ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ: ‘ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି’
ଭୁବନେଶ୍ୱର: ଦାରିଙ୍ଗବାଡ଼ି ଆମ୍ବ ଟାକୁଆ ଟ୍ରାଜେଡି ପ୍ରସଙ୍ଗ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା। ମନ୍ତ୍ରୀଙ୍କ ଉପରେ ପ୍ରବଳ ବର୍ଷିବା ସହ ଶ୍ରୀକାନ୍ତ କହିଛନ୍ତି, ଯୋଗାଣ ମନ୍ତ୍ରୀ ଦାୟିତ୍ୱହୀନ ଓ ବିଭ୍ରାନ୍ତିକର ମନ୍ତବ୍ଯ ଦେବା ସହ ମିଛ କହୁଛନ୍ତି । ମନ୍ତ୍ରୀ କି ଜିଲ୍ଲାପାଳ କେହିବି ସେହି ଗାଁକୁ ଯାଇନାହାନ୍ତି। ଅକ୍ଟୋବର ଏକ ତାରିଖ ବଦଳରେ ନଭେମ୍ବରରେ କାହିଁକି ଚାଉଳ ବଣ୍ଟାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଚାଉଳ ନପାଇବାରୁ ଲୋକମାନେ ଭୋକରେ ଆମ୍ବ ଟାକୁଆ ଜାଉ ଖାଇଥିଲେ । ଠିକ ସମୟରେ ଚାଉଳ ପାଇଥିଲେ ଆଜି ଲୋକମାନେ ମରିନଥାନ୍ତେ । ଆମ୍ବ ଟାକୁଆ ଖାଇବା ସେହି ଅଞ୍ଚଳର ଅଭ୍ଯାସ ବୋଲି ମନ୍ତ୍ରୀଙ୍କ ବୟାନକୁ କଡ଼ା ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ।
ସେ ଆହୁରୀ କହିଛନ୍ତି, ଆମ୍ବ ଟାକୁଆ କେହି ଖୁସିରେ ଖାଆନ୍ତି ନାହିଁ, ଅନାହାର ଯୋଗୁ ଖାଇଛନ୍ତି । ଏଯାଏଁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ କିଛି ଉତ୍ତର ରଖିନାହାନ୍ତି। ସଂରକ୍ଷିତ ଅଞ୍ଚଳରେ ଆଦିବାସୀଙ୍କ ଅଧିକାରର ସୁରକ୍ଷା ଦାୟିତ୍ୱ ରାଜ୍ୟପାଳଙ୍କର । ହେଲେ ସେ ମଧ୍ଯ ଘଟଣାସ୍ଥଳକୁ ଯାଇନାହାନ୍ତି ବୋଲି କହିଛନ୍ତି ଶ୍ରୀକାନ୍ତ ।