କେନ୍ଦ୍ରକୁ ବ୍ୟବସାୟୀଙ୍କ ଚରମବାଣୀ: ଖୁଚୁରା ବ୍ୟବସାୟରେ ଏଫଡିଆଇ ବନ୍ଦ ନକଲେ…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତିକୁ ଘୋର ବିରୋଧ । ସିଧା ସିଧା ଚେତାବନୀ ଦେଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ । ଯଦି ଖୁଚୁରା ବ୍ୟବସାୟରେ ଏଫଡିଆକୁ ବନ୍ଦ କରା ନଯାଏ ଆଗାମୀ ଦିନରେ ୯ କୋଟି ବ୍ୟବସାୟୀ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରି ଦେବେ । ୟୁପିଏ ସରକାର ସମୟରେ ଯେଉଁ ବିଜେପି ରିଟେଲ୍ ଏଫଡିଆଇକୁ ବିରୋଧ କରିଥିଲା ଶାସନକୁ ଆସିବା ପରେ ଏହାକୁ ଅନୁମତି ଦେଇ ୭୦ କୋଟି ଲୋକଙ୍କ ପେଟରେ ଲାତ ମାରିଛି । ବିଶେଷଜ୍ଞଙ୍କ ଅଭିଯୋଗ, ଏଫଡିଆଇ ଭିତ୍ତିଭୂମି ବିକାଶ ପାଇଁ ବିନିଯୋଗ ନକରି ରିଟେଲ ବ୍ୟବସାୟରେ ଅନୁମତି ଦେବା ଅର୍ଥ ଦେଶରେ ବେରୋଜଗାରୀ ବୃଦ୍ଧିକୁ ସିଧା ଆମନ୍ତ୍ରଣ କରିବା ।

୧୦ ବର୍ଷ ସମ୍ଭାଳିଲୁ, ଆଉ ବରଦାସ୍ତ କରିହେବନି । ଏଣିକି ଆରପାର ଲଢେଇ । କେନ୍ଦ୍ର ସରକାରଙ୍କୁ ଏପରି ଚରମବାଣୀ ଶୁଣାଇଛି ସର୍ବଭାରତୀୟ ବ୍ୟବସାୟୀ ସଂଘ କେଟ୍ । ଖୁଚୁରା ବ୍ୟବସାୟରେ କେନ୍ଦ୍ର ସରକାର ଏଫଡିଆଇକୁ ଅନୁମତି ଦେଇ ବ୍ୟବସାୟୀଙ୍କ ଦାନାପାଣି ବନ୍ଦ କଲେଣି । ବନ୍ଦ ହେଲାଣି ୧ କୋଟି ବ୍ୟବସାୟୀଙ୍କ ବେପାର । ରିଟେଲ୍ କାରବାରରେ ଏଫଡିଆଇ ବନ୍ଦ ନକଲେ ୯ କୋଟି ଖୁଚୁରା ବ୍ୟବସାୟୀ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରିବାକୁ ବାଧ୍ୟ ହେବେ ।

୨୦୧୩ରେ ୟୁପିଏ କ୍ଷମତାରେ ଥିବାବେଳେ ରିଟେଲ୍ ଏଫଡିଆଇ ବିଲ୍ ଆସିଥିଲା । ସେତେବେଳେ ବିରୋଧୀ ଦଳରେ ଥିବା ବିଜେପି ବ୍ୟବସାୟୀଙ୍କ ସ୍ବାର୍ଥକୁ ସମର୍ଥନ କରି ସଂସଦରେ ବିଲ୍କୁ ଘୋର ବିରୋଧ କରିଥିଲା । କିନ୍ତୁ ୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବାର ମାତ୍ର ୨ ମାସ ଭିତରେ ବିଶ୍ବ ବାଣିଜ୍ୟ ଚୁକ୍ତିନାମାର ଦ୍ବାହି ଦେଇ ଏଫଡିଆଇକୁ ଅନୁମତି ଦେଲେ । ଫଳରେ ଆଜି ବଡ଼ ବଡ଼ କର୍ପୋରେଟଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି ଅତ୍ୟାବଶ୍ୟକ ସାମଗ୍ରୀ ବଜାର । ସେମାନେ ବିଦେଶରୁ ଡଲାର ଆକାରରେ ଋଣ କରି ୧ରୁ ୨ ପ୍ରତିଶତ ସୁଧରେ ସାମ୍ରାଜ୍ୟ ଠିଆ କରୁଛନ୍ତି । ଅଥଚ ସାଧାରଣ ଖୁଚୁରା ବ୍ୟବସାୟୀଟି ବ୍ୟାଙ୍କରୁ ଅନ୍ଯୁନ ୧୦ ପ୍ରତିଶତ ସୁଧରେ ଋଣ ନେଇ ତଳିତଳାନ୍ତ ହେଉଛି । କେନ୍ଦ୍ର ସରକାର ଖୁଚୁରା ବ୍ୟବସାୟୀଙ୍କ ସାମାଜିକ ସୁରକ୍ଷା ଦିଗଟିକୁ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି । କେଟକୁ ବାରମ୍ବାର ପ୍ରତିଶ୍ରୁତି ଦେଇ କେନ୍ଦ୍ର ସରକାର କେବଳ ପ୍ରତାରଣା କରିଛି ବୋଲି ଅଭିଯୋଗ ହୋଇଛି ।

ଦେଶର ଖୁଚୁରା ବ୍ୟବସାୟରେ ଗୋଟିଏ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି । ଖୁଚୁରା ବେପାରରେ ଏଫଡିଆଇକୁ ଆଦୌ ଅନୁମତି ଦେବା କଥା ନୁହେଁ । ଏହା ବଦଳରେ ଭିତ୍ତିଭୂମି ନିର୍ମାଣରେ ଏଫଡିଆଇ ବିନିଯୋଗ କଲେ ଜନତାଙ୍କ କଲ୍ୟାଣ ହୁଅନ୍ତା । କିନ୍ତୁ ଏବେର କେନ୍ଦ୍ର ସରକାର ତାହା ନକରି ଖୁଚୁରା ବ୍ୟବସାୟୀଙ୍କ ପେଟରେ ଲାତ ମାରିବା ଭଳି କାମ କରୁଛନ୍ତି । ଯଦି ଖୁଚୁରା ବ୍ୟବସାୟୀମାନେ ସେମାନଙ୍କ ଲାଇସେନ୍ସ ସରେଣ୍ଡର କରନ୍ତି ତା’ହେଲେ ଅରାଜକତା ସ୍ଥିତି ସୃଷ୍ଟି ହେବ । ବେରୋଜଗାରୀ ଆହୁରି ବଢିଯିବ । ବାସ୍ତବରେ ଖୁଚୁରା ବ୍ୟବସାୟୀ ୫୫ ପ୍ରତିଶତ ରୋଜଗାର ଦେଇଥାନ୍ତି । ଏତେ ମାତ୍ରାରେ ରୋଜଗାର ସୁଯୋଗ ସୃଷ୍ଟି କରିବା କେନ୍ଦ୍ର କିମ୍ବା କୌଣସି ରାଜ୍ୟ ସରକାରଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଖାଲି ସେତିକି ନୁହେଁ, ବଡ଼ ବଡ଼ କର୍ପୋରେଟ୍ ଜଗତ ଅତ୍ୟାବଶ୍ୟକ ସାମଗ୍ରୀ ବଜାରକୁ ନିଜ କବଜାକୁ ନେଲେ ସାଧାରଣ ଲୋକେ ମଧ୍ୟ ଦରଦାମ ଶୋଷଣର ଶିକାର ହେବେ ବୋଲି ଚେତାଇ ଦେଇଛନ୍ତି ବିଶେଷଜ୍ଞ ।

ବିରୋଧୀ ଭୂମିକାରେ ଥିବାବେଳେ ବ୍ୟବସାୟୀଙ୍କ ସ୍ବାର୍ଥ ଦିଶୁଥିଲା । ଏବେ କ୍ଷମତାରେ ଥାଇ ବ୍ୟବସାୟୀଙ୍କ ଦୁଃଖ ଆଖିକୁ ଦିଶୁନି ବୋଲି ଅଭିଯୋଗ ହୋଇଛି । ଆଗାମୀ ଦିନରେ ବିଶେଷ କାର୍ଯ୍ୟକ୍ରମ କରି ଦେଶର ବ୍ୟବସାୟୀଙ୍କୁ କେନ୍ଦ୍ରର ମାରଣ ନୀତି ବିରୋଧରେ ଏକାଠି କରିବାକୁ ଯୋଜନା କରୁଛି ସର୍ବଭାରତୀୟ ବ୍ୟବସାୟୀ ସଂଘ ।