ରିଲିଫ ରାଜନୀତି: ଗେରୁଆ କୋଠାରେ ରିଲିଫ୍ ରଖି ଦଳୀୟ ଭିତ୍ତିରେ ବାଣ୍ଟା ଯାଉଛି !
ଧାମରା: ବାତ୍ୟା ଯିବା ପରେ ରିଲିଫକୁ ନେଇ ରାଜନୀତି ଆରମ୍ଭ । ପଞ୍ଚାୟତ କାର୍ଯ୍ୟଳୟ ଥିଲେ ବି ଏକ ଗେରୁଆ କୋଠାରେ ରିଲିଫ୍ ସାମଗ୍ରୀ ରଖାଯାଇ ଦଳୀୟ ଭିତ୍ତିରେ ବାଣ୍ଟା ଯିବାକୁ କରାଯାଉଛି ଉଦ୍ୟମ । ଏହାର ଖବର ସଂଗ୍ରହ କରିବାକୁ ଯାଇଥିବା ନନ୍ଦିଘୋଷ ଟିଭି ପ୍ରତିନିଧିଙ୍କୁ ଧମକ ଦିଆଯିବା ସହ ତୁରନ୍ତ ଜାଗା ଛାଡି ଚାଲିଯିବାକୁ ଦିଆଗଲା ଚେତାବନୀ ।
ଏମିତି ଘଟଣା ଦେଖିବାକୁ ମିଳିଛି ଧାମରାରେ । ଏକ ନିର୍ଦ୍ଦିଷ୍ଟ ଦଳର କାର୍ଯ୍ୟାଳୟରେ ବାତ୍ୟା ବିପନ୍ନଙ୍କ ପାଇଁ ଆସିଥିବା ରିଲିଫ ରଖିବା ଅଭିଯୋଗ ହୋଇଛି । ଧାମରା ବଜାରରେ ଥିବା ଗେରୁଆ ରଙ୍ଗର ଏକ ଘରେ ସରକାରୀ ରିଲିଫ ରହିବା ଅଭିଯୋଗ ହୋଇଥିଲା । ଯାହାର ଖବର ସଂଗ୍ରହ କରିବାକୁ ଘଟଣା ସ୍ଥଳରେ ପହଞ୍ଚି ଥିଲା ନନ୍ଦିଘୋଷ ଟିମ୍ । ଅଭିଯୋଗ ସତ ଥିଲା । ଏକ ଦଳୀୟ କାର୍ଯ୍ୟାଳୟରେ ରିଲିଫ ସାମଗ୍ରୀ ରଖାଯାଇଥିଲା । ଯାହାକୁ ନେଇ ପ୍ରଶ୍ନ କରାଯିବା ପରେ ରିଲିଫ ସାମଗ୍ରୀ ଦାୟିତ୍ବରେ ଥିବା ଲୋକେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।
ସେଠାରେ ଉପସ୍ଥିତ ଉକ୍ତ ଦଳର କିଛି କର୍ମୀ ଖବର ସଂଗ୍ରହ ପାଇଁ ଯାଇଥିବା ନନ୍ଦିଘୋଷ ଟିଭିର ପ୍ରତିନିଧିଙ୍କୁ କହିଥିଲେ, ପଞ୍ଚାୟତ କାର୍ଯ୍ୟାଳୟ ନ ଥିବାରୁ ଆମେ ଏଇଠି ରଖୁଛୁ ।ଏହାସହ ଦଳୀୟ କର୍ମୀମାନେ ନିନ୍ଦିଘୋଷ ଟିମ ସାମ୍ବାଦିକଙ୍କ ସହ ପାଟିତୁଣ୍ଡ କରିବା ସହିତ ଆମ ସରକାର, ଆମ ରିଲିଫ, ଆମ ପାଖରେ ରହିବ ବୋଲି କହିଥିଲେ । ଆଉ ଉକ୍ତ ଜାଗା ଛାଡି ତୁରନ୍ତ ଚାଲିଯିବାକୁ ଧମକ ଦେଇଥିଲେ ।
ଅନ୍ୟପକ୍ଷରେ ଦଳୀୟ ଭିତ୍ତିରେ ରିଲିଫ ଦେବା ଉଦ୍ୟମକୁ ସାଧାରଣ ଲୋକେ ନାପସନ୍ଦ କରିଛନ୍ତି । ଗାଁରେ ପଞ୍ଚାୟତ କାର୍ଯ୍ୟାଳୟ ଥିବା ବେଳେ ଏକ ନିର୍ଦ୍ଧିଷ୍ଟ ଦଳୀୟ କାର୍ଯ୍ୟାଳୟରେ ରିଲିଫ ରଖିବା ନେଇ ଧାମରା ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।