ଛାତ୍ରଛାତ୍ରୀଙ୍କୁ ଆସୁଛି ଫୋନ୍, ୫ ହଜାର ଦିଅ ପରୀକ୍ଷାରେ ପାସ୍ ସହ ଅଧିକ ନମ୍ବର ଦିଆଯିବ

ନନ୍ଦିଘୋଷ ବ୍ୟୁରୋ: କନ୍ଧମାଳ ଜିଲ୍ଲାରେ ବିଭିନ୍ନ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ନିକଟକୁ ଆସୁଛି ଫୋନ କଲ୍ । ପରୀକ୍ଷାରେ ଅଧିକ ନମ୍ବର ଦେବା ସହ ପାସ୍ କରାଇଦେବାକୁ ୫ ହଜାର ଟଙ୍କା ମଗାଯାଉଛି । ୟୁପିଏ, ଗୁଗୁଲ ପେ, ଫୋନ୍ ପେ କିମ୍ବା ଜନ ସେବା କେନ୍ଦ୍ର ମଧ୍ୟରେ ଟଙ୍କା ପଠାଇବାକୁ କୁହାଯାଉଛି । ଫୁଲବାଣୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଜ୍ୟୋତି ପ୍ରକାଶ ରଥଙ୍କ ନାମରେ, ସାଇବର ଠକ ଛାତ୍ରଛାତ୍ରୀମାନଙ୍କୁ ଫୋନ୍ କରି ଟଙ୍କା ମାଗୁଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷର ପରୀକ୍ଷା ଆସନ୍ତା ଫ୍ରେବ୍ରୁଆରୀ ମାସରେ ହେବାକୁ ଥିବାବେଳେ, ପ୍ରାକ୍ଟିକାଲ ଓ ଥିଓରୀରେ ମାର୍କ ବଢ଼ାଇବା ସହ ଅଧିକ ନମ୍ବର ଦିଆଯିବ । ସେଥିପାଇଁ ସନ୍ଧ୍ୟା ଭିତରେ ଫୋନ ପେ କିମ୍ବା ସହଜ ଜନ ସେବା କେନ୍ଦ୍ରରେ ଶୀଘ୍ର ୫ ହଜାର ଟଙ୍କା ଦେବାକୁ କୁହାଯାଉଛି । ସେହିଭଳି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ଫୋନ୍ କଲ୍ ଯାଇଛି । ଏହା ସାଇବର ଠକେଇ ଜାଣିବା ପରେ, ଅଧ୍ଯକ୍ଷ ଜ୍ୟୋତି ପ୍ରକାଶ ରଥ ଏବଂ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅଭିଭାବକ ଫୁଲବାଣୀ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସବୁଠାରୁ ଆଶ୍ଚର୍ୟ୍ଯ କଥା, ଗୋଟିଏ ନମ୍ବରରୁ ଫୋନ କଲ୍ ଆସୁଥିବା ବେଳେ, ଜଣେ ହିଁ ବ୍ୟକ୍ତି ଫୋନ କରୁଥିବା ଜଣାପଡ଼ିଛି ।