ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍ , ଭୁଲ ତଥ୍ୟ ପ୍ରଦାନ ଓ ପକ୍ଷପାତ ଅଭିଯୋଗ

ନୂଆଦିଲ୍ଲୀ : ୱିକିପିଡିଆକୁ କେନ୍ଦ୍ର ସରକାରଙ୍କ ନୋଟିସ୍। ୱିକିପିଡିଆ ଭୁଲ ତଥ୍ୟ ପ୍ରଦାନ କରୁଥିବା ଓ ପକ୍ଷପାତ କରୁଥିବା ଅଭିଯୋଗ ହୋଇଥିବା କହି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ନୋଟିସ୍ ଦେଇଛି। ଏହା ସହିତ ଅଭିଯୋଗ ହୋଇଛି, କେତେକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକଙ୍କ ପାଖରେ ଅଛି ନିୟନ୍ତ୍ରଣ କ୍ଷମତା। ତେଣୁ କାହିଁକି ୱିକିପିଡିଆକୁ ଏକ ପ୍ରକାଶକ ବୋଲି ଗ୍ରହଣ କରାନଯାଇ ବାର୍ତ୍ତାବହ କୁହାଯିବ ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର।

ୱିକିପିଡିଆ ହେଉଛି ଏକ ଅନଲାଇନ୍ ଏନସାଇକ୍ଲୋପିଡିଆ। ଏଥିରେ ଯେ କେହି ଲେଖି ପାରିବେ, ସଂପାଦନା କରିବେ। ୱିକିପିଡିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏବେ ଏକ ମାମଲା ଚାଲିଛି। ଏହି ମାମଲା ରୁୁଜୁ କରିଛି ଏଏନଆଇ। ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ପ୍ରଚାର କରୁଥିବାର ଜଣେ ବ୍ୟକ୍ତି ୱିକିପିଡିଆରେ ଲେଖିଥିଲେ। ଏହା କିଏ ଲେଖିଛି ବୋଲି ତଥ୍ୟ ମାଗିଥିଲା ଏଏନଆଇ। ତଥ୍ୟ ଦିଆନଯିବାରୁ କୋର୍ଟକୁ ଯାଇଥିଲା ଏଏନଆଇ। ଯେହେତୁ ୱିକିପିଡିଆ ନିଜକୁ କେବଳ ଇଣ୍ଟରମିଡିଆରି ବା ବାର୍ତ୍ତାବହ ବୋଲି କହୁଛି, ତେବେ କିଏ ଲେଖୁଛି, ସଂପାଦନା କରୁଛି, ତାର ନାଁ ପ୍ରକାଶ କରିବାରେ କଣ ଅସୁବିଧା ବୋଲି ପ୍ରଶ୍ନ କରିଥିଲେ ଦିଲ୍ଲୀ ହାଇକୋର୍ଟ। ଏହାରି ଭିତରେ କେନ୍ଦ୍ର ସରକାର ମଧ୍ୟ ୱିକିପିଡିଆକୁ ନୋଟିସ୍ ଜାରି କରିଛନ୍ତି।