ଭସାଣ ପାଇଁ ଉତ୍ସବମୁଖର କଟକ
କଟକ : ମେଲାଣି ନେଇଛନ୍ତି ମାଆ । ୩ଦିନ ଧରି ପୂଜା ପରେ ମହାଶକ୍ତୀ ମହାକାଳୀଙ୍କୁ ବିଦାୟ ଦେଉଛନ୍ତି ମଣ୍ଡପ କର୍ମକର୍ତ୍ତା । ବିସର୍ଜନ ଉତ୍ସବ ପାଇଁ ଉତ୍ସବମୁଖର କଟକ ସହର । ସକାଳୁ ସକାଳୁ ବିସର୍ଜନ ପାଇଁ ସହରର ୭୫ଟି ପୂଜା ମଣ୍ଡପରୁ ବାହାରିଥିଲା ମେଢ । ସାହି ପରିକ୍ରମା ପରେ ମେଢଗୁଡ଼ିକ ମୁଖ୍ଯ ରାସ୍ତାକୁ ଶୋଭାଯାତ୍ରାରେ ଆସିଥିଲେ । ସେଠାରୁ ଧାଡ଼ିବାନ୍ଧି ଦେବୀଗଡ଼ା ଅଭିମୁଖେ ଆରମ୍ଭ ହୋଇଥିଲା ଭସାଣ ଉତ୍ସବ । କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ବକ୍ସିବଜାର ଦେଇ ଦେବୀଗଡ଼ା ଅଭିମୁଖେ ଯାଇଥିଲେ ମେଢ । ବାଜା, ରୋଷଣୀ, ବ୍ଯାଣ୍ଡ ପାର୍ଟିର ଧୁନରେ ନାଚି ନାଚି ବେଦମ ହୋଇଥିଲେ ସାହି ଯୁବକ ।
ଅପରାହ୍ନରେ ଶିଖରପୁର, ଖାନନଗର, ଚାଉଳିଆଗଞ୍ଜ, ଶେଖ ବଜାର ଭଳି ପ୍ରମୁଖ ମେଢ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ସବୁ ମେଢକୁ ମଙ୍ଗଳାବାଗ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିସର୍ଜନ ପାଇଁ ଦେବୀଗଡ଼ା ନିକଟରେ ପ୍ରଶାସନ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଶୃଙ୍ଖଳିତ ଭସାଣ ପାଇଁ ସହରରେ ୬୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଏହାସହ ୬୦ ଏଡ୍ ପୋଷ୍ଟ, ୨୦ ମୋବାଇଲ ପାଟ୍ରୋଲିଂ ଟିମ ସଜାଗ ଅଛନ୍ତି । ବ୍ଲକିଂ, ଚେକିଂ ଓ ୱାନ ୱେ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଡିସିପି । ବିଳମ୍ବିତ ରାତି ଯାଏଁ ଚାଲିବ ମାଆଙ୍କ ଭସାଣ ଉତ୍ସବ । ଦୁର୍ଗାପୂଜା ପରି ମାଆଙ୍କ ଭସାଣ ଉତ୍ସବ ଦେଖିବାକୁ ସହରର ରାସ୍ତାକଡ଼ ଓ ଘରର ଛାତ ଉପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା