ପରଲୋକରେ ଗାୟିକା ଶାରଦା ସିହ୍ନା
ନୂଆଦିଲ୍ଲୀ : ଆରପାରିରେ ପ୍ରସିଦ୍ଧ ଲୋକଗୀତ ଗାୟିକା ଶାରଦା ସିହ୍ନା । ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଶାରଦା । ସ୍ବାସ୍ଥ୍ରଅବସ୍ଥା ବିଗିଡିବାରୁ ସେ କିଛି ଦିନ ହେବ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଶାରଦାଙ୍କ ବିୟୋଗରେ ତାଙ୍କର ଅଗଣିତ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।
୧୯୫୨ ଅକ୍ଟୋବର ୧ ତାରିଖରେ ବିହାରର ସୁପୋଲ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଶାରଦା । ନିଜର ଚମତ୍କାର କଣ୍ଠ ପାଇଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଶାରଦାଙ୍କୁ ବିହାରର କୋକିଳ ବ୍ୟତୀତ ଭୋଜପୁରୀ କୋକିଲା, ଭିଖାରୀ ଠାକୁର ସମ୍ମାନ, ବିହାର ରତ୍ନ, ମିଥିଲି ବିଭୂତି ସହିତ ଅନେକ ସମ୍ମାନ ମିଳିଛି । ଶାରଦା ସିହ୍ନା ଭୋଜପୁରୀ, ମଗହୀ ଓ ମୈଥଲି ଭାଷାରେ ବିବାହ ଓ ଛଠର ଗୀତ ଗାଇଛନ୍ତି, ଯାହା ଲୋକଙ୍କ ମଧ୍ୟରେ ବହୁ ପ୍ରଚଳିତ । ୨୦୧୮ରେ ଗାୟିକା ଶାରଦା ସିହ୍ନାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶାରଦା ସିହ୍ନା ଛଠ୍ ପୂଜା ଉପରେ ଆଧାରିତ ‘ହୋ ଦୀନାନାଥ’ ଗୀତକୁ ଲୋକେ ବେଶ୍ ପ୍ରଶଂସା କରିଥିଲେ।