ଅଦିନିଆ ରଥଯାତ୍ରା ପ୍ରସଙ୍ଗ : ଇସ୍କନକୁ ଗଜପତି ମହାରାଜାଙ୍କ ଚେତାବନୀ
ଶାସ୍ତ୍ର ବିରୋଧୀ ଓ ପରମ୍ପରା ବିରୋଧୀ କାମ କରୁଛନ୍ତି ଇସ୍କନ । ଇସ୍କନର ଅଦିନିଆ ରଥଯାତ୍ରା ଓ ସ୍ନାନ ଯାତ୍ରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଗଜପତି ମହାରାଜ । ଇସ୍କନ ରଥଯାତ୍ରା ସନାତନ ଧର୍ମ ଓ ଜଗନ୍ନାଥଙ୍କ ସଂସ୍କୃତିର ଉଲ୍ଲଂଘନ ହେଉଛି କହିଛନ୍ତି ପୁରୀ ଗଜପତି । ୧୯୮୦ ମସିହାରୁ ଏହାକୁ ବନ୍ଦ କରିବାକୁ ଆମେ ପ୍ରାୟାସ କରିଆସୁଛୁ । ୨୦୦୭ରେ ସେମାନେ ରଥଯାତ୍ରା ଆରମ୍ଭ କରିଥିଲେ । ଶ୍ରୀମନ୍ଦିର ପ୍ରଶାସକ ତାଙ୍କୁ ଚିଠି ଲେଖିଥିଲେ ମଧ୍ୟ ସେମାନେ ତାହାକୁ ମାନିଲେ ନାହିଁ । ୨୦୦୮ରେ ମଧ୍ୟ ଫେବୃଆରୀ ମାସରେ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲା । ହେଲେ ତାହାକୁ ମଧ୍ୟ ଇସ୍କନ ମାନିଲାନାହିଁ । ୨୦୨୧ ପରଠାରୁ ଅତି ବିଚିତ୍ର ଭାବରେ ଭାରତ ବାହାରେ ଅଦିନିଆ ରଥଯାତ୍ରା କରୁଛି ଇସ୍କନ । ମୁଁ ଇସ୍କନ ସଭାପତି ଓ ଇସ୍କନ ମୁଖ୍ୟ କାର୍ଯ୍ୟାଳୟକୁ ସବୁ କାରଣ ଦର୍ଶାଇ ଚିଠି ଲେଖିଥିଲି, ଚିଠିରେ ଉତ୍ତର ଦେଲେନାହିଁ ବୋଲି କହିଛନ୍ତି ଗଜପତି ମହାରାଜ ।
ଭକ୍ତ ମାନଙ୍କ ଭାବାବେଗ ଅନୁସାରେ ସ୍ନାନ ଯାତ୍ରା ବନ୍ଦ କରିଛନ୍ତି । ହେଲେ ଏବେ ବି ରଥଯାତ୍ରା ପ୍ରସ୍ତୁତି ଚଳାଇଛନ୍ତି । ନାଇଜେରିଆରେ ମଧ୍ୟ ସେମାନେ ଅଦିନିଆ ରଥଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି । ମାର୍ଚ୍ଚ ମାସରେ ସେମାନେ ବାର୍ଷିକ ସଭା କରିବେ । ଏ ବିଷୟରେ ଆଲୋଚନା ହେବ । ଆମେ ପୁଣିଥରେ ଚିଠି ଲେଖିବୁ ବୋଲି କହିଛନ୍ତି ଗଜପତି ମହାରାଜ । ମାର୍ଚ୍ଚରେ ଯଦି ଇସ୍କନ ତାହାର ବାର୍ଷିକ ବୈଠକରେ ଭାରତ ବାହାରେ ରଥଯାତ୍ରା ବନ୍ଦ ନକରେ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଆମେ ବାଧ୍ୟ ହେବୁ । କୃଷ୍ଣଙ୍କ ସବୁ ପରମ୍ପରାକୁ ଇସ୍କନ ସବୁବେଳେ ମାନୁଛି । ହେଲେ ଜଗନ୍ନାଥଙ୍କ ପରମ୍ପରାକୁ କାହିଁକି ସେମାନେ ଉଲ୍ଲଂଘନ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଗଜପତି ମହାରାଜ । ଇସ୍କନ ପକ୍ଷରୁ ସ୍ନାନଯାତ୍ରାକୁ ବନ୍ଦ କରାଯାଇଛି, ହେଲେ ଫେଷ୍ଟିଭାଲ ଅଫ ବ୍ଲିସ ନାଁରେ ଆସନ୍ତା ନଭେମ୍ବର ୯ ତାରିଖରେ ଆମେରିକାର ହଷ୍ଟନରେ ରଥଯାତ୍ରାର ଆୟୋଜନ କରୁଛି ଇସ୍କନ ।