ଧନତେରାସ ଦିନ କାହିଁକି ଜଳାଯାଏ ‘ଯମ ଦୀପ’ ? ଜାଣନ୍ତୁ କାରଣ,ମହତ୍ତ୍ବ ଏବଂ ଏହାର ବିଧି ସଂପର୍କରେ…

1 min read

ଧନତେରାସ ୨୦୨୪: ପବିତ୍ର ଧନତେରାସ ଦିନ ସୁନା ରୂପା ନୂଆ ବାସନ କିଣିବା ଶୁଭ ହୋଇଥାଏ ଏହା ସହ ବିଶ୍ବାସ ରହିଛି ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ । ଦୀପାବଳୀର ପୂର୍ବ ଦିନଟିକୁ ଧନତେରାସ ଭାବରେ ପାଳନ କରାଯାଏ। ଯେଉଁ ଦିନ ସନ୍ଧ୍ୟା ସମୟରେ ମା ଲକ୍ଷ୍ମୀ ଏବଂ କୁବେରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ପୂଜା କରାଯିବାର ବିଧାନ ରହିଛି । କିନ୍ତୁ ଏହା ଛଡା ଆପଣମାନେ ଜାଣିଛନ୍ତି କି, ଧନତେରାସ ରାତିରେ ଏକ ବିଶେଷ ଧରଣର ପୂଜା ରହିଛି ଯାହା ଦ୍ବାରା ଦୁର୍ଘଟଣା ତଥା ଅକାଳ ମୃତ୍ୟୁ ଭଳି ବିପଦ ମଧ୍ୟ ଟଳି ଯିବ ।
କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଧନତେରାସ ପର୍ବ ପାଳନ କରାଯାଏ । ଏହି ଦିନ ସନ୍ଧ୍ୟାରେ ଧନର ଦେବତା ମା ଲକ୍ଷ୍ମୀ ଏବଂ କୁବେରଙ୍କ ପୂଜା କରିବା ପରେ ଏକ ସ୍ବତନ୍ତ୍ର ପୂଜା ରହିଛି । ଜାଣନ୍ତୁ କଣ ରହିଛି ଏହି ଖାସ ପୂଜା..
ଧନ ଦେବତାଙ୍କ ପୂଜା ସାରିବା ପରେ ମୃତ୍ୟୁର ଦେବତା ଯମଙ୍କ ଉଦ୍ଦେଶ୍ୟରେ ଦୀପ ଜଳାଯାଇଥାଏ । ସେହି ଦିନ ଯମରାଜାଙ୍କୁ ମଧ୍ୟ ପୂଜା କରାଯିବାର ପରମ୍ପରା ରହିଛି । ବିଶ୍ବାସ ରହିଛି , ଧନତେରାସ ଦିନ ଯମରାଜଙ୍କ ନାମରେ ଦୀପ ଜଳାଇବା ଦ୍ବାରା ବ୍ୟକ୍ତିଙ୍କ ଜୀବନରେ ଅକାଳ ମୃତ୍ୟୁର ସମ୍ଭାବନା ରହିନଥାଏ ।
ଜାଣନ୍ତୁ ଯମ ଦୀପ ଜାଳିବାର ଶୁଭ ମୁହୁର୍ତ୍ତ ଏବଂ ନିୟମ
ନିୟମ ରହିଛି ଏହି ଦିନ ସନ୍ଧ୍ୟାବେଳେ ଦକ୍ଷିଣ ଦିଗରେ ଯମରାଜାଙ୍କ ନାଁରେ ଏକ ଚାରିମୁଖୀ ଦୀପ ଜଳାଯାଏ । ସେହି ଚାରିମୁଖୀ ଦୀପକୁ ଯମ ଦୀପ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଘରର ଦକ୍ଷୀଣ ଦିଗର ସ୍ବାମୀ ଯମ ହୋଇଥାନ୍ତି । ତେଣୁ ଏହାକୁ କେବଳ ଦକ୍ଷିଣ ଦିଗରେ ହିଁ ଜଳାଯାଇଥାଏ । ଏହାଛଡା ନିୟମ ରହିଛି ଘର ଭିତରେ ଯମ ଦୀପ ଜାଳିବା ଉଚିତ ନୁହେଁ । ଘରେ ଯମଦୀପ ଜାଳିବା ଅତ୍ୟନ୍ତ ଅଶୁଭ ସାବ୍ୟସ୍ତ ହୋଇପାରେ । ଏହି ଦୀପକୁ କେବଳ ଦକ୍ଷିଣ ଦିଗରେ ହିଁ ନେଇ ରଖିବାକୁ ପଡିବ । ଯମ ଦୀପ ଜାଳିବା ପରେ ପରିବାରର କୌଣସି ସଦସ୍ୟ ଘରର ବାହାରକୁ ଯିବାକୁ ଦିଆ ଯିବା ଉଚିତ ନୁହେଁ । ଧ୍ୟାନ ରଖିବେ ଘରର ସମସ୍ତ ସଦସ୍ୟ ଘରକୁ ଅାସିଯିବା ପରେ ହିଁ ଯମ ଦୀପ ପ୍ରଜ୍ବଳନ କରାଯିବା ଉଚିତ । ଏହା ସହିତ ସୂର୍ଯ୍ୟୋଅସ୍ତ ପରେ ହିଁ ସନ୍ଧ୍ୟାରେ ଯମ ଦୀପ ଜାଳିବେ । ଏହାକୁ ସୋରିଷ ତେଲରେ ଜାଳିବା ପରେ ଆପଣ ଏହାକୁ ଘର ବାହାରେ ରଖିପାରିବେ l ବିଶ୍ୱାସ କରାଯାଏ ଯେ ଏହା ମଧ୍ୟ ଅକାଳ ମୃତ୍ୟୁକୁ ରୋକିଥାଏ l
କାହିଁକି ଜାଳିବେ ଯମ ଦୀପ ?
ଯମ ଦୀପ ଜାଳିବାର କାରଣ ପଛରେ ଅନେକ ପୌରାଣିକ କାରଣ ମାନ ରହିଛି । ଶାସ୍ତ୍ର ଅନୁଯାୟୀ, ଯମରାଜା ସ୍ବୟଂ କହିଛନ୍ତି ଯେ କାର୍ତ୍ତିକ ମାସର କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ସନ୍ଧ୍ୟାରେ ଯିଏ ତାଙ୍କ ନାମରେ ଦୀପ ଜାଳେ, ସେ ଅକାଳ ମୃତ୍ୟୁରୁ ମୁକ୍ତି ପାଇବ । ପ୍ରତିବର୍ଷ ଏହି ଦିନ ଯମର ଦୀପ ଜାଳିବାର ପରମ୍ପରା ରହିଛି l କିନ୍ତୁ କିଛି ଲୋକ ଦୀପାବଳି ରାତିରେ ମଧ୍ୟ ଯମ ଦୀପ ଜାଳନ୍ତି l