ଟିଟିଲାଗଡ ରାଜ କନୱାର ପାର୍କରେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ କିଣାଯାଇଥିଲା ଲକ୍ଷାଧିକ ଟଙ୍କାର ବାୟାମ୍ ସାମଗ୍ରୀ । ହେଲେ ଦୀର୍ଘଦିନ ହେଲା କାମରେ ନଲାଗି ପାର୍କ ଭିତରେ ପଡିରହିଛି । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ଖୋଲା ଆକାଶ ତଳେ ପଡିରହିଛି ଲକ୍ଷାଧିକ ଟଙ୍କାର ଜିମ୍ ସାମଗ୍ରୀ । ରକ୍ଷଣାବେକ୍ଷଣା ଅଭାବରୁ ଖତ ହେବାକୁ ବସିଲାଣି ଜିମ୍ ସାମଗ୍ରୀ । ଏ ହେଉଛି ଟିଟିଲାଗଡ ସହରର ମଧ୍ଯଭାଗରେ ଥିବା ରାଜ କନୱାର ପାର୍କର ଦୃଶ୍ଯ । ଏହି ପାର୍କରେ ସହରର ସମସ୍ତ ଲୋକ ଆରାମରେ ବସିବା ପାଇଁ ବ୍ଯାୟାମ କରିବା ପାଇଁ ଆସିଥାନ୍ତି । ହେଲେ ଗତ କିଛି ମାସ ହେଲା ପାର୍କର ମଧ୍ଯ ଭାଗରେ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ ପଡିରହିଛି । ଗୋଟିଏ ପଟେ ବ୍ୟାୟାମ ସାମଗ୍ରୀ ପାର୍କ ଭିତରେ ପଡିରହିଥିବାରୁ ପାର୍କର ସୌନ୍ଦର୍ଯ୍ଯତା ନଷ୍ଟ ହେଉଛି । ଅନ୍ଯପକ୍ଷରେ ଏହି ସବୁ ଜିନିଷ ପାର୍କ ଭିତରେ ପଡିରହିଥିବାରୁ ଜିନିଷ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ଲୋକଙ୍କ ହିତ ପାଇଁ ଟିଟିଲାଗଡ ପୌରପରିଷଦ ତରଫରୁ ଲକ୍ଷାଧିକ ଟଙ୍କାର ବ୍ୟାୟାମ ସାମଗ୍ରୀ କିଣା ହୋଇଥିଲା । କିନ୍ତୁ ଏହାର ବ୍ଯବହାର ହୋଇପାରୁନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି ।

ସେପଟେ ଟିଟିଲାଗଡ କନୱାର ପାର୍କରେ ପଡ଼ି ରହିଥିବା ସାମଗ୍ରୀ କିଏ କିଣିଲା ଓ କେଉଁ ଉଦେଶ୍ୟରେ କିଣିଛି ଓ ଏହାର ମୂଲ୍ୟ କେତେ ଏହି ସମସ୍ତ ତଥ୍ୟ ସଂଗ୍ରହ କରିବାକୁ ସୂଚନା ଅଧିକାର କର୍ମୀ ଈଶ୍ବର ଜୈନ ଟିଟିଲାଗଡ ମ୍ଯୁନିସପାଲଟିକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ତଥ୍ୟ ଅନୁସାରେ ଏହି ବ୍ୟାୟମ ସାମଗ୍ରୀ ମହାରାଷ୍ଟ୍ର ନାଗପୁରର ଉଜ୍ଵଳା ସ୍ପୋର୍ଟସ ନାମକ ସଂସ୍ଥା ୨୦୨୩ ମସିହାରେ ଯୋଗାଇଛି । ଯାହାର ମୂଲ୍ଯ ୬୭ ଲକ୍ଷ ଟଙ୍କାରୁ ଅଧିକ । ତେବେ ଏତେ ଟଙ୍କାର ସାମଗ୍ରୀ କିଣା ହୋଇ ବ୍ୟବହାର ନହୋଇ ଖୋଲା ଆକାଶ ତଳେ କାହିଁକି ପଡିଛି ବୋଲି ସ୍ଥାନୀୟ ଲୋକେ ଓ ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ଟିଟିଲାଗଡ ମୁନସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ ।