ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ଭିଡିଓ ଭାଇରାଲ ଘଟଣା, ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ
ଭୁବନେଶ୍ବର : ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାଗ୍ରାମରେ ଲିଙ୍ଗରାଜ ମନ୍ଦିର ଭିଡିଓ । ଆକ୍ସନ ମୋଡରେ ମନ୍ଦିର କାର୍ଯ୍ୟାଳୟ । ସେବାୟତଙ୍କୁ ଜାରି ହେଲା ସୋ କଜ୍ ନୋଟିସ୍ । ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ । ଉତ୍ତର ମିଳିବା ପରେ କାର୍ଯ୍ୟାନୁଷ୍ଠାନ । ଆଣ୍ଡ୍ରଏଡ୍ ଫୋନ ନେଇ ଆସିପାରେ ନୂଆ କଟକଣା । ସେବାୟତଙ୍କ ପାଇଁ ନିଷିଦ୍ଧ ହୋଇପାରେ କ୍ୟାମେରା ଫୋନ୍ । ଟ୍ରଷ୍ଟବୋର୍ଡ ବୈଠକରେ ହେବ ଆଲୋଚନା । କଡାକଡି ହେବ ମୋବାଇଲ୍ ଚେକିଂ । ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଇନଷ୍ଟାରେ ଲିଙ୍ଗରାଜ ମନ୍ଦିର ଭିତର ଭିଡିଓ ଭାଇରାଲ ହେବା ପରେ ପଦକ୍ଷେପ ନେଇଛି ମନ୍ଦିର ପ୍ରଶାସନ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଏଡିଏମ୍ ରୁଦ୍ରନାରାୟଣ ମହାନ୍ତି ସେବାୟତ ତଥା ମନ୍ଦିର ନୀତି ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସୂଚନା ଭିଡିଓ ଉତ୍ତୋଳନ କରିବାକୁ ପ୍ରସୟ ଦେଇଥିଲେ ସେବାୟତ ।
ସେପଟେ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ବ୍ରାହ୍ମଣ ନିଯୋଗ । ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ସଂପୃକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମନ୍ଦିର ଭିତରକୁ ସମସ୍ତେ ମୋବାଇଲ ନେବା ନିଷିଦ୍ଧ ହୋଇଛି । ସେବାୟତ ହୋଇ କାହିଁକି ପ୍ରସୟ ଦେଲେ ତାର ଉତ୍ତର ଦିଅନ୍ତୁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀ ଆସିଲେ ସରକାରଙ୍କ କ୍ୟାମେରା ଭିତରକୁ ଯାଏ । କିନ୍ତୁ ଅନେକ ଭିଭିଆଇପି ଆସିଲେ ସେବାୟତମାନେ ସିଂହଦ୍ଵାର ସମ୍ମୁଖରେ ଫଟୋ ଉଠାନ୍ତି । ଜାଗର ସମୟରେ ଭିଡିଓ ଉତ୍ତୋଳନ କରିବାକୁ ମିଡିଆକୁ ମଧ୍ୟ ଅନୁମତି ଦିଆଯାଏ । କିନ୍ତୁ କୌଣସି ଗଣମାଧ୍ୟମ ବ୍ୟକ୍ତି ସୁଯୋଗର ଅପବ୍ୟବହାର କରିନାହାନ୍ତି । ଘଟଣାରେ ଶିଳ୍ପାଙ୍କ ଦୋଷ ନାହିଁ, ସେବାୟତ ସବୁ ଜାଣି କାହିଁକି ଭିଡିଓ କଲେ ଉତ୍ତର ଦିଅନ୍ତୁ ବୋଲି ଦାବି କରାଯାଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ବଲିଉଡ ଷ୍ଟାର କିଭଳି ବେଢ଼ା ଭିତରକୁ ମୋବାଇଲ ନେଲେ କେମିତି ? ଲିଙ୍ଗରାଜ ମନ୍ଦିର ଭିତରକୁ ଯିବା ବେଳେ ତାଙ୍କର ଯାଞ୍ଚ ହୋଇଥିଲା କି ନାହିଁ ? ନା ସେଲିବ୍ରିଟିଙ୍କ ପାଇଁ ଅଲଗା ନିୟମ ? ଶିଳ୍ପାଙ୍କ ସହ ସେବାୟତ ରହି ଫଟୋ ଉଠାଇବାକୁ କିଏ ସୁଯୋଗ ଦେଲା ? ପ୍ରଶାସନ ଏପର୍ଯ୍ୟନ୍ତ ଆଖିଦୃଶିଆ ପଦକ୍ଷେପ ଗ୍ରହଣ ନ କରିବା ଭକ୍ତଙ୍କ ଭାବାବେଗକୁ କୁଠାରଘାତ କରିଛି ।