୭ ବର୍ଷ ହେଲା ନିରାଶ୍ରୟ ବୃଦ୍ଧାଙ୍କୁ ମିଳୁନି ଭତ୍ତା କି ରାସନ

1 min read

ନନ୍ଦିଘୋଷ ବ୍ୟୁରୋ: ଅକାରଣରେ ଅସହାୟ ବୃଦ୍ଧାଙ୍କ କାଟିଦେଇଥିଲେ ଭତ୍ତା ସହ ଅନ୍ତୋଦୟ ଯୋଜନାର ୩୫ କିଲୋ ଚାଉଳ । ଖବର ପ୍ରଘଟ ହେବା ତରବରିଆ ଭାବେ ପ୍ରଦାନ କଲେ ୫ ହଜାର ଟଙ୍କା। ଭୁଲ ସ୍ୱୀକାର କରିବା ପରିବର୍ତ୍ତେ ବୃଦ୍ଧାଙ୍କ ଉପରେ ଲଦିଦେଲେ ସମସ୍ତ ଦୋଷ । ତେବେ ପ୍ରଶ୍ନ ଉଠୁଛି- କାହିଁକି ବନ୍ଦ ହେଲା ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ?

ଅସହାୟ ବୃଦ୍ଧାଙ୍କ ଭତ୍ତା କଟିବା ପଛରେ ସତ କଣ ? କାହିଁକି ବୃଦ୍ଧାଙ୍କୁ ମିଳିନିଥିଲା ୭ ବର୍ଷ ହେଲା ବାର୍ଦ୍ଧକ୍ଯ ଭତ୍ତା ? ଖାଲି ସେତିକି ନୁହେଁ ବୃଦ୍ଧାଙ୍କୁ ମିଳୁନଥିଲା ଅନ୍ତଦୋୟ ଯୋଜନାରେ ଚାଉଳ।  ରାୟଗଡା ପୌରପରିଷଦ ଅଧିନସ୍ଥ ୪ ନମ୍ବର ଓାର୍ଡର ତୁଳସା ଝଡିଆ । ବୟସ ୮୦ ଟପିଲାଣି । ଚର୍ମ ଧୁଡୁ ଧୁଡୁ ଚେହେରାକୁ ଅଣ୍ଟା ନଇଗଲାଣି । ଗୋଟିଏ ପଟେ ଚାଲିବା କଷ୍ଟକର ହୋଇପଡିଥିବା ବେଳେ ଏବେ କାନକୁ ଆଉ ଶୁଭୁନାହିଁ ।

ପରିବାର କହିଲେ ସାଥିରେ ଏବେ କେହି ନାହାଁନ୍ତି । ପରିଣତ ବୟସରେ ଅସହାୟ ପାଲଟିଯାଇଛନ୍ତି ତୁଳସା । ଠିକ ଏହି ସମୟରେ ଅନ୍ତୋଦୟ ଯୋଜନାରେ ମିଳୁଥିବା ୩୫କିଲୋ ଚାଉଳ ସହ ବାର୍ଦ୍ଧକ୍ଯ ଭତ୍ତା ଦୀର୍ଘ ୭ ବର୍ଷ ହେବ ବନ୍ଦ ହୋଇଯାଇଛି । ଭାତ ଗଣ୍ଡେ ପାଇଁ ପର ଉପରେ ନିର୍ଭର କରି ଚଳୁଛନ୍ତି ତୁଳସା। କେବଳ ସେତିକି ନୁହେଁ ତାଙ୍କର ନିଜର ଘର ନଥିବାରୁ ବୃଦ୍ଧା ଜଣଙ୍କ ଏବେ ନିଜ ପୁତୁରା ପାଖରେ ଆଶ୍ରୟ ନେଇଛନ୍ତି  । ପୁତୁରାର ଏକ ଛୋଟିଆ ଦୋକାନ ରହିଛି ସେଥିରୁ ଯାହା ମିଳେ ସେଥିରେ ନିଜ ସ୍ତ୍ରୀ, ତିନି ପିଲାଙ୍କ ସହିତ ଏହି ବୃଦ୍ଧାଙ୍କୁ ନେଇ ଚଳିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ବୃଦ୍ଧାଙ୍କ ପୁତୁରା ବୋହୂ।

ଅସହାୟ ତୁଳସାଙ୍କ ଏହି ଦୁର୍ଦ୍ଦଶା ସଂପର୍କରେ ସଫେଇ ଦେଇଛନ୍ତି ଦାୟିତ୍ୱରେ ଥିବା କର୍ମଚାରୀ ।  ଅସହାୟ ତୁଳସାଙ୍କ ଫିଙ୍ଗର ପ୍ରିଣ୍ଟ ନେଉନଥିବାରୁ, ଆଧାର କାର୍ଡ ନଥିବାରୁ ଭତ୍ତା ଓ ଚାଉଳ କଟିଯାଇଥିବା ନେଇ ପ୍ରକାଶ କରିଛନ୍ତି । ଏଥସହିତ କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୫ ହଜାର ଟଙ୍କା ଭତ୍ତା ପ୍ରଦାନ କରାଯାଇଥିବା କହିଛନ୍ତି। ଅପରପକ୍ଷେ ଅସହାୟ ତୁଳସା ୩ ବର୍ଷରୁ ଅଧିକ ଦିନ ଧରି ଉପସ୍ଥିତ ନଥିବାରୁ ଭତ୍ତା ଓ ଚାଉଳ କଟି ଯାଇଥିଲେ । ବର୍ତ୍ତମାନ ୫ ମାସର ଭତ୍ତା ପ୍ରଦାନ କରାଯାଇଛି। ଏବଂ  ଖୁବ୍ ଶୀଘ୍ର ଚାଉଳ ପ୍ରଦାନ କରାଯିବ ବୋଲି ପୌରପରିଷଦ କାର୍ଯ୍ଯନିର୍ବାହୀ ଅଧିକାରୀ କହିଛନ୍ତି । ସେପଟେ ଅଧିକାରୀଙ୍କ କଥାକୁ ଖଣ୍ଡନ କରିବା ସହ ସେ ମିଛ କହୁଥିବା ନେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଦୀର୍ଘ ୭ ବର୍ଷରୁ ଉର୍ଦ୍ଧ ସମୟ ସରକାରୀ ସୁବିଧା ପାଇବାରୁ ବଂଚିତ ରହିଥିବା ତୁଳସା ଯଦି ୫ ମାସର ୫ ହଜାର ଟଙ୍କା  ପାଉଛନ୍ତି ତେବେ ୭ ବର୍ଷର ସମସ୍ତ କାହିଁକି ପାଇବେନି ବୋଲି ବରିଷ୍ଠ ଆଇନଜୀବୀ ପ୍ରଶ୍ନ କରିଛନ୍ତି । କାହିଁକି ନିରାଶ୍ରୟ ବୃଦ୍ଧାଙ୍କ ଚାଉଳ ଓ ଭତ୍ତା ବନ୍ଦ ହେଲା । ବୃଦ୍ଧା ଜଣଙ୍କ କେତେବେଳେ ଅନାହାରରେ ତ କେତେବେଳେ ଅର୍ଦ୍ଧାହାରରେ ଚଳୁଛନ୍ତି । ତୁରନ୍ତ ବୃଦ୍ଧାଙ୍କୁ ଚାଉଳ ଓ ଭତ୍ତା ଯୋଗାଇଦେବାକୁ ଦାବି ହୋଇଛି ।