ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ଭିତରେ ରେକର୍ଡ; ଦୁନିଆ ଦେଖିଲେ ୧୬ ଶହ ନବଜାତକ, ପୁଅର ନାଁ ରହିଲା ‘ଦାନା’

ଭୁବନେଶ୍ବର: ବାତ୍ୟା ‘ଦାନା’ ହବାଳିଖଟିରେ ଲ୍ୟାଣ୍ଡଫଲ କରିବା ସହ ତାଣ୍ଡବ ରଚିଛି । କାହାର ଘର କାନ୍ଥ ଭାଙ୍ଗିଛି ତ କାହାର ଛପର ଉଡ଼ିଛି । ରାସ୍ତାରେ ମୁହଁମାଡ଼ି ପଡ଼ିଛନ୍ତି ବିରାଟ ବିରାଟ ଗଛ । ଚାଷ ବୁଡିଛି, ମୁଣ୍ଡରେ ହାତ ଦେଇ ଚାଷୀ ବସିଛି । ପିଲାଛୁଆଙ୍କୁ ଧରି ଘରବାଡି ଛାଡି ଲୋକେ ବାତ୍ୟା ଆଶ୍ରୟ ସ୍ଥଳରେ ମୁଣ୍ଡ ଗୁଞ୍ଜିଛନ୍ତି । ବାତ୍ୟା ‘ଦାନା’ ଓଡ଼ିଶାରେ ଏମିତି ତାଣ୍ଡବ ମଚାଇଛି । ହେଲେ ଏହି ବାତ୍ୟା ତାଣ୍ଡବ ଭିତରେ ଆସିଛି ଏକ ଖୁସି ଖବର । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ ସମୟରେ ଏକ ରେର୍ଡ କରିଛି ଓଡ଼ିଶା । ଆଉ ଏହି ରେକର୍ଡଟି ହେଲା, ବତ୍ୟା ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୬ ଶହ ଶିଶୁ ଜନ୍ମ ହୋଇଛନ୍ତି ।

ସୂଚନାଯୋଗ୍ୟା, ବାତ୍ଯା ‘ଦାନା’କୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ୪ ହଜାର ୪୩୧ ଗର୍ଭବତୀଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ବିଶେଷକରି ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଯାଜପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ବର ଓ ମୟୂରଭଞ୍ଜ ଆଦି ଜିଲ୍ଲାର ଗର୍ଭବତୀଙ୍କୁ ସୁରକ୍ଷା କେନ୍ଦ୍ର ଓ ମାତୃଗୃହକୁ ସ୍ଥାନାନ୍ତରିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୧୬ ଶହ ମହିଳା ନବଜାତଙ୍କୁ ଜନ୍ମ ଦେଇଛନ୍ତି । ସମସ୍ତ ମାଆ ଓ ନବଜାତ ଶିଶୁ ସମ୍ପୂର୍ଣ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି ।

ପୁଅର ନାଁ ଦାନା ରଖିଲେ ବାପାମାଆ

ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ କରିବା ବେଳେ ଧୁଷୁରୀ ମେଡ଼ିକାଲରେ ଜନ୍ମ ନେଇଥିବା ନବଜାତକର ନାଁ ‘ଦାନା’ ରଖିଛନ୍ତି ପରିବାର ଲୋକେ । ଧାମନଗର ବ୍ଲକ କଣ୍ଟିକା ଗାଁର ପ୍ରସୂତୀ ଶୁଭ ମଲ୍ଲିକଙ୍କୁ ବାତ୍ଯା ପାଇଁ ଆଗୁଆ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଗତ ରାତିରେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଛି । ଉଭୟ ମାଆପୁଅ ସୁସ୍ଥ ଅଛନ୍ତି ।