ଆମ୍ବଟାକୁଆ ଜନିତ ମୃତ୍ଯୁ ଘଟଣା ଚପାଇବାକୁ ଲାଗିଛନ୍ତି ରାଜ୍ଯ ସରକାର !
1 min readଭୁବନେଶ୍ବର/ଢେଙ୍କାନାଳ : ଫୁଲ୍ ଦମରେ ସରକାର ଲାଗି ପଡ଼ିଛନ୍ତି ସମ୍ବେଦନଶୀଳ ଘଟଣାକୁ ଚପାଇବା ପାଇଁ ! ନ ହେଲେ ପ୍ରେସ୍ ରିଲିଜରେ ଲେଖି ନଥାନ୍ତେ ଯେ ମୃତକମାନଙ୍କ ପରିବାର ସେପ୍ଟେମ୍ବରରୁ ଅଗ୍ରୀମ ଭାବେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ପାଇଁ ଚାଉଳ ନେଇଥିଲେ । କାରଣ ଦ୍ବିତୀୟ ଚିତ୍ର ସ୍ପଷ୍ଟ କରୁଛି- ଗତକାଲି ସକାଳେ ହିଁ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ପାଇଁ ଚାଉଳ ବଣ୍ଟା ଯାଉଛି । ଯାହା ଅକ୍ଟୋବରରେ ଦିଆଯିବା କଥା । ହୁଏତ ଯଦି ଏହି ମୃତ୍ୟୁ ଘଟଣା ଲୋକଲୋଚନକୁ ଆସି ନଥାନ୍ତା, ସେହି ଗାଁରେ ଚାଉଳ ବି ବଣ୍ଟାଯାଇ ନଥାନ୍ତା ବୋଲି ଚର୍ଚ୍ଚା ହେଉଛି । ପ୍ରେସ ରିଲିଜରେ ଏତେ ବଡ଼ ମିଛ ଲେଖିବାକୁ କିଏ ନିର୍ଦ୍ଦେଶ ଦେଇଥିଲା ? ଯୋଗାଣ ମନ୍ତ୍ରୀ ନା ଯୋଗାଣ ବିଭାଗର କୌଣସି ଅଧିକାରୀ ମିଛ ଲେଖିବାକୁ ବାଧ୍ୟ କରିଥିଲେ କି? ନ ହେଲେ ମିଛ ଧରା ପଡ଼ିବା ପରେ ସବୁଠାରୁ ଏହି ପ୍ରେସ ରିଲିଜ୍ ହଟାଇ ଦିଆଯାଇ ନଥାନ୍ତା । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ଆଜି ବି କହିଛନ୍ତି-ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ଚାଉଳ ଦିଆ ଚାଲିଛି । ଅକ୍ଟୋବର ଆରମ୍ଭରେ ଚାଉଳ ଦେବା ନିୟମ ରହିଛି । ହେଲେ ବିଳମ୍ବ କରିବାରୁ ଗରିବ ଆଦିବାସୀ ପରିବାର ଅନାହରରେ ପଡ଼ି ଆମ୍ବ ଟାକୁଆ ଖାଇ ମୃତ୍ୟବରଣ କରିଛନ୍ତି । ହୁଏତ ତରବରିଆ ଭାବେ ପ୍ରେସ୍ ରିଲିଜ୍ କରାଯାଇ ସରକାରଙ୍କ ଭୁଲ ଲୁଚାଯାଉଥିଲା । ହେଲେ ସମନ୍ବୟ ଅଭାବରୁ ମିଛ ଧରା ପଡ଼ିଲା । ଗତ ୨୪ ବର୍ଷରେ କାହାକୁ ଅନାହରରେ ମରିବାକୁ ଦେଇ ନଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରି ଅବହେଳା ବିରୋଧରେ ବର୍ଷିଛି ବିଜୁ ଜନତା ଦଳ । ଦାୟୀ ଅଧିକାରୀଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
କଂଗ୍ରେସ ପ୍ରତିନିଧି ଦଳ ସଂପୃକ୍ତ ଗାଁକୁ ଯାଇ ସରକାରୀ ଅବହେଳାର ଅସଲ ଚିତ୍ର ଦେଖିବାକୁ ପାଇଛି । ଆମ୍ବ ଟାକୁଆଜନିତ ମୃତ୍ୟୁ ସରକାରଙ୍କ ଦ୍ବାରା ରଚିତ ବିପର୍ଯ୍ୟୟ ବୋଲି ଅଭିଯୋଗ କରିଛି କଂଗ୍ରେସ । ଏଥିରେ ମୁଖ୍ୟମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ଜିଲ୍ଲାପାଳଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ଗିରଫ ପାଇଁ ଦାବି କରାଯାଇଛି । ଗତକାଲି ସେହି ଗାଁରେ ଚାଉଳ ବଣ୍ଟା ଯାଉଥିବା ସମୟରେ କଂଗ୍ରେସ ଟିମ୍ ପହଞ୍ଚିଥିଲା । ତାହା ଅକ୍ଟୋବର ମାସର ଚାଉଳ ଯାହା ନଭେମ୍ବରରେ ବଣ୍ଟାଯାଉଥିବା ନେଇ ସେମାନେ ଜାଣିବାକୁ ପାଇଲେ । ଏହି ଦେଢ଼ ମାସ ବିଳମ୍ବରେ ଚାଉଳ ମିଳିବାରୁ କାହା ପାଖରେ ଖାଦ୍ୟ ନଥିଲା । ବାଧ୍ୟ ହୋଇ ସେମାନେ ଆମ୍ବ ଟାକୁଆ ଖାଇଲେ । କନ୍ଧମାଳ ଆଦିବାସୀଙ୍କ ନିୟମିତ ଖାଦ୍ୟ ଆମ୍ବ ଟାକୁଆ ବୋଲି ହାଲୁକା ଭାବେ ମନ୍ତ୍ରୀମାନେ କହୁଥିବାରୁ ଆପତ୍ତି ଉଠାଇଛି କଂଗ୍ରେସ। ଅବହେଳା ଓ ଅନାହାରର କରାଳ ଚିତ୍ରରେ ଦୁଇଟି ଜୀବନ ଗଲା । ହେଲେ ରାଜ୍ୟ ସରକାର ମିଛ ପରେ ମିଛ କହି ଦୋଷ ଛଡ଼ାଇବାରେ ବ୍ୟସ୍ତ । ସାଧାରଣ ବଣ୍ଟନ ବ୍ୟବସ୍ଥା ବି ହୋଇଛି ବିପର୍ଯ୍ୟସ୍ତ।