୬ ମାସ ପର୍ଯ୍ୟନ୍ତ ବନ୍ଦ ହେଲା ବାବା କେଦାରନାଥ ପୀଠର କପାଟ

ନନ୍ଦିଘୋଷ ବ୍ୟୁରୋ: ବନ୍ଦ୍ ହେଲା ପ୍ରସିଦ୍ଧ କେଦାରନାଥ ପୀଠ । ଆଜିଠାରୁ ବନ୍ଦ ହୋଇଛି ବାବା କେଦାରନାଥ ପୀଠର କପାଟ । ୬ମାସ ପାଇଁ କେଦାରନାଥ ପୀଠ କବାଟକୁ ବନ୍ଦ୍ କରିଦିଆଯାଇଛି । ଶୀତଋତୁକୁ ଦୃଷ୍ଟିରେ ରଖି ଏହି କବାଟକୁ ବନ୍ଦ କରାଯାଇଛି । କେଦାରନାଥ ପୀଠକୁ ଆଜି ପ୍ରାୟ ୧୦ କୁଇଣ୍ଟାଲ ଫୁଲରେ ସଜାଯାଇଛି। ବିଧିବିଧାନ ଅନୁସାରେ ବେଦମନ୍ତ୍ର ଉଚ୍ଚାରଣ, ସେନାର ମରାଠା ରେଜିମେଣ୍ଟ ବ୍ୟାଣ୍ଡ୍‌ର ଭକ୍ତିମୟ ଧୁନ, ସ୍ଥାନୀୟ ଢ଼ୋଲ ଓ ମାଦଳ ପରିବେଷଣରେ ଦୁଲୁକୁଥିଲା ପୀଠ । ଆଜି ରାତି ୪ଟାରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ସକାଳ ୮ଟା୩୦ରେ କପାଟ ବନ୍ଦ କରାଯାଇଛି । ଆଜି ବାବା କେଦାରନାଥଙ୍କ ଦର୍ଶନ କରିବା ନିମନ୍ତେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।

ତେବେ କବାଟ ବନ୍ଦ ହେବା ପରେ ବାବାଙ୍କ ଚଳନ୍ତି ବିଗ୍ରହର ପାଲିଙ୍କି ଶୀତକାଳୀନ ସ୍ଥାନ ଉଖିମଠର ଓଁକାରେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବ। ଉଖିମଠ ଠାରେ ୬ମାସ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହାକୁ ପୂଜାର୍ଚ୍ଚନା କରିପାରିବେ ।