ରାଜ୍ୟର ଆର୍ଥିକ ସ୍ବାୟତ୍ତତା ହ୍ରାସ କରିବାକୁ କେନ୍ଦ୍ର କରୁଛି ଷଡଯନ୍ତ୍ର !

ଭୁବନେଶ୍ବର: ରାଜ୍ୟଗୁଡିକୁ ଦୁର୍ବଳ କରିବାକୁ କେନ୍ଦ କରୁଛି ଷଡଯନ୍ତ୍ର । ୨୦୨୬ ମାର୍ଚ୍ଚ ପରେ ସେସ୍ ଟିକସକୁ ଜିଏସଟିରେ ମିଶ୍ରଣ କରିବାକୁ ଚାଲିଛି ମସୁଧା । ଏ ନେଇ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିସ୍ତରୀୟ ଗୋଷ୍ଠୀ ବୈଠକ ଅନୁଷ୍ଠିତ ହୋଇଗଲାଣି । ଏପରି କରିବା ଫଳରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ରାଜ୍ୟ ବେଶୀ କ୍ଷତିଗ୍ରସ୍ତ ହେବେ । ସେପଟେ ଜିଏସଟି ସ୍ଲାବରେ ପରିବର୍ତ୍ତନ ହେଲେ ସାଧାରଣ ଲୋକଙ୍କ ଉପରେ ଅଧିକ ଟିକସ ବୋଝ ପଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏବେ ଦାବି ଉଠିଛି ସେସ୍ ଟିକସକୁ ପୂର୍ବ ପରି ଚାଲୁ ରଖାଯାଉ । ନଚେତ୍ ସେସ୍ ଆଦାୟ କ୍ଷମତା ରାଜ୍ୟକୁ ଦିଆଯାଉ ।

ରାଜ୍ୟକୁ ଦୁର୍ବଳ କରିବା ମୁଡରେ ରହିଛି କେନ୍ଦ୍ର । ରାଜ୍ୟର ଆର୍ଥିକ ସ୍ବାୟତ୍ତତାକୁ ସଂକୁଚିତ କରିବାକୁ କରୁଛି ମସୁଧା । ୨୦୨୬ ମାର୍ଚ୍ଚ ପରେ ସେସ୍ ଟିକସକୁ ଜିଏସଟି ସହିତ ମିଶ୍ରଣ କରିବାକୁ ମନ୍ତ୍ରିସ୍ତରୀୟ ଗୋଷ୍ଠୀରେ ଚାଲିଛି ମନ୍ତ୍ରଣା । କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇଟି ବୈଠକ ଅନୁଷ୍ଠିତ ହେଲାଣି । ଜିଏସଟି ସହିତ ମିଶିଲେ କେନ୍ଦ୍ର ସେସ୍ ଅର୍ଥରୁ ଅଧା ମାରି ନେଇଯିବ । ଅଧା ଅର୍ଥ ରାଜ୍ୟ ହରାଇବ । ମଦ, ସିଗାରେଟ୍, ଟବାକୋ, ଟବାକୋ ଉତ୍ପାଦ, ଲମ୍ବା ଲକଜରି କାର୍ ଓ କୋଇଲା ଉପରେ କେନ୍ଦ୍ର ସରକାର ଲକ୍ଷାଧିକ କୋଟି ସେସ୍ ଆଦାୟ କରୁଛନ୍ତି । ବ୍ୟବସ୍ଥା ହେଲା ରାଜ୍ଯକୁ ୫ ବର୍ଷ କ୍ଷତିପୂରଣ ଅବଧି ସରିବା ପରେ ଯେଉଁ ରାଜ୍ୟରେ ଏହିସବୁ ଜିନିଷ ବ୍ୟବହାର ହେବ ସେହି ରାଜ୍ୟକୁ କ୍ଷତିପୂରଣ ବାବଦରେ ଋଣ ଆକାରରେ ପ୍ରଦାନ କରାଯିବ । ଏଥିପାଇଁ ସେସ୍ ଆଦାୟ ସୀମାକୁ ୨୦୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସଂପ୍ରାସାରଣ କରାଗଲା । ଏବେ ଏହି ଅର୍ଥକୁ ନିଜ ଟ୍ରେଜେରିକୁ ନେବାକୁ କେନ୍ଦ୍ର କରୁଛି ଚାଲ୍ । ଏହାସହ ଜିଏସଟି ସ୍ଲାବରେ ପରିବର୍ତ୍ତନ କରି ଉଚ୍ଚ ଟିକସ ବସାଇବାକୁ ମଧ୍ୟ କେନ୍ଦ୍ର ଯୋଜନା କରୁଥିବା ଅଭିଯୋଗ ହୋଇଛି । ଦାବି ଉଠିଛି ପୂର୍ବ ପରି ଏହିସବୁ ଜିନିଷ ଉପରେ କେନ୍ଦ୍ର ସେସ୍ ବ୍ୟବସ୍ଥା ଜାରି ରଖୁ । ନଚେତ୍ ରାଜ୍ୟକୁ ଏହି ସେସ୍ ଆଦାୟ କରିବାର କ୍ଷମତା ସମ୍ପୂର୍ଣ୍ଣ କେନ୍ଦ୍ର ପ୍ରଦାନ କରୁ । ତା’ହେଲେ ଦୁର୍ବଳ ଆର୍ଥିକ ସ୍ଥିତିରେ ଥିବା କେତେକ ରାଜ୍ୟର ଆର୍ଥିକ ସ୍ଥିତି ସୁଧୁରି ପାରିବ ।

ଅର୍ଥ ବିଶେଷଜ୍ଞ ବି କେନ୍ଦ୍ର ସରକାରଙ୍କ ଏପରି ବିଚାରକୁ ସମାଲୋଚନା କରିଛନ୍ତି । ସେସ୍ ଅର୍ଥ ନିର୍ଦ୍ଦିଷ୍ଟ ସମୟ ଓ ଗୋଟିଏ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଲାଗୁ ହୋଇଥାଏ । ଆଦାୟ ହେଉଥିବା ଅର୍ଥ ସେସ୍ ପୁଲରେ ଜମା ହୋଇଥାଏ । ସେଥିରୁ ରାଜ୍ୟକୁ କିଛି ଅର୍ଥ କେନ୍ଦ୍ର ଦେଇଥାଏ । ଓଡ଼ିଶାର କେନ୍ଦୁପତ୍ର ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କରିବାକୁ ଦାବି ହୋଇଆସୁଥିଲେ ବି କେନ୍ଦ୍ର ଶୁଣୁନି । ଏହାସହ ଓଡ଼ିଶାର କୋଇଲାରୁ କେନ୍ଦ୍ରୀୟ କମ୍ପାନୀ ଓ କେନ୍ଦ୍ର ସରକାର ସେସ୍ ଆଦାୟ କରି ମାଲାମାଲ୍ ହେଉଛନ୍ତି । କିନ୍ତୁ ଏହାର ସିଂହଭାଗ ଓଡ଼ିଶାକୁ ମିଳୁନି ।

ପୂର୍ବ ବିଜେଡି ସରକାର କେନ୍ଦ୍ର ଆଦାୟ କରୁଥିବା ସେସ୍ ଅର୍ଥର ସିଂହଭାଗ ରାଜ୍ୟକୁ ଦେବାକୁ ବାରମ୍ବାର କେନ୍ଦ୍ର ପାଖରେ ଦାବି କରିଆସୁଥିଲେ । ଏବେ ସମୟ ଆସିଛି ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ସିନ୍, ଡିମେରିଟ୍ ଓ ଲକଜରି ସାମଗ୍ରୀ ଉପରୁ କେନ୍ଦ୍ର ଆଦାୟ କରୁଥିବା ସେସ୍ ଅର୍ଥ ବିଗତ ୧୦ ବର୍ଷ ଭିତରେ କେଉଁ ରାଜ୍ୟକୁ କେତେ ମିଳିଛି ଓ ଭିତ୍ତିଭୂମି ନିର୍ମାଣ ବାବଦରେ କେତେ ଖର୍ଚ୍ଚ ହୋଇଛି ତାର ହିସାବ ବିରୋଧୀ କେନ୍ଦ୍ରକୁ ମାଗିବା ଦରକାର ବୋଲି ଦାବି ଉଠିଛି ।