କର୍ଣ୍ଣାଟକ ସରକାରଙ୍କୁ ଖଡଗେଙ୍କ ପରାମର୍ଶ, ପୂରଣ କରି ପାରିବ ଯଦି ପ୍ରତିଶ୍ରୁତି ଦିଅ
ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କର୍ଣ୍ଣାଟକ ସରକାର । ଏହାରି ଭିତରେ ନିଜ ଦଳର ନେତା ଓ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଯେ, ଯେତିକି ଦେଇପାରିବ ସେତିକି ଗ୍ୟାରେଣ୍ଟି ଦିଅ । ନହେଲେ ଅଳ୍ପଦିନରେ ସରକାର ଦେବାଳିଆ ହେଇଯିବ ।
ବାସ୍ତବରେ ଖଡଗେ ନିର୍ବାଚନ ଅଭିଯାନରେ କଂଗ୍ରେସର ଘୋଷଣାପତ୍ର ବିଷୟରେ ଆଲୋଚନା କରୁଥିଲେ ।ଯେଉଁଥିରେ ସେ କଂଗ୍ରେସର ୫ଗ୍ୟାରେଣ୍ଟି ବିଷୟରେ ଆଲୋଚନା କରିଥିଲେ । ସେ କହିଛନ୍ତି ନିର୍ବାଚନ ସମୟରେ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଗ୍ୟାରେଣ୍ଟିର କଥା ଦେଇଥିଲେ । ହେଲେ ଏବେ ଗୋଟିଏ ଗ୍ୟାରେଣ୍ଟିକୁ ରଦ୍ଦ କରିବାକୁ କହୁଛନ୍ତି । ଆପଣ ବୋଧହୁଏ ଖବରକାଗଜ ପଢୁନାହାନ୍ତି ହେଲେ ମୁଁ ପଢୁଛି । ସେଥିପାଇଁ କହୁଛି ଆପଣ ଦେଇଥିବା ଗ୍ୟାରେଣ୍ଟିକୁ ମହାରାଷ୍ଟ୍ର ନିର୍ବାଚନରେ ମଧ୍ୟ ବ୍ୟବହାର କରାଯାଉଛି । ତେଣୁ ୫,୬ କିମ୍ବା ୭ ଗ୍ୟାରେଣ୍ଟି ଦେବା ବଦଳରେ, ଆପଣଙ୍କ ବଜେଟ୍ ଅନୁସାରେ ଜନତାଙ୍କୁ ଗ୍ୟାରେଣ୍ଟି ଦିଅନ୍ତୁ ।
ଏହା ସହିତ କଂଗ୍ରେସ ସରକାରକୁ ଭର୍ସନା କରି ଖଡଗେ କହିଛନ୍ତି ଯଦି ଆପଣମାନେ ବଜେଟକୁ ଅନୁଧ୍ୟାନ ନକରି ଜନତାଙ୍କୁ ଗ୍ୟାରେଣ୍ଟି ଦେଉଛନ୍ତି ତାହେଲେ ସରକାର ଖୁବଶୀଘ୍ର ଦେବାଳିୟା ସ୍ଥିତିକୁ ପଳେଇଯିବ । ଏମିତି ଅବସ୍ଥା ଆସିଯିବ ଯେ, ରାସ୍ତାରେ ବାଲି ପକେଇବାକୁ ମଧ୍ୟ ପଇସା ନଥିବ । ଯଦି ଏହି ସରକାର ଅସଫଳ ହୁଏ ତାହେଲେ ଆଗାମୀ ପିଢୀ ଉପରେ ଏହାର ପ୍ରଭାବ ପଡିବ । ଏନେଇ ସରକାର ବଦନାମ ହେବେ ଏବଂ ଆଗାମୀ ଦଶବର୍ଷ ପର୍ଯ୍ୟନ୍ତ ସରକାରଙ୍କୁ ଏହାର ପ୍ରଭାବର ସାମ୍ନା କରିବାକୁ ପଡିବ । ତେଣୁ ବଜେଟକୁ ସାବାଧାନତା ସହ ବିଚାର କରିବା ଉଚିତ୍ ।
ଏହାସହିତ ଖଡଗେ ସୂଚନା ଦେଇଛନ୍ତି କି, ରାହୁଲ ଗାନ୍ଧୀ କହିଛନ୍ତି ବଜେଟ ଅନୁଯାୟୀ ମହାରାଷ୍ଟ୍ରରେ ଗ୍ୟାରେଣ୍ଟି ଘୋଷଣା କରାଯିବ ।୧୫ଦିନର ବିଚାର ବିମର୍ଷ କରି ଘୋଷଣାପତ୍ର ଲେଖାଯାଇଛି । ଖୁବଶୀଘ୍ର ଆମେ ନାଗପୁର ଏବଂ ମୁମ୍ବାଇରେ ଏହାର ଖୁଲାସା କରିବୁ ।
ସୂଚନାନୁଯାୟୀ କର୍ଣ୍ଣାଟକରେ କଂଗ୍ରେସ ସରକାର ୫ଟି ଗ୍ୟାରେଣ୍ଟି ଦେଇଥିଲା । ଯଦି ସବୁ ଗ୍ୟାରେଣ୍ଟିକୁ ସରକାର ପୂରଣ କରନ୍ତି ତାହେଲେ କର୍ଣ୍ଣାଟକରେ ରାଜସ୍ବ କ୍ଷତି ୬୦ହଜାର କୋଟିରୁ ବୃଦ୍ଧି ପାଇ ୧ଲକ୍ଷ ୧୪ହଜାରକୋଟିରେ ପହଞ୍ଚିବ । ଯାହା ରାଜ୍ୟରୁ ମୋଟ ବଜେଟର ୨୧ପ୍ରତିଶତ ଅଟେ । ବର୍ତ୍ତମାନ କର୍ଣ୍ଣାଟକ ଉପରେ ୫ଲକ୍ଷ କୋଟି ଟଙ୍କାର ଋଣଭାର ଅଛି । ଏପରିସ୍ଥିତରେ ସବୁ ଗ୍ୟାରେଣ୍ଟି ପୂରଣ କରିବା ଅସମ୍ଭବ ।