ଏଲଏସିର ଡେସପାଙ୍ଗ ଓ ଡେମଚୋକରୁ ସୈନ୍ୟ ଅପସରଣ କଲେ ଭାରତ-ଚୀନ
1 min readନୂଆଦିଲ୍ଲୀ: ଭାରତ-ଚୀନ ସୀମା ଏଲଏସିରେ ଫେରିଲା ସ୍ବାଭାବିକ ଅବସ୍ଥା । ପୂର୍ବ ଲଦାଖର ଡେସପାଙ୍ଗ ଓ ଡେମଚୋକରେ ସରିଲା ସୈନ୍ୟ ଅପସାରଣ । ଉଭୟ ଦେଶ ସେମାନଙ୍କ ସେନା ଅପସରଣ କରି ନେଇଛନ୍ତି । ଯାହା ଭାରତ ଓ ଚୀନ ସମ୍ପର୍କରେ ନୂଆ ଅଧ୍ଯାୟ ସୃଷ୍ଟି କରିଛି ।
୨୦୨୦ ଗଲୱାନ ସଂଘର୍ଷ ପରଠାରୁ ଦୁଇ ଦେଶ ମଧ୍ଯରେ ଜାରି ରହିଥିଲା ଅଶାନ୍ତି । ସୀମାରେ ବି ଚାଲିଥିଲା ଛୋଟବଡ଼ ଉତ୍ତେଜନା । ଆଜି ଦୀପାବଳି ଅବସରରେ ସୀମାରେ ଉଭୟ ଦେଶର ସେନା ପରସ୍ପରକୁ ମିଠା ବାଣ୍ଟିବେ । ସୈନ୍ୟ ଅପସାରଣ ସହିତ ସୀମାରୁ ତମ୍ବୁ, ଅସ୍ଥାୟୀ ନିର୍ମାଣ ଆଦି ହଟାଇ ଦିଆଯାଇଛି । ଶୀଘ୍ର ସୀମାରେ ଦୁଇ ପକ୍ଷର ପାଟ୍ରୋଲିଂ ବ୍ଯବସ୍ଥା କରାଯିବ । ଏହାସହ କମାଣ୍ଡର, ବ୍ରିଗେଡିୟର ସ୍ତରରେ ଆଲୋଚନା ହେବ ।
ସେନା ଅପସାରଣ ପରେ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା । କୂଟନୈତିକ, ସାମରିକ ଓ ସେନା ସ୍ତରରେ ବ୍ଯାପକ ଆଲୋଚନା ପରେ ଭାରତ ଓ ଚୀନ ଏଲଏସିରୁ ସୈନ୍ୟ ଅପସାରଣ ପାଇଁ ନିଷ୍ପତ୍ତି ନେଇଥିଲେ ।
ଅକ୍ଟୋବର ୨୩ ତାରିଖରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀ ଅବସରରେ ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ଯରେ ଆଲୋଚନା ହୋଇଥିଲା । ଗତ ୨୫ ତାରିଖରେ ଏଲଏସିରୁ ୫ଟି ଲେଖାଏଁ ତମ୍ବୁ ହଟାଇଥିଲେ ଭାରତ ଓ ଚୀନ । ଗତ ଚାରି ବର୍ଷ ଧରି ଚାଲିଥିବା ଭାରତ, ଚୀନ୍ ସୀମାରେ ଉତ୍ତେଜନା ଏକ ପ୍ରକାର ଶେଷ ହୋଇଛି ।