କରିଥିଲେ ।