ପିସିସି ସଭାପତି ଚୟନ ପାଇଁ ଆରମ୍ଭ ହେଲା କସରତ, ଆଜି ଓଡ଼ିଶା ଆସିବେ ଚରଣ ଦାସ ମହନ୍ତ ଓ ମିନାକ୍ଷୀ ନଟରାଜ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସକୁ ଖୁବଶୀଘ୍ର ମିଳିବ ନୂଆ ନେତୃତ୍ବ । ଏଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ନୂଆ ସଭାପତି ଚୟନ ପାଇଁ ଆଜି ଓଡ଼ିଶା ଆସିବେ ଏଆଇସିସି ଦ୍ବାରା ନିଯୁକ୍ତ ହୋଇଥିବା ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାସ ମହନ୍ତ ଓ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନ ।  ଦୁଇଦିନ ଧରି ଦୁଇଜଣ ନେତା ଓଡ଼ିଶାର କଂଗ୍ରେସର ବରିଷ୍ଠ ନେତା , ବିଧାୟକ, ସାଂସଦ ଓ ତୃଣମୂଳସ୍ତରର ନେତା ଓ କର୍ମୀଙ୍କ ମତାମତ ନେବେ । ଷ୍ଟ୍ରିୟରିଂ କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇ ସଂଗଠନ ଓ ପିସିସି ସଭାପତି ଚୟନ ନେଇ ଆଲୋଚନା କରିବେ । ବୈଠକରେ ଷ୍ଟିୟରିଂ କମିଟିର ୧୪ ଜଣ ସଦସ୍ଯଙ୍କ ସମେତ ସମସ୍ତ ବିଧାୟକ, ପୂର୍ବତନ ବିରୋଧୀ ଦଳ ନେତା, କେନ୍ଦ୍ରୀୟ ନେତା ସାହାନବାଜ ହୁସେନ ଉପସ୍ଥିତ ରହିବେ । ଝାଡଖଣ୍ଡ ନିର୍ବାଚନ ଥିବାରୁ ପିସିସି ପ୍ରଭାରୀ ତଥା ଷ୍ଟିୟରିଂ କମିଟି ଅଧ୍ଯକ୍ଷ ଅଜୟ କୁମାର ବୈଠକରେ ଉପସ୍ଥିତ ରହିବେ ନାହିଁ । ଏହାପରେ କଂଗ୍ରେସର ବିଧାୟକ, ପୂର୍ବତନ ବରିଷ୍ଠ ନେତା ଓ କିଛି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ସହ ଜଣଜଣ କରି କେନ୍ଦ୍ରୀୟ ନେତୃତ୍ବ ଆଲୋଚନା କରିବେ । ଆଲୋଚନା ଆଧାରରେ ଏଆଇସିସିକୁ ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟକୁ ଅନୁଧ୍ଯାନ କରି ଖୁବଶୀଘ୍ର ଏଆଇସିସି ପିସିସି ସଭାପତିଙ୍କ ନାଁ ଘୋଷଣା କରିବ ।

ପୂର୍ବରୁ ୩ଟି ସଂସ୍ଥାକୁ ନିୟୋଜିତ କରି ପିସିସି ସଭାପତି ଚୟନ ନେଇ ଏଆଇସିସି ବହୁ ନେତାଙ୍କଠାରୁ ମତାମତ ନେଇଛି । ତେବେ ଦୁଇଦିନ ତଳେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ଏକ କାର୍ଯ୍ଯକ୍ରମ ଆୟୋଜନ କରି ମହମ୍ମଦ ମୋକିମକୁ ପିସିସି ସଭାପତି କରିବାକୁ ଅଣ୍ଟାଭିଡ଼ିବା ସହ ମୋକିମଙ୍କ ଗୋଷ୍ଠୀ ଶକ୍ତିପ୍ରଦର୍ଶନ କରିଥିଲେ । ଗତ ୨୪ ବର୍ଷରେ ଓଡ଼ିଶା କଂଗ୍ରେସ ୬ ଜଣ ପିସିସି ସଭାପତି ପାଇଛି। ହେଲେ ଦଳର ଭୋଟ ପ୍ରତିଶତ ୧୩ ପ୍ରତିଶତକୁ ଖସି ଆସିବା ସହ ତୃଣମୂଳସ୍ତରରେ ସଂଗଠନ ସ୍ଥାଣୁ ପାଲଟିଯାଇଛି । ତେଣୁ ସବୁ ଦିଗକୁ ବିଚାର କରି ହାଇକମାଣ୍ଡ ନୂଆ ପିସିସି ସଭାପତି ଚୟନ କରିବାକୁ ନିଷ୍ପତି ନେବାକୁ ଯାଉଛନ୍ତି ।