ସରକାରଙ୍କ ଡ୍ଯାମେଜ କଣ୍ଟ୍ରୋଲ ଅପଚେଷ୍ଟାକୁ ବିଜେଡିର ନିନ୍ଦା
ନନ୍ଦିଘୋଷ ବ୍ୟୁରୋ: ଦାରିଙ୍ଗବାଡ଼ି ମାଣ୍ଡିପଙ୍କା ଗାଁ ଟାକୁଆ ଟ୍ରାଜେଡିରେ ସରକାରଙ୍କ ଡ୍ଯାମେଜ କଣ୍ଟ୍ରୋଲ ଅପଚେଷ୍ଟାକୁ ଜୋରଦାର ସମାଲୋଚନା କରିଛି ବିଜେଡି । ଏହି ଘଟଣାରେ ଏଯାଏଁ ମୁଖ୍ଯମନ୍ତ୍ରୀ ମୋହନ ମାଝୀ ମୁହଁ ଖୋଲିନାହାଁନ୍ତି । କିନ୍ତୁ ଅନ୍ଯ ମନ୍ତ୍ରୀମାନେ ଏଥିରେ ଟ୍ବିଷ୍ଟ ପରେ ଟ୍ବିଷ୍ଟ ଦେଇ ହାଲୁକା କରିବାରେ ବ୍ଯସ୍ତ । ଉପମୁଖ୍ଯମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପପୁଷ୍ଟି ହୋଇନି ବୋଲି ବୟାନ ଅତ୍ଯନ୍ତ ଦୁର୍ଭାଗ୍ଯଜନକ । ସେହିପରି ଆମ୍ବ ଟାକୁଆ ଜାଉ ଖାଇବା ସେହି ଅଞ୍ଚଳର ପାରମ୍ପରିକ ଖାଦ୍ଯ ବୋଲି କହିବା ଆହୁରି ଦୁର୍ଭାଗ୍ଯଜନକ ବୋଲି କହିଛି ବିଜେଡି । ଏଥିପାଇଁ ଓଡ଼ିଶା ଲଜ୍ଜିତ ଓ ଦୁଃଖିତ । ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ତୁରନ୍ତ ମନ୍ତ୍ରୀ କ୍ଷମା ମାଗନ୍ତୁ ବୋଲି ଦଳ ଦାବି କରିଛି । ସବୁଠାରୁ ବିବାଦୀୟ ବିବୃତି ଗତକାଲି ମନ୍ତ୍ରୀ ଦେଇଥିଲେ । ମାଣ୍ଡିପଙ୍କା ଗାଁର ଏହି ସବୁ ପରିବାର ପାଖରେ ପ୍ରଚୁର ପରିମାଣର ଖାଦ୍ୟ ସାମଗ୍ରୀ ଥିଲା ।
ଏହାକୁ ଯେତେ କଡା ଭାଷାରେ ଗାଳି କଲେ ବି କମ ହେବ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ସଂଜୟ ଦାସ ବର୍ମା । ଘଟଣାକୁ ୬ ଦିନ ବିତିଲାଣି । କନ୍ଧମାଳ ଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇନାହାଁନ୍ତି । ତୁରନ୍ତ ଯାଆନ୍ତୁ ବୋଲି ବିଜେଡି କହିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଉତ୍ତମ ଚିକିତ୍ସା ଦିଆଯାଉ । କେନ୍ଦ୍ର ସରକାର ଯେଉଁ ଖାଦ୍ୟ କୋଟା ରିଲିଜ କରିଛନ୍ତି, ସେଥିରେ ଖାଦ୍ୟ ସୁରକ୍ଷା ନିୟମରେ ଏକାସାଙ୍ଗେ ତିନି ମାସର ଚାଉଳ ୨୫ ଦିନରେ ବାଣ୍ଟିବାର ନିୟମ ରହିଛି । ତାହା ସରକାର ପାଳନ କରିନାହାଁନ୍ତି, ତୁରନ୍ତ ପାଳନ କରନ୍ତୁ ବୋଲି ଦାବି କରିଛି ବିଜେଡି । ଏପରି ଏକ ସମ୍ବେଦନଶୀଳ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।
ଘରେ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାକୁ ନିୟମ ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩ରେ ସଂସଦରେ ଆସିଲା । ବାଦ ପଡିଥିବା ୨୫ ଲକ୍ଷ ଲୋକଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କଲେ । ହିତାଧିକାରୀ ଚୟନରୁ ଖାଦ୍ୟ ବଣ୍ଟନ ଯାଏଁ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜ୍ୟ ସରକାର ଏହାର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ । ମାଣ୍ଡିପଙ୍କା ଗାଁରେ ରାସନ ବଣ୍ଟା ହୋଇନି । ଯେଉଁ ଆଠ ପରିବାର ପୀଡିତ ଅଛନ୍ତି, ସେମାନେ ଖାଦ୍ୟ ସୁରକ୍ଷା ଆଇନରୁ ବଂଚିତ ହୋଇଛନ୍ତି । ଗତ ସେପ୍ଟେମ୍ବର ୨୮ ତାରିଖରେ ଖାଦ୍ୟ ବଣ୍ଟନ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବରର ବଣ୍ଟନ ୨୫ ଦିନରେ ସାରିବାକୁ ନିର୍ଦ୍ଦେଶ ଦିଆଗଲା । ହେଲେ ସରକାରୀ ଅର୍ଡର କାର୍ଯ୍ୟକାରୀ ହୋଇନି । ଗଣମାଧ୍ୟମ ଓ ରାଜନୈତିକ ଦଳ ଆଗକୁ ଆସିବାରୁ, ବଣ୍ଟନ ପାଇଁ ପଦକ୍ଷେପ ନିଆଗଲା ବୋଲି କହିଛି ବିଜେଡି ।