‘ଦାନା’ ଦେଇଗଲା ଅସୁମାରୀ ଦୁଃଖ: ଉଡ଼ାଇଲା ଛପର, ବୁଡ଼ାଇଲା ଦାନା
1 min readଭୁବନେଶ୍ବର: ଦାନା ବୁଡାଇଲା ବର୍ଷକର ଦାନାପାଣି । ଏବେ ଅସୁମାରୀ ଦୁଃଖରେ ଚାଷୀ । ବାଲେଶ୍ବରରୁ ଭଦ୍ରକ, କେନ୍ଦ୍ରାପଡାରୁ କେନ୍ଦୁଝର ସବୁଠି ବାତ୍ୟା ଜନିତ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ସେପଟେ କାଂଶବାଂଶ ନଦୀରେ ଜଳସ୍ତର ବଢ଼ି ଗାଁକୁ ପାଣି ପଶୁଛି । ବୁଢ଼ାବଳଙ୍ଗ ନଦୀରେ ବି ସମାନ ସ୍ଥିତି । ବାରିପଦା ସହରବାସୀ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବାତ୍ୟା ଦାନା ଦେଇଯାଇଛି ଅସୁମାରୀ ଦୁଃଖ । ମୁଣ୍ଡରୁ ଉଡାଇ ନେଇଛି ଛପର । ବର୍ଷକର ଦାନାରେ ଭରିଦେଇଛି ପାଣି । ବାଲେଶ୍ବର ରେମୁଣା ବ୍ଲକରେ ଶହ ଶହ ଏକର ଚାଷ ଜମିରେ ଲୋଟିଛି ସୁନାର ଫସଲ । ପରିବା କ୍ଷେତରେ ୬ ଫୁଟ ଉଚ୍ଚର ପାଣି । ହଳଦିଆ ପଡ଼ିଗଲାଣି ପତ୍ର । ବାତ୍ୟା ଓ ବନ୍ୟା ଯୋଗୁଁ ଜିଲ୍ଲାର ୩ ହଜାର ୧୪୦ ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି । ଭୋଗରାଇ, ଜଳେଶ୍ବର ଓ ନୀଳଗିରି ବ୍ଲକରେ ବି ସମାନ ପରିସ୍ଥିତି । ସେପଟେ କାଂଶବାଂଶ ନଦୀର ଜଳସ୍ତର ବଢ଼ି ଅନେକ ଗାଁକୁ ପାଣି ପଶୁଥିବା ଦେଖିବାକୁ ମିଳିଛି । ଗଣ୍ଡିବେଡ଼ ମାର୍କୋଣା ଆନନ୍ଦପୁର ନିକଟରେ ରାସ୍ତା ଉପରେ ଚାଲିଛି ପାଣି । ଯାତାୟତ ଏକ ପ୍ରକାର ଠପ ହୋଇଯାଇଛି । ଖଇରା ଓ ଔପଦା ବ୍ଲକର ଅନେକ ଲୋକ ପ୍ରଭାବିତ ହୋଇଛନ୍ତି l ବାଉରିପଦାର ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ।
ବାତ୍ୟା ଯୋଗୁଁ ଭଦ୍ରକ ଜିଲ୍ଲା ଆରଡ଼ି, ଧାମନଗର, ବାସୁଦେବପୁର ଓ ଚାନ୍ଦବାଲି ଆଦି ଅଞ୍ଚଳରେ ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା । ଭାଙ୍ଗିଯାଇଛି ଘର, ଉଜୁଡି ଯାଇଛି ସୁନାର ଫସଲ । ବର୍ଷକ ଯାକର ପେଟପାଟଣା ଚିନ୍ତାରେ ଏବେ ଚାଷୀ । ସେପଟେ ଆରଡିରେ ଲଗାଣ ବର୍ଷା ଯୋଗୁଁ ଆଖଣ୍ଡଳମଣିଙ୍କ ରୋଷଶାଳା ଛାତରୁ ଖସିଛି ପ୍ଲାଷ୍ଟର ଖଣ୍ଡ । ଯାଜପୁର ବିଞ୍ଝାରପୁରରେ ବି ସୀମା ଲଂଘିଛି ଚାଷୀଙ୍କ ଦୁର୍ଦ୍ଦଶା । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ସମ୍ପୂର୍ଣ୍ଣ ଧାନ ଫସଲ । ହେଲେ ଏପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଚାଷୀଙ୍କ ନିକଟରେ ପହଞ୍ଚି ନଥିବା ହୋଇଛି ଅଭିଯୋଗ । ବଡ଼ଚଣା ବ୍ଲକରେ ବି ଏକର ଏକର ବିରି ଫସଲ ସହ ପନିପରିବା ଚାଷ ହୋଇଛି ପ୍ରଭାବିତ ।
ବର୍ଷା ଓ ପବନ ଯୋଗୁଁ କେନ୍ଦୁଝର ଜିଲ୍ଲାର ଭାତହାଣ୍ଡି ଭାଙ୍ଗି ଯାଇଛି । ହାଟଡ଼ିହି ବ୍ଲକରେ ଶହ ଶହ ହେକ୍ଟର ଜମିରେ ଧାନ ଚାଷ କ୍ଷତିଗ୍ରସ୍ତ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଓ ଶିମିଳିପାଳ ଜଙ୍ଗଲରେ ବର୍ଷା ଲାଗି ରହିଛି । ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତରକୁ ଲକ୍ଷ କରି ବାରିପଦା ସହରର ତଳି ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ଅଣାଯାଇଛି । ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପରିଷଦ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି ।
ସେହିପରି କେନ୍ଦ୍ରାପଡ଼ା ରାଜନଗରରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଘର ଦ୍ଵାର ଭାଙ୍ଗିବା ସହିତ ଧାନ ଫସଲ ନଷ୍ଟ ହୋଇଛି । ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡ଼ିବା ସହିତ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭିତରକନିକା ହବାଳିଖଟିରେ ବାତ୍ୟା ଲ୍ୟାଣ୍ଡଫଲ୍ କରିବା ପରେ ସେଠାରେ ଥିବା କଟେଜ ଗୁଡ଼ିକ ଭାଙ୍ଗି ଛାରଖାର ହୋଇଯାଇଛି । ୪ଦିନ ହେବ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ରାଜନଗର ଅନ୍ଧାରରେ ରହିଛି । ସାତଭାୟାର ବଗପାଟିଆ, ଚାରିଘରିଆର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଭାରତୀୟ ନୌସେନା ଓ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ବଗପାଟିଆ ଓ ଚାରିଘରିଆ ଗାଁରେ ପହଁଞ୍ଚି ରନ୍ଧା ଖାଦ୍ୟ ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି । ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଥିବା ବେଳେ ବାତ୍ୟା ପରିଚାଳନାରେ ସରକାର ଫେଲ୍ ମାରିଥିବା ରାଜନଗର ବିଧାୟକ ଧ୍ରୁବ ସାହୁ ଗୁରୁତର ଅଭିଯୋଗ ଆଣିଛନ୍ତି । ତୁରନ୍ତ ବାତ୍ୟା ବିପନ୍ନଙ୍କ ପାଇଁ ସରକାର ପ୍ୟାକେଜ୍ ଘୋଷଣା କରନ୍ତୁ ବୋଲି ସେ ଦାବି କରିଛନ୍ତି । ଯେଉଁ କର୍ମଚାରୀମାନେ ଦିନରାତି ଏକ କରି ବାତ୍ୟା ସମୟରେ ଲୋକମାନଙ୍କ ପାଇଁ କାମ କରୁଥିଲେ ସେଇମାନଙ୍କୁ ନିଲମ୍ବିତ କରି ସରକାର କ’ଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।