ଭୁଶୁଡିଲା ସେୟାର ମାର୍କେଟ୍, ୧୧୦୦ରୁ ଅଧିକ ପଏଣ୍ଟ ଖସିଲା ସେନସେକ୍ସ

ନୂଆଦିଲ୍ଲୀ: ଭୁଶୁଡିଲା ସେୟାର ଭାରତୀୟ ସେୟାର ମାର୍କେଟ। ସେନସେକ୍ସ ୧୧୦୦ ପଏଣ୍ଟରୁ ଅଧିକ ଖସିଥିବା ବେଳେ ନିଫ୍ଟି ଖସିଛି ୪୦୦ ପଏଣ୍ଟ। ଆଜି ସକାଳେ ମାର୍କେଟ ଖୋଲୁ ଖୋଲୁ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା। ମାର୍କେଟରୁ ବିଦେଶୀ ନିବେଶକାରୀମାନେ ପୁଞ୍ଜି ପ୍ରତ୍ୟାହାର କରି ନେଉଥିବାରୁ ମାର୍କେଟ କ୍ରାସ୍ କରିଥିବା କୁହାଯାଉଛି। କେବଳ ଅକ୍ଟୋବରରେ ବିଦେଶୀ ନିବେଶକାରୀ ୧ ଲକ୍ଷ ୧୩ ହଜାର ୮୫୮ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଆଗକୁ ମାର୍କେଟର ସ୍ଥିତି କଣ ହେବ, ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତା ସହିତ ହାଇ ଭ୍ୟାଲୁଏସନ୍ ଓ ରିଟର୍ଣ୍ଣ କମ୍ ହେବାର ଆଶଙ୍କା ଦେଖା ଦେଇଛି। ଏହି କାରଣରୁ ବିଦେଶୀ ନିବେଶକାରୀ ନିଜର ପୁଂଜି ପ୍ରତ୍ୟାହାର କରିନେଇଥିବା କୁହାଯାଉଛି। ଏଥିପାଇଁ କିଛି ଦିନ ଭିତରେ ସର୍ବୋଚ୍ଚସ୍ତରରୁ ୮ ପ୍ରତିଶତ ଖସିଛି ମାର୍କେଟ। ଆଗକୁ ମଧ୍ୟ ପ୍ରମୁଖ କମ୍ପାନିଗୁଡ଼ିକ ଭଲ ଲାଭ କରିନପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେଣୁ ଭାରତର ମାର୍କେଟରୁ ବିଦେଶୀ ନିବେଶକାରୀ ନିଜର ଅର୍ଥ କାଢ଼ି ନେଉଛନ୍ତି।

ତାସହିତ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ବି ଅନିଶ୍ଚିତତା ଅଛି। କିଏ ଜିତିବ, କହି ହେଉନାହିଁ। ଟ୍ରମ୍ପ ଜିତିଲେ କିଛି ଦିନ ମାର୍କେଟ ଉପରକୁ ଉଠିପାରେ, ତା ପରେ ଖସିବ। ସେହିପରି କମଳା ହାରିସ୍ ଜିତିଲେ ମାର୍କେଟରେ ଏହାର ଭଲ ପ୍ରଭାବ ପଡ଼ିବ ନାହିଁ ବୋଲି କୁହାଯାଉଛି। ଏସବୁର କାରଣରରୁ ଭାରତୀୟ ମାର୍କେଟ କ୍ରାସ୍ ହୋଇଛି ।