ବାତ୍ୟା ‘ଦାନା’ ମୁକାବିଲା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ତତ୍ପରତା

1 min read

ପୁରୀ: ମାଡ଼ି ଆସୁଛି ବାତ୍ୟା ‘ଦାନା’ । ପାଣିପାଗ ବିଭାଗ ସୂଚନା ଅନୁସାରେ ଭଦ୍ରକର ଚାନ୍ଦବାଲିରେ ଲ୍ୟାଣ୍ଡଫଲ କରିବ ବାତ୍ୟା । ତେବେ ଏହାର ପ୍ରଭାବ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡିକରେ ଦେଖିବାକୁ ମିଳିବା ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ଉକ୍ତ ଜିଲ୍ଲାର ପ୍ରଶାସନ ପକ୍ଷରୁ ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ଚଲାଇଛି ।

ମିଳିଥିବା ସୂଚନା ଅନୁସାରେ, ବାତ୍ୟାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ୮ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ରହିବା ପାଇଁ ଶତାଧିକ ଆଶ୍ରୟସ୍ଥଳୀ କରାଯାଇଛି ।

ତେବେ ବାତ୍ୟା ପ୍ରଭାବରେ ଯେତେ ପରିମାଣରେ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା, ତାହା ଦେଖିବାକୁ ମିଳି ନଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ସମଗ୍ର ଜିଲ୍ଲାରେ ୧୨୨ ମି.ମି. ବର୍ଷା ହୋଇଛି । ଭୟର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ୨୬ ତାରିଖ ସକାଳ ଯାଏଁ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ବାତ୍ୟା ସମୟରେ ସମୁଦ୍ର ପାଖକୁ ନ ଯିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ବରିଷ୍ଠ ଅଧିକାରୀମାନେ ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ମରିନ ଡ୍ରାଇଭ, କାକଟପୁର, କୋଣାର୍କ, ସାତପଡ଼ାରେ ସ୍ଥିତି ପରଖିଛନ୍ତି ପ୍ରଶାସନିକ ଅଧିକାରୀ ।

ତେବେ ବାତ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କଟକଣା ମାନିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ସେ କହିଛନ୍ତି, ଚାଷୀଙ୍କୁ ସହାୟତା ପାଇଁ କୃଷି ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ଖୋଲା ଯାଇଛି । ଚାଷୀ ଫୋନ କରି ସାହାଯ୍ୟ ପାଇପାରିବେ । ଚାଷରେ ବଡ଼ କ୍ଷତି ହେବ ନାହିଁ ।

ଆଗକୁ ସେ କହିଛନ୍ତି, ସବୁ ବିଭାଗ ପ୍ରସ୍ତୁତ ଅଛନ୍ତି । QRT ନିୟୋଜିତ ହୋଇଛନ୍ତି । ପାଣି ନିଷ୍କାସନ କରି ଜଳବନ୍ଦୀ ଦୂର କରିବାକୁ ସବୁ ବ୍ୟବସ୍ଥା କରାଯାଇଛି ।

ଶ୍ରୀମନ୍ଦିରକୁ ନେଇ ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଶ୍ରୀମନ୍ଦିର ନୀତି ଠିକରେ ଚାଲିଛି । ହରିଷ୍ୟାଳିଙ୍କ ଦର୍ଶନ ବନ୍ଦ କରାଯାଇଛି । ସମୁଦ୍ର କୂଳକୁ ନ ଯିବାକୁ ଲଷାକଙ୍କୁ ପରାମର୍ଶ । ପର୍ଯ୍ୟଟକମାନେ ପୁରୀ ଛାଡ଼ି ପଳାଇଛନ୍ତି । ଯେଉଁମାନେ ଯାଇ ନପାରି ରହିଯାଇଛନ୍ତି, ଅସୁବିଧା ହେଲେ ହେଲ୍ପ ଲାଇନକୁ କଲ୍ କରି ସାହାଯ୍ୟ ନେଇ ପାରିବେ ।