ଯୋଗାଣମନ୍ତ୍ରୀଙ୍କ ଚାଉଳ ମିଛର ମୁହଁତୋଡ଼ ଜବାବ ଦେଇଛନ୍ତି ଖୋଦ୍ ମାଣ୍ଡିପଙ୍କା ଗ୍ରାମବାସୀ
1 min readଦାରିଙ୍ଗବାଡି : କିଏ କହୁଛି ସତ ? ଯୋଗାଣମନ୍ତ୍ରୀ ନା ମାଣ୍ଡିପଙ୍କା ଗ୍ରାମବାସୀ ? ଯଦି ମନ୍ତ୍ରୀ ସତ ତାହାଲେ ସବୁ ଗାଁ ଲୋକ କଣ ମିଛ ? ନିଜ ବିଭାଗର ଦୋଷ ଛଡ଼ାଇବାକୁ ଲୋକଙ୍କ ଉପରକୁ ଦୋଷ ଠେଲୁନାହାନ୍ତି ତ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ? ସଫେଇ ଦେଇ ସତ ଚାପିଦେବାକୁ ହେଉନି ତ ଉଦ୍ଯମ ? କାରଣ ଜଣେ କି ଦୁଇଜଣ ନୁହେଁ, ମାଣ୍ଡିପଙ୍କା ଗାଁର ସବୁ ଲୋକଙ୍କ ସମାନ ଅଭିଯୋଗ- ୩ ମାସ ହେଲା ଚାଉଳ ଦେଇନାହାନ୍ତି ସରକାର । ରାସନ ନମିଳିବାରୁ ଭୋକ ବିକଳରେ ଆମ୍ବଟାକୁଆ ଜାଉ ଖାଇଥିଲେ । ଯେଉଁଥିରେ ୨ ମହିଳାଙ୍କର ମୃତ୍ଯୁ ହୋଇଥିବାବେଳେ ୬ ଜଣ ଏବେବି ଚିକିତ୍ସାଧୀନ । ଚାରିଆଡ଼ୁ ସମାଲୋଚନା ପରେ ଗତ ଏକ ତାରିଖରେ ତରବରିଆ ଭାବେ ପୋକ ସାଲୁବାଲୁ ଚାଉଳ ବଣ୍ଟାଯାଇଛି । ହେଲେ ସରକାର ଅପାରଗତାକୁ ସ୍ବୀକାର କରିବା ବଦଳରେ ବିତଣ୍ଡା ଯୁକ୍ତି ବାଢିବାରେ ବ୍ଯସ୍ତ । କେବେ ଗରିବୀକୁ ଉପହାସ କରି ଆମ୍ବଟାକୁଆ ଜାଉ ଖାଇବା ସେମାନଙ୍କ ଅଭ୍ଯାସ ବୋଲି କହୁଛନ୍ତି ତ ଆଉ କେବେ କହୁଛନ୍ତି, ଚାଉଳ ଠିକ୍ ସମୟରେ ମିଳିଛି । ସରକାରଙ୍କ ସିରିଜ ମିଛକୁ ପଦାରେ ପକାଇବା ସହ ପ୍ରବଳ ବର୍ଷିଛନ୍ତି ଗ୍ରାମବାସୀ ।
ଖାଲି ଚାଉଳ ମିଛ ନୁହେଁ, ସଚେତନତା ନେଇ ବି ଚାଲିଛି ମିଛ ପ୍ରଚାର । ଯାହାର ପର୍ଦ୍ଦାଫାସ କରିଛନ୍ତି ନିଜେ ଗ୍ରାମବାସୀ । ଲୋକଙ୍କ ଅଭିଯୋଗ- ଆଶାକର୍ମୀ କି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କେହି ଗାଁକୁ ନିୟମିତ ଆସୁନଥିଲେ । ସ୍ବାସ୍ଥ୍ଯ ସୁରକ୍ଷା ପାଇଁ ଦିନଟିଏ ବି ସଚେତନ କରାଯାଉନଥିଲା । ହେଲେ ଏବେ ସମସ୍ତଙ୍କର ଚେତା ପଶିଛି । ଅଘଟଣ ଘଟିବା ପରେ ଗାଁକୁ ଆସି ବୁଝାଇବାରେ ଲାଗିପଡ଼ିଛନ୍ତି ।